Home ଜିଲ୍ଲା ପରିକ୍ରମା ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭଦ୍ରକ ଜିଲା ବିଜେଡି ଗର୍ଜିଲା,ଜିଲାପାଳଙ୍କ...

ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭଦ୍ରକ ଜିଲା ବିଜେଡି ଗର୍ଜିଲା,ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ଓ ପ୍ରତିବାଦ ସଭା

2

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିଜେଡି ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ବିଜେଡି ସଭାପତି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀମାନେ ବିଭିନ୍ନ ପ୍ରାନ୍ତରୁ ଆସି ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ବିଜେଡିର ଏକ ବିରାଟ ପଟୁଆର ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଜେଡିର ତୁଙ୍ଗନେତାମାନେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ସରକାର ଉପରେ ବର୍ଷିଥିଲେ। ଧାନ କିଣାରେ ସରକାରଙ୍କ କଟନୀ ଛଟନୀ ହେବନାହିଁ ବୋଲି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଛି। ଚାଷୀ ମଣ୍ଡିକୁ ଧାନ ବିକ୍ରି କରିବାକୁ ଯାଇ କଟନୀ ଛଟନୀରେ ମିଲରଙ୍କ ଶୋଷଣର ଶୀକାର ହେଉଛନ୍ତି। ଟୋକନ ପାଇଥିବା ଚାଷୀ ଏବେ ଧାନ ବିକ୍ରି କରିପାରୁନାହାଁନ୍ତି। ଚାଷୀଙ୍କ ଭରସା ଏବେ ଗାଁ ବେପାରୀଙ୍କ ଉପରେ। ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ। ସେହିପରି ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ପ୍ରଶାସନିକ ଅବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିଜେପିର କୁଜିନେତା ମାନେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବସି ଗାଁ ମାନଙ୍କରେ ଅନ୍ୟାୟରାଜ ଚଳାଇଛନ୍ତି। ପ୍ରତିଦିନ ଲୁଟତରାଜ, ହତ୍ୟାକାଣ୍ଡ, ନାରୀ ନିର୍ଯ୍ୟାତନା ଓ ଗଣଧର୍ଷଣ ବଢି ଚାଲିଛି। ଜିଲାରେ ମଦ ଓ ନିଶାଦ୍ରବ୍ୟ କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଛି। ପ୍ରତିବାଦ ସଭାରେ ସଭାପତିତ୍ୱ କରି ଡ. ରାୟ କହିଥିଲେ ଯେ, ମିଥ୍ୟା ପ୍ରତିଶୃତି ଦେଇ ବିଜେପି ସରକାରକୁ ଆସିଛି । ଚାଷୀର ସ୍ୱାର୍ଥ ପାଇଁ ବିଜେଟି ସବୁବେଳେ ଠିଆ ହୋଇଛି । ଆଗାମୀ ଦିନରେ ମଧ୍ୟ ଠିଆ ହେବ । କେବଳ ଚାଷୀ ନୁହେଁ, ମହିଳା, ଶିକ୍ଷକ, ଶିଶୁମାନେ ଟି ଆଜି ଦୂର୍ଦ୍ଦଶା ଭୋଗୁଛନ୍ତି । ତେଣୁ ବିଜେପି ସରକାରକୁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଲୋକେ ବାଏ ବାଏ କରିବେ । ଏ ସରକାର ଏକ ଅପାରଗ ସରକାର ବୋଲି ଲୋକେ ଜାଣି ସାରିଲେଣି । ଏ ସରକାରକୁ ଆଗାମୀ ଦିନରେ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଧାୟକ ଡ.