Home ଜିଲ୍ଲା ପରିକ୍ରମା ଚୋରା ବାଲି, ଚୋରା ପ୍ରୀତି, ଲୋକେ କଲବଲ, ମାଫିଆ ମାଲେମାଲ; ମିଳୁନି ରାଜସ୍ୱ, ଚେତୁନି ପ୍ରଶାସନ

ଚୋରା ବାଲି, ଚୋରା ପ୍ରୀତି, ଲୋକେ କଲବଲ, ମାଫିଆ ମାଲେମାଲ; ମିଳୁନି ରାଜସ୍ୱ, ଚେତୁନି ପ୍ରଶାସନ

26

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ନିମୟିତ ବାଲି ଚୋରାରେ ଚାଲାଣ ହେଉଛି । ଏହା ଚୋରା ବାଲି କୁହାଯାଉଥିଲେ ବି ଉଭୟ ରାଜସ୍ୱ ଓ ପୁଲିସ ବିଭାଗର କେତେକ କର୍ମଚାରୀଙ୍କ ସହ ବାଳିମାଫିଆଙ୍କ ଚୋରା ପ୍ରୀତି କାରଣରୁ ଅବାଧରେ ଚାଲିଛି କାରବାର । ସରକାରଙ୍କୁ ଏଥିପାଇଁ ବିପୁଳ ରାଜସ୍ୱ ହାନୀ ହେଉଛି । ଅଥଚ ମାଫିଆମାନେ ମାଲେମାଲ ହେଉଛନ୍ତି । ହାତପାଆନ୍ତାରେ ବୈତରଣୀ ନଦୀ ପଠାରୁ ଯେଉଁ ପରିମାଣର ବାଲି ଅର୍ଥାତ ଗୋଟିଏ ଟ୍ରାକ୍ଟର ପରିମାଣର ବାଳି ପୂର୍ବରୁ ଚାରି ଶହ ରୁ ଛଅଶହ ଟଙ୍କା ମଧ୍ୟରେ ଏହି ବ୍ଲକ ଅଞ୍ଚଳରେ ମିଳିପାରୁଥିଲା ତାହା ଏବେ ଦେଢହଜାରରୁ ଦୁଇ ହଜାର ଟଙ୍କା ହୋଇଗଲାଣି । ପୁଲିସ ପକ୍ଷରୁ ହେଉଥିବା କାଁ ଭାଁ ଚଢାଉକୁ ଆଳ କରି ବାଲି ଦର ବଢାଇ ଚାଲିଛନ୍ତି କେତେକ ବେପାରୀ । ଆଉ ନିଜର ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟ ପାଇଁ ଲୋକେ କଲବଲ ହୋଇ ଅଧିକ ଟଙ୍କା ତଣ୍ଡ ଦେଇ ବାଲି କିଣୁଛନ୍ତି । ନିୟମିତ ପ୍ରକ୍ରିୟାରେ ବାଲି ନିଲାମ ହୋଇପାରୁ ନଥିବା, ଚୋରା ବାଲି ପରିବହନକାରୀଙ୍କ ପାଇଁ ପୁଷମାସ ପାଲଟିଛି । ଭଣ୍ଡାରିପୋଖରୀ ତହସିଲ ଅଧିନରେ ବୈତରଣୀ ନଦୀର ବିଭିନ୍ନ ସ୍ଥାନରେ ବାଲି ଉତ୍ତୋଳନ ପାଇଁ ପ୍ରାୟ ପନ୍ଦରଟି ସ୍ଥାନ ରହିଛି । ଏହା ଛଡା ଅନ୍ୟ କେତେକ ସ୍ଥାନରେ ମଧ୍ୟରେ ନଦୀ ପଠାକୁ ଯାତାୟତକୁ ରାସ୍ତା ହୋଇପାରିଲେ ଏହି ସଂଖ୍ୟା ବଢିଯିବ । ମାତ୍ର ସ୍ଥାନୀୟ ତହସିଲଦାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ମାତ୍ର ଗୋଟିଏ ସ୍ଥାନ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନ୍ୟଗୁଡିକ ସମ୍ପର୍କରେ କୌଣସି ଚୁଡାନ୍ତ ନିଷ୍ପତ୍ତି ହୋଇପାରି ନାହିଁ । ପୁଲିସ ଓ ରାଜସ୍ୱ ବିଭାଗ ୨୦୨୦ ମସିହାର ଶେଷ ଭାଗରେ ଚଢାଉ କରି କିଛି ପରିମାଣରେ ବାଲିଗାଡି ଧରିଥିଲେ । ଚଳିତ ମାସ ପ୍ରଥମ ସପ୍ତାହରେ ପୁଲିସ ବେଆଇନ ବାଲି ପରିବହନକାରୀ ଯାନକୁ ଜବତ କରି ମାମଲା ଋଜୁ କରିବା କାର୍ଯ୍ୟ ଜାରି ରଖିଛି । ମାତ୍ର ଚୋରା ବାଲି ଉଠାଣ ଓ ପରିବହନର ପେଣ୍ଠସ୍ଥଳୀ ପାଲଟିଥିବା ବାଲିପୋଖରୀ, ମଣିନାଥପୁର ଓ ମୁଢାପଦା ଆଦି ଅଞ୍ଚଳର ଏହି କୁକାର୍ଯ୍ୟ ଉପରେ ସାମାନ୍ୟତମ ପ୍ରଭାବ ପଡିନାହିଁ । କେନ୍ଦୁଝର ଜିଲ୍ଲା ଅଞ୍ଚଳରୁ ଟ୍ରାକ୍ଟରରେ ଆସୁଥିବା ବାଲିକୁ ପୁଲିସ ମଞ୍ଜୁରୀରୋଡ ନାଆମୀ ଅଞ୍ଚଳରୁ ଧରି ଥିଲେ ହେଁ ନିଜ ଥାନା ଅଞ୍ଚଳର ବାଲିଚୋରିକୁ ରୋକିବାରେ ସମର୍ଥ ହେଉନାହିଁ । ଅନେକ ବାଲି ସୀମା ପାର ହୋଇ ପଡୋଶୀ ଯାଜପୁର ଧାମନଗର ଅଞ୍ଚଳ ଦେଇ ଖସିଯାଉଛନ୍ତି । ବାଲିପାଇଁ ଗତ ବର୍ଷ ସ୍ଥାନୀୟ ଅତିରିକ୍ତ ତହସିଲଦାର ଓ ଜନୈକ ରାଜସ୍ୱ ନିରୀକ୍ଷକଙ୍କୁ ମଞ୍ଜୁରୀରୋଡ ରାଜସ୍ୱ କାର୍ଯ୍ୟାଳୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା ।

