Home Top News ଚୋରୀ ଘଟଣାରେ ୭ଜଣ କୋର୍ଟ ଚାଲାଣ : ଅତିରିକ୍ତ ଏସପିଙ୍କ ଟାଉନଥାନାରେ ସାମ୍ବାଦିକ ସମ୍ମିଳନୀ

ଚୋରୀ ଘଟଣାରେ ୭ଜଣ କୋର୍ଟ ଚାଲାଣ : ଅତିରିକ୍ତ ଏସପିଙ୍କ ଟାଉନଥାନାରେ ସାମ୍ବାଦିକ ସମ୍ମିଳନୀ

29

କେନ୍ଦ୍ରାପଡ଼ା ୩୦-୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ଘଟଣାରେ କେନ୍ଦ୍ରାପଡା ଟାଉନଥାନା ପୋଲିସ ଗୁରୁବାର ୭ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେହି ଘଟଣାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରିଶ ଚନ୍ଦ୍ର ପାଣ୍ଡେ ଟାଉନ ଥାନାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଚଳିତବର୍ଷ କେନ୍ଦ୍ରାପଡା ଟାଉନ ଥାନା ଓ ସଦର ଥାନା ଅଞ୍ଚଳରେ କେତେକ ଚୋରୀ ଘଟଣା ଘଟିଥିଲା। କେତେକ ସୁତ୍ରକୁ ଆଧାରକରି ପୋଲିସ ସେହିସବୁ ଚୋରୀ ଘଟଣାର ଧରିବାକୁ ଚେଷ୍ଟା କରିଥିଲା। ଗତ ଜୁନମାସ ୬ତାରିଖରେ ଟାଉନ ଥାନା ପୋଲିସ ଦିନ ପାଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର (ଓଡି-୦୨-ବି-୩୯୧୫)କୁ ସନ୍ଦେହଜନକ ଅବସ୍ଥାରେ ଫକିରାବାଦ ଗୋବରୀ କେନାଲ ପୋଲ ନିକଟରେ ଧରିଥିଲା। ସେହି କାର ଭିତର ଚେକିଂ କରିବାରେ କେତେକ ଚୋରୀ ଜିନିଷ କାର ଭିତରୁ ବାହାରିଥିଲା। କାର ଭିତରେ ଥିବା ୩ଜଣ ଦୈାଡି ଫେରାର ହୋଇଯାଇଥିବା ବେଳେ କାର ଚାଳକ ଓକିଲ ଓରଫ ସେକ ରଫିକୁଲ୍ଲାକୁ ଟାଉନ ଥାନା ପୋଲିସ ଗିରଫ କରିବା ସହିତ କେଶ ନମ୍ବର-୯୫/୨୦୨୧ରେ ଆଇ.ପି.ସି.ର ୪୫୭, ୩୮୦ ଓ ୩୪ଦଫାରେ ଏକ ମାମଲା ରୁଜୁ କରିଥିଲା। କାର ଚାଳକ ଓକିଲକୁ ପଚରାଉଚୁରା କରାଯିବାରେ ସେ ସଦର ଥାନା ଅନ୍ତର୍ଗତ ମିର୍ଜାପାଟଣା ଗ୍ରାମର ମିର୍ଜା ମେହେବୁବ ବେଗ ଓରଫ ମେହେବୁବ ଖାନ(୨୭) ଓ ଶାହାରୁଖ ଓରଫ ସେକ ଲୋକମାନ(୩୦) ଏବଂ ଟାଉନ ଥାନା ଅନ୍ତର୍ଗତ ଖଣ୍ଡିଅଙ୍ଗ ଗ୍ରାମର ଗେଡୁ ଓରଫ ସେକ ସାଜିଦ(୩୦) କାର ଭିତରେ ଥିଲେ ଏବଂ ସେଦିନ ସେମାନେ ଦୈାଡି ଫେରାର ହୋଇଯାଇଥିବା କହିଥିଲା। ଚଳିତମାସ ୨୯ତାରିଖ ଦିନ ଏହି ୩ଜଣ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଧରିଥିଲା ଏବଂ ସେମାନଙ୍କୁ ଚୋରୀ ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇଥିଲା। ଏହି ୩ଜଣ ଅଭିଯୁକ୍ତଙ୍କ ବୟାନ ଅନୁଯାଇ ସେମାନେ ବିଭିନ୍ନ ସ୍ଥାନରୁ ଚୋରୀ କରିଥିବା ସୁନା ଓ ରୁପା ଗହଣା ପାଟକୁରା ଥାନା ଅନ୍ତର୍ଗତ ବନ୍ଧକଟାର ଜଗନ୍ନାଥ ଜୁଏଲାରୀର ମାଲିକ ତଥା ମହାକାଳପଡା ଥାନା ଅନ୍ତର୍ଗତ ନଛିପଡା ଗ୍ରାମର ଅଜୟ ସାହୁ, ଟାଉନ ଥାନା ଅନ୍ତର୍ଗତ ମଢିଆଳର ଏସ. ଚାନ୍ଦ ଜୁଏଲର୍ସର ମାଲିକ ସୁବାଷ ଚନ୍ଦ୍ର ଚାନ୍ଦ ଏବଂ କାକଟ ମଣୀ ଜୁଏଲାରୀ ୱାର୍କସପର ମାଲିକ ଅଜୟ କୁମାର ସାହୁଙ୍କୁ ବିକ୍ରୀ କରିଥିବା କହିଥିଲେ। ପୋଲିସ ଏହି ୩ଜଣ ଚୋର, ଜଣେ କାର ଚାଳକ ଏବଂ ୩ଜଣ ସୁନା ଦୋକାନୀଙ୍କ ଠାରୁ ଗୋଟିଏ କାର(ଓଡି-୦୨-ବି-୩୯୧୫), ୨୧୦ଗ୍ରାମ ଓଜନର ସୁନା ଗହଣା, ୧୮୭ଗ୍ରାମ ଓଜନର ରୁପା ଗହଣା, ୩ଟି ବାଇକ, ଗୋଟିଏ ଅଟୋରିକ୍ସା, ୫ଟି ମୋବାଇଲ ସମେତ ଶାବଳ, ଲୁହାରଡ, ପ୍ଲାସ, ଚୁମୁଟା, ସ୍କୃଡ୍ରାଇଭର, ସୁନା ଦୋକାନରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ପ୍ରଭୃତି ଜବତ କରିଥିବା ଅତିରିକ୍ତ ଏସପି ଶ୍ରୀ ପାଣ୍ଡେ ସୂଚନା ଦେଇଥିଲେ। ମିର୍ଜା ମେହେବୁବ ନାମରେ କେନ୍ଦ୍ରାପଡା ଟାଉନ ଥାନାରେ ୫ଟି, କଟକ ବାଦାମବାଡି ଥାନାରେ ୩ଟି, ମର୍କତନଗର ଥାନାରେ ୪ଟି, ସିଡିଏ ଫେଜ-୨ ଥାନାରେ ୩ଟି, ଚାଉଳିଆଗଞ୍ଜ ଥାନାରେ ୩ଟି, ମଧୁପାଟଣା ଥାନାରେ ୩ଟି, ଜଗତପୁର ଥାନାରେ ଗୋଟିଏ, ନେମାଳ ଥାନାରେ ଗୋଟିଏ, ପାଟକୁରା ଥାନାରେ ଗୋଟିଏ ଏବଂ କେନ୍ଦ୍ରାପଡା ସଦର ଥାନାରେ ୪ଟି ମାମଲା ରହିଥିବା ବେଳେ ଗେଡୁ ଓରଫ ସେକ ସାଜିଦ ନାମରେ କେନ୍ଦ୍ରାପଡା ଟାଉନ ଥାନାରେ ୮ଟି, ସଦର ଥାନାରେ ୪ଟି, ଆଳି ଥାନାରେ ଗୋଟିଏ, ପଟ୍ଟାମୁଣ୍ଡାଇ ଥାନାରେ ୩ଟି, ମାର୍ଶାଘାଇ ଥାନାରେ ଗୋଟିଏ ଏବଂ ଯାଜପୁର ଜିଲ୍ଲାର ବଡଚଣା ଥାନାରେ ଗୋଟିଏ କେଶ ରହିଥିବା ପୋଲିସ ସୂଚନା ଦେଇଛି। ଲୋକା ଓରଫ ସେକ ଲୋକମାନ ନାମରେ କେନ୍ଦ୍ରାପଡା ଟାଉନ ଥାନାରେ ୪ଟି, ସଦର ଥାନାରେ ୬ଟି ମାମଲା ରହିଥିବା ସୂଚନା ମିଳିଛି। ସୁନାଦୋକାନୀ ନଛିପଡା ଗ୍ରାମର ଅଜୟ ସାହୁ(୪୮)ଙ୍କ ନାମରେ କେନ୍ଦ୍ରାପଡା ଟାଉନ ଥାନାରେ ୩ଟି, ସଦର ଥାନାରେ ୪ଟି ଏବଂ କଟକ ଜିଲ୍ଲାର ବାଦାମବାଡି ଥାନାରେ ଗୋଟିଏ ମାମଲା ରହିଛି। ମଢିଆଳ ଗ୍ରାମର ସୁନାଦୋକାନୀ ସୁବାଷ ଚନ୍ଦ୍ର ଚାନ୍ଦ(୫୧)ଙ୍କ ନାମରେ ଟାଉନ ଥାନାରେ ୪ଟି ଓ ସଦର ଥାନାରେ ୪ଟି ମାମଲା ରହିଥିବା ବେଳେ କାକଟ ଗ୍ରାମର ଅଜୟ କୁମାର ସାହୁ(୩୬) ଏବଂ କାର ଚାଳକ ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ଓକିଲ ଓରଫ ସେକ ରଫିକୁଲ୍ଲା(୩୦)ଙ୍କ ନାମରେ ପୂର୍ବରୁ କୈାଣସି ମାମଲା ନଥିବା ପୋଲିସ ସୂଚନା ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ତଦନ୍ତକାରୀ ଅଧିକାରୀ ତଥା ଟାଉନ ଥାନା ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ଓ ସଦର ଥାନା ସବଇନିସପେକ୍ଟର ତପନ କୁମାର ନାହାକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.