ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୀରହାଟ ଥାନା ନରେନ୍ଦ୍ରପୁର ପଂଚାୟତ ଅଧୀନ ଛତ୍ରପଦା ଗ୍ରାମର ଅବନୀ କୁମାର ନାୟକ (୪୫) ନାମକ ଜଣେ ଯୁବକ ଚୋରା କୋଇଲା ଟ୍ରକ୍କୁ ବିରୋଧ କରିବାରୁ ତାଙ୍କୁ ଚୋରା କୋଇଲା ମାଫିଆମାନେ ଗତ ୨୫ ତାରିଖରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପତ୍ନୀ ସରୋଜିନୀ ନାୟକଙ୍କ ଅଭିଯୋଗକ୍ରମେ ପୁଲିସ ୪୫/୨୫, ଦଫା ୩୩୨(ଏ), ୧୦୩(୧)/୩(୫) ବିଏନଏସ୍ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ରବିବାର ଏହି ଘଟଣାରେ ଅଭିଯୁକ୍ତ ଥିବା ଶ୍ରୀକାନ୍ତ ନାୟକ ଓ ଚିଂଟୁ ନାୟକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ସୂଚନା ଯୋଗ୍ୟ ଯେ, ଫେବୃଆରୀ ୨୫ ତାରିଖ ବିଳମ୍ବିତ ରାତିରେ ଏକ ଚୋରା କୋଇଲା ଟ୍ରକ ଯାଉଥିଲା। ଛତ୍ରପଦା ଗ୍ରାମର ଅବନୀ ନାୟକ ଚୋରା କୋଇଲା ଟ୍ରକକୁ ବିରୋଧ କରିଥିଲେ। ଯାହାଫଳରେ ଚୋରା କୋଇଲା ମାଫିଆମାନେ ଅବନୀକୁ ପିଟି ପିଟି ହତ୍ୟା କରିବା ପରେ ଅବନୀର ଘର ଘଟତଳକୁ ପକାଇ ଦେଇ ବାହାରୁ କବାଟ ବନ୍ଦ କରି ପଳାଇଥିଲେ। ସେହିଦିନ ରାତି ୩ଟା ବେଳେ ଅବନୀଙ୍କ ସ୍ତ୍ରୀ ତାଙ୍କ ସୟା ପଂଚାୟତ ଅଧୀନ ବାଂଶବାଗ ଗ୍ରାମରେ ଥିବା ସମୟରେ ଫୋନ୍ ପାଇଥିଲେ ଯେ ତାଙ୍କ ସ୍ୱାମୀକୁ ସାନମଝିଆଁ ଶଶୁର ଦାଶରଥି ନାୟକଙ୍କ ଦୁଇ ପୁଅ ଅମୂଲ୍ୟ କୁମାର ନାୟକ, ରମାକାନ୍ତ ନାୟକ, ନାତି ଶ୍ରୀକାନ୍ତ ନାୟକ, ଚିଂଟୁ ନାୟକ ଓ ଜ୍ୱାଇଁ ଚନ୍ଦ୍ର୍ରକାନ୍ତ ମାଝୀ ମିଶି ପିଟିପିଟି ହତ୍ୟା କରିଥିଲେ। ପୂର୍ବରୁ ଜମିବାଡ଼ିକୁ ନେଇ ତାଙ୍କ ସ୍ୱାମୀଙ୍କୁ ବିଭିନ୍ନ ସମୟରେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଆସୁଥିଲେ। ଯେଉଁଥି ପାଇଁ ଅବନୀ ନିଜ ୧୧ବର୍ଷର ଝିଅ ଓ ପତ୍ନୀର ସୁରକ୍ଷା ପାଇଁ ତାଙ୍କୁ ବାଶବାଗ ସ୍ଥିତ ଶଶୁର ଘରେ ଛାଡ଼ି ଦେଇ ନିଜେ ଅବନୀ ଘର ନଛାଡ଼ି ଗାଁରେ ରହୁଥିଲେ। ମୃତ ଅବନୀଙ୍କ ପତ୍ନୀ ସରୋଜିନୀ ଏହି ଖବର ଗାଁ ଲୋକଙ୍କ ଠାରୁ ପାଇବା ପରେ ଶଶୁରଘର ଛତ୍ରପଦାକୁ ଆସି ପହଞ୍ôଚବା ପରେ ଦେଖିଥିଲେ ଯେ ତାଙ୍କ ଘର ଦୁଆରେ ପୁଳାପୁଳା ରକ୍ତ ପଡ଼ିଥିବା ବେଳେ ଘର ଖଟତଳେ ତାଙ୍କ ସ୍ୱାମୀ ଅବନୀଙ୍କର ରକ୍ତଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଛି। ପରେ ସେ ଏ ନେଇ ପୀରହାଟ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୀରହାଟ ଥାନା ଏସଆଇ ସୁପ୍ରକାଶ ମହାନ୍ତି ତଦନ୍ତ କରୁଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।