ଏପରିକି ଜିଲ୍ଲାପାଳଙ୍କ ପକ୍ଷରୁ ବାଲି ଚୋରିକୁ ରୋକିବା ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯାଇଥିଲେ ବି ପ୍ରଶାସନ ବାଲି ଚୋରିକୁ ରୋକିପାରୁ ନାହିଁ । କେତେକ ନିର୍ଦ୍ଦିଷ୍ଟ ବାଲି ବେପାରୀଙ୍କୁ ପୁଲିସ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ଅନ୍ୟମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଚୋରା ପ୍ରୀତିର ଅନୁକମ୍ପାକୁ ଆଧାର କରି ସଂପୃକ୍ତ ବ୍ୟବସାୟୀ ଲୋକଙ୍କୁ ଚଢାଦରରେ ବାଲି ଯୋଗାଉଛନ୍ତି । ହେଲେ ସାଧାରଣ ଲୋକେ ଚଢାଦରରେ ବାଲି କିଣିବାକୁ ସକ୍ଷମ ହେଉନଥିବାରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ପ୍ରଶାସନ ପକ୍ଷରୁ ବାଲି ନିଲାମ ପାଇଁ ପାଞ୍ଚବର୍ଷ ତଳର ପ୍ରକ୍ରିୟା ଅନେକ ସ୍ଥାନରେ ନ୍ୟାୟାଳୟ ଓ ଅନ୍ୟାନ୍ୟ ଗୋଳମାଳିଆ କାରଣରୁ ସ୍ଥଗିତ ରହିଛି । ଅଥଚ ସେହି ସବୁ ସ୍ଥାନରୁ ବେଧଡକ ବାଲି ଚାଲାଣ ହେଉଛି । ଆବଶ୍ୟକ ପୁଲିସ ରାଜସ୍ୱ କର୍ମଚାରୀ ଅଭାବରୁ ବାଲି ଚୋରି ରୋକାଯାଇ ପାରୁନଥିବା ବିଭିନ୍ନ ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି । ମାତ୍ର ବାଲିର ଉତ୍ସ ଥିବା ସ୍ଥାନକୁ ନିଲାମ କରି ସରକାର ରାଜସ୍ୱ ପାଇବା ଓ ଲେକମାନଙ୍କୁ ଉପଯୁକ୍ତ ମୂଲ୍ୟରେ ବାଲି ମିଳିବାର ବ୍ୟବସ୍ଥା ପ୍ରତି ପ୍ରଶାସନ ହେଜୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.