ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚିତ୍ରଶିଳ୍ପୀ ଓ କବି ଅଶୋକ କୁମାର ମହାନ୍ତିଙ୍କ ୭୧ତମ ଜୟନ୍ତୀ ଉତ୍ସବ ଭଦ୍ରକ ଗୀତାଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ସ୍ମୃତିସଂସଦର ସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ରାଧାରଂଜନ ପଟ୍ଟନାୟକ ,ବିଶିଷ୍ଟ ସାହିତ୍ୟସମାଲୋଚକ ଓ ବାଗ୍ମୀ ଡକ୍ଟର ଜଗତବଂଧୁ ଆଚାର୍ଯ୍ୟ ,ବିଶିଷ୍ଟ ଶିଶୁସାହିତ୍ୟ ଗବେଷକ ଡକ୍ଟର ମନୀନ୍ଦ୍ର ମହାନ୍ତି ଯଥାକ୍ରମେ ମୁଖ୍ୟଅତିଥି,ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଶୋକ କୁମାର ମହାନ୍ତି ବହୁବର୍ଣ୍ଣରେ ବର୍ଣ୍ଣିଳ ଜୀବନ ବଂଚିଥିଲେ।ଜଣେ କୃତବିଦ୍ୟ ଚିତ୍ରଶିଳ୍ପୀ ଭାବରେ ସେ ରାଜ୍ୟ ଓ ଜାତୀୟସ୍ତରରେ ଗୌରବ ଅର୍ଜନ କରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେବେ କ୍ୟାନଭାସରେ ରଂଗ ଓ ତୂଳୀର ଚିତ୍ରିତ ଚୌହଦୀ ତ କେବେ କଲମ ଓ କାଗଜରେ ଶବ୍ଦଖେଳରେ କବିତାର ବିଚିତ୍ର ବର୍ଣ୍ଣାଳୀ ଥିଲା ଅଶୋକଙ୍କ ବ୍ୟକ୍ତିତ୍ୱର ଦୁଇଟି ବିଶିଷ୍ଟ ବିଭବ ବୋଲି ମତ ପ୍ରକାଶ କରି ସ୍ମୃତିସଂସଦର ସମ୍ପାଦକ ପ୍ରଫେସର ଡ ଶଶଧର ଦାସ କହିଲେ ସେ ଚିରକାଳ ପାଇଁ ଆମ ନିକଟରେ ସ୍ମରଣୀୟ ହୋଇ ରହିବେ। ସ୍ମୃତିସଂସଦ ତରଫରୁ ଅଶୋକ ସ୍ମୃତି କବିତା ସମ୍ମାନ ବାଲେଶ୍ୱରର ଶ୍ରୀଦେବ, ଚିତ୍ରଶିଳ୍ପୀ ସମ୍ମାନ ଭଦ୍ରକ କଲେଜର ଅବସରପ୍ରାପ୍ତ ଶିଳ୍ପୀ ବିଶ୍ୱରଞ୍ଜନ ରାଉତ,ଶିକ୍ଷା କ୍ଷେତ୍ରରେ ସାହାଡା ଲାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦିପ୍ତିମୟୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚିତ୍ରକଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ଅର୍ଥରାଶି ପ୍ରଦାନ କରାଯାଇ ଥିଲା। ଆରମ୍ଭରେ ମୋଗଲତାମସା ଅଭିନେତା ଅମୀୟ ପଟ୍ଟନାୟକ ଭକ୍ତିସଙ୍ଗୀତ ଗାନ ଓ କୁନିଝିଅ ଆଦ୍ୟାଶା ମହାନ୍ତି ନୃତ୍ୟ ପରିବେଷଣ କରିଥିଲେ। ଅଶ୍ୱିନୀ କୁମାର ମହାନ୍ତି,ଅତିଥି ପରିଚୟ କରିଥିବା ବେଳେ ଅଞ୍ଜଳି ମହାନ୍ତି,ଲକ୍ଷ୍ମୀନାରାୟଣ ମହାନ୍ତି ସଭା ପରିଚାଳନାରେ ସହଯୋଗ କରିଥିଲେ।