ରାୟ ପ୍ରକାଶ କରୁଥିଲେ । ଏହି ପ୍ରତିବାଦ ସଭାରେ ପ୍ରାକ୍ତନ ମନ୍ତ୍ରୀ ନେତା ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ ବିଜେଡି ସବୁବେଳେ ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରି ଆସୁଛି । ଚାଷୀଙ୍କୁ ତାଙ୍କ ଧାନର ଉପଯୁକ୍ତ ପ୍ରାପ୍ୟ ଦିଆଯାଉ । ପ୍ରତିବାଦ ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ କହିଲେ ସରକାର, ମିଲର, ଯୋଗାଣ ବିଭାଗ, ଆରଏମସି ର ମିଲି ଭଗତରେ ଚାଷାର ଧାନ ଟଙ୍କାକୁ ମାରି ଖାଇଯିବାକୁ ଚାଲିଛି ଚକ୍ରାନ୍ତ । ବିଜେଡି ଏହି ଚକ୍ରାନ୍ତକୁ ସଫଳ କରିବାକୁ ଦେବ ନାହିଁ । ଆଗାମୀ ଦିନରେ ଚାଷୀ ସ୍ୱାର୍ଥ ପାଇଁ ଏ ଲଢେଇ ଆହୁରି ଜୋରଦାର ହେବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ଚେତାବନୀ ଦେଉଛନ୍ତି । ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ସଭାପତି ଡ. ରାୟଙ୍କ ସମେତ ପ୍ରାକ୍ତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ପୌରଧକ୍ଷା ଗୁଲମକୀ ଦଲାୱାଜି ହାବିବ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଡା. ସଞ୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ତିହିଡି ବ୍ଳକ ଅଧ୍ୟକ୍ଷା ଅବନ୍ତୀ ମଲ୍ଲିକ, ଚାନ୍ଦବାଲି ବ୍ଲକ୍ ଅଧ୍ୟକ୍ଷା ମିନତୀ ସୂତାର, ଚାନ୍ଦବାଲି ଏନଏସି ଅଧକ୍ଷା ଶାନ୍ତିଲତା ସେଠୀ, ଧାମନଗର ବ୍ଳକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଧାମନଗର ଏନଏସି ଅଧକ୍ଷା ନିବେଦିତା ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ତାହେରା ଖାନ, ବରିଷ୍ଠ ନେତା ଅଶୋକ ବଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ଭଦ୍ରକ ବ୍ଳକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଯୁବନେତା ଲାଲା ସ୍ୱାଇଁ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ପଣ୍ଡା, ବିଜେଡି ଯୁବ ମୋର୍ଚାର ରାଜ୍ୟ ଉପସଭାପତି ଚିନ୍ମୟ ଦାସ, ଜିଲା ଛାତ୍ର ବିଜେଡ଼ି ସଭାପତି ଭାସ୍କର ମଲ୍ଲିକ, ଭଦ୍ରକ ବ୍ଳକ ସଭାପତି ପ୍ରଫୁଲ୍ଲ ନାୟକ, ଆଇନଜୀବୀ ତାହେର ମହମ୍ମଦ, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ବିଦ୍ୟୁତଲତା ନାୟକ, କାର୍ଯ୍ୟକାରୀ ସଭାନେତ୍ରୀ ଦେବୀଦତା ମହାନ୍ତି, ନାରୀନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର, ପାରିଷଦ-ଦିଲିପ ନାୟକ, ଆଶୀଷ ଅମିତାଭ ମହାପାତ୍ର, ସଇଦ ଖାଁ, ଯୁବନେତା ସୂର୍ଯ୍ୟକୁମାର ଦାସ, ଆଶୀଶ ମହାନ୍ତି, ପଙ୍କଜ ବଳ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ସଭାପତି ବିଧାୟକ ଡ.ରାୟ, ବିଧାୟକ ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ । ନିର୍ବାଚନ ପରେ ଭଦ୍ରକ ଜିଲ୍ଲା ବିଜେଡି ର ସବୁ ନେତାମାନେ ଏକତ୍ରିତ ହୋଇ ପ୍ରଥମ ଥର ବିରାଟ ଶକ୍ତି ପ୍ରଦର୍ଶନ କରିଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି । ଆଗାମୀ ଦିନରେ ବିଭିନ୍ନ ସମସ୍ୟା ନେଇ ବିଜେଡି ଲୋକଙ୍କ ସହ ଠିଆ ହେବ ବୋଲି ଜିଲା ସଭାପତି ଡ. ରାୟ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ବିଜେଡି ଶକ୍ତିଶାଳୀ ରହିଛି । ବିଜେଡିରୁ କିଏ ବାହାରି ଯାଇ ଯେଉଁ ଦଳରେ ମିଶି ଗଲେ ବିଜେଡି ସଙ୍ଗଠନ ଦୁର୍ବଳ ହେବ ନାହିଁ । ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିବ ବୋଲି ସଭାରେ ବିଧାୟକ ଡ. ରାୟ କହିଥିