Home Top News ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର ଓଡ଼ିଶା-ମୋ ପରିବାର’ ର ସହଯୋଗ ପାଇଁ କୃତଜ୍ଞତା

ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର ଓଡ଼ିଶା-ମୋ ପରିବାର’ ର ସହଯୋଗ ପାଇଁ କୃତଜ୍ଞତା

56

ନବରଙ୍ଗପୁର/ଭୁବନେଶ୍ୱର, ୧୬.୦୧ (ଓଡ଼ିଆ ପୁଅ) : ଚେନ୍ନାଇରେ ପୁଅର ମୃତ୍ୟୁ ଖବର ଶୁଣିଲା ପରେ ମୁକ ପାଲଟି ଯାଇଥିଲେ କ୍ରିଷ୍ଣାଙ୍କ ପରିବାର। ସେଠି କାହାରିକୁ ଯୋଗାଯୋଗ କରି ଶବ ଫେରାଇ ଆଣିବା ଏହି ଅଶିକ୍ଷିତ, ଗରିବ ପରିବାର ପକ୍ଷରେ ସମ୍ଭବ ନ ଥିଲା। ଗାଁରେ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଭାଗ୍ୟକୁ ଆଦରି ପଡ଼ିଥିଲା ବେଳେ ଭଗବାନ ସେମାନଙ୍କ ଦୁଃଖ ବୁଝିଛନ୍ତି। ଦେବଦୂତ ଭାବେ ଉଭା ହୋଇଥିଲେ “ଓଡ଼ିଶା-ମୋ ପରିବାର’। “ଓଡ଼ିଶା-ମୋ ପରିବାର’ ସହଯୋଗରେ ଆଜି ସକାଳେ ଚେନ୍ନାଇରୁ ଶବ ଆସିବା ପରେ ନବରଙ୍ଗପୁର ନିଜ ଗାଁରେ ସତ୍କାର କରାଯାଇଛି।

ଘଟଣାରୁ ଜଣାପଡ଼ିଛି, ନବରଙ୍ଗପୁର ଜିଲ୍ଲା ତେଲିପଡ଼ା ଗାଁର କ୍ରିଷ୍ଣା ହରିଜନ( ୨୩) ତାମିଲନାଡୁର ଏକ ରାଇସ୍ ମିଲ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ବୁଧବାର ସକାଳୁ କ୍ରିଷ୍ଣାଙ୍କ ମୃତଦେହ ମିଲ୍ ପରିସରରୁ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ହୋଇଥିଲା। ତେବେ ମିଲ ମାଲିକ ଶବକୁ ଗାଏବ କରି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହି ଖବର “ ଓଡ଼ିଶା-ମୋ ପରିବାର’ କାର୍ଯ୍ୟାଳୟର ନଜରକୁ ଆସିଥିଲା। କ୍ରିଷ୍ଣାଙ୍କ ଶବକୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିବା ଲାଗି ଓଡ଼ିଶା-ମୋ ପରିବାର ଟିମ୍ ଉଦ୍ୟମ ଆରମ୍ଭ କରିଥିଲେ। ତାମିଲନାଡୁ ଅତିରିକ୍ତ ପୁଲିସ ଡିଜି ଅଶୋକ ଦାସଙ୍କ ସହିତ ଯୋଗାଯୋଗ କରିଥିଲେ। ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଆଇଜି ଅମିତାଭ ଠାକୁର ମଧ୍ୟ ଏଥିରେ ସହଯୋଗ କରିଥିଲେ। ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ତାମିଲନାଡୁ ଅତିରିକ୍ତ ପୁଲିସ କମିଶନର (ଟ୍ରାଫିକ) ଏ.ଅରୁଣ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରି ମିଲ ମାଲିକ ହେପାଜତରୁ ଶବ ଉଦ୍ଧାର କରି ଓଡ଼ିଶା ଫେରାଇବାର ବ୍ୟବସ୍ଥା କରିଥିଲେ।

ସାଧାରଣତଃ ଏହିଭଳି ମୃତ୍ୟୁରେ, ବ୍ୟବଚ୍ଛେଦ ପରେ ମର ଶରୀର ପଠାଯାଏ ନାହିଁ, କିନ୍ତୁ ଓଡ଼ିଶା ମୋ ପରିବାରର ଅନୁରୋଧ କ୍ରମେ ତାମିଲନଡୁ ପୋଲିସ୍ ମୃତ ଶରୀରକୁ ସସମ୍ମାନେ ଓଡ଼ିଶା ପଠାଇଛନ୍ତି। “ଓଡ଼ିଶା-ମୋ ପରିବାର’ ଟିମ୍ ସଦସ୍ୟମାନେ ସେଠାରୁ ଆମ୍ବୁଲାନସ୍ ଯୋଗେ ଶବକୁ ନବରଙ୍ଗପୁରର କ୍ରିଷ୍ଣାଙ୍କ ଗାଁ ତେଲିପଡ଼ା ଆଣି ଆଜି ଦିନ ୧୧ଟାରେ ପହଞ୍ଚିଥିଲେ। ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ତଥା ଓଡ଼ିଶା-ମୋ ପରିବାର ସଦସ୍ୟ ଶ୍ରୀ ମନୋହର ରାନ୍ଧାରୀଙ୍କ ସହଯୋଗ ଓ ଉପସ୍ଥିତିରେ କ୍ରିଷ୍ଣାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି।

ଓଡ଼ିଶା ମୋ ପରିବାରର ଏହି ପ୍ରଚେଷ୍ଟାକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.