Home ଜିଲ୍ଲା ପରିକ୍ରମା ଚିଙ୍ଗୁଡି ଚାଷ ଯୋଗୁଁ ଉଜୁଡୁଛି ଧାନ ଫସଲ, ଚାଷୀଙ୍କ ଧାରଣା

ଚିଙ୍ଗୁଡି ଚାଷ ଯୋଗୁଁ ଉଜୁଡୁଛି ଧାନ ଫସଲ, ଚାଷୀଙ୍କ ଧାରଣା

37

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍‌ରେ ବେଆଇନ୍ ଚିଙ୍ଗୁଡି ଚାଷୀଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ôଚଛି । ଯେଉଁମାନଙ୍କ ଉତ୍ପୀଡନରେ ପ୍ରାୟ ୨୦ ଟି ପଂଚାୟତର ଧାନଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ଯେଉଁଠି ପାରି ସେଇଠି ଏହି ବେଆଇନ୍ ଚିଙ୍ଗୁଡି ଚାଷ ହେବା ଫଳରେ ପାଖରେ ଥିବା ଧାନ ଚାଷ ଜମି ଲୁଣାପାଣି ମାଡି ଉଜୁଡି ଯାଉଛି ଫସଲ । ବର୍ଷ ବର୍ଷ ଧରି ଏହିଭଳି କ୍ଷତିଗ୍ରସ୍ତ ହେଉଥିବା ଶତାଧିକ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏଣୁ ଏଭଳି ଘଟଣାର ପ୍ରତିବାଦରେ ଆଜି ଶହ ଶହ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ ତହସିଲ ସମ୍ମୁଖରେ ଗଣଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଚାଷୀଙ୍କ ଅଭିଯୋଗରୁ ଯାହା ଜଣାଯାଏ ଆରଡି, ବାଲିଗାଁ, ତେନ୍ତୁଳିଡିହି, ଚରଡିଆ, ଧାମରା, ନୂଆଗାଁ, ବାଂଶଗଡା ଭଳି ପ୍ରାୟ ୨୦ ଟି ପଂଚାୟତର ବିଭିନ୍ନ ସ୍ଥାନରେ ହୁ ହୁ ହୋଇ ବଢିଚାଲିଛି ହଜାର ହଜାର ଚିଙ୍ଗୁଡି ଘେରି । ଚିଙ୍ଗୁଡି ଚାଷ କରୁଥିବା ଧନୀ ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ଧାନଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିବା କ୍ଷୁଦ୍ର ଚାଷୀ ଏବେ ନିଜ ବିଲକୁ ଦେଖି ଆଖିରୁ ଲୁହ ଗଡାଉଛି । କାହିଁକି ନା ଚିଙ୍ଗୁଡି ପୋଖରୀରୁ ବିଷାକ୍ତ ଲୁଣା ଓ ରାସାୟନିକ ପାଣି ଲିକ୍ ହୋଇ ଧାନବିଲକୁ ମାଡିଯାଉଛି । ଫଳରେ ବିଲରେ ଆଉ ଧାନଗଛ ଉଠୁନାହିଁ । ଅନେକ ଚାଷୀ ଏହି ମାଫିଆଙ୍କ ଉତ୍ପୀଡନରେ ଚାଷକାର୍ଯ୍ୟ ଛାଡିଦେଲେଣି । ଏହିଭଳି ଦୀର୍ଘ ପ୍ରାୟ ୧୦ ବର୍ଷ ହେବ ନାମକୁ ମାତ୍ର କ୍ଷୁଦ୍ର ଚାଷୀମାନେ କ୍ଷତି ସହିଚାଲିଛନ୍ତି । ଏଥିନେଇ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲାପାଳ, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଆସୁଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଏଣୁ ଉକ୍ତ ଘଟଣାର ପ୍ରତିବାଦ କରି ବିଭିନ୍ନ ପଂଚାୟତର କ୍ଷତିଗ୍ରସ୍ତ ଚାଷୀମାନେ ଆଜି ତହସିଲ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ସେମାନଙ୍କ ଦାବିର କୌଣସି ସମାଧାନ ସହ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ନନିଆଯାଏ, ତେବେ ଆନ୍ଦୋଳନ ତୀବ୍ରତର ହେବା ସହ ତହସିଲ ସମ୍ମୁଖରେ ସେମାନେ ଆତ୍ମାହୂତି ଦେବେବୋଲି ଚେତାବନୀ ଦେଇଛନ୍ତି । ଅବଶ୍ୟ ଅତିରିକ୍ତ ତହସିଲଦାର ଉକ୍ତ ଧାରଣା ସ୍ଥଳରେ ପହଞ୍ôଚ ସେମାନଙ୍କ ଅଭିଯୋଗର ସମାଧାନ ଖୁବଶୀଘ୍ର କରାଯିବାର ପ୍ରତିଶ୍ରୁତିି ଦେବା ପରେ ଚାଷୀଙ୍କ ଆଜିର ଗଣଧାରଣା ପ୍ରତ୍ୟାହୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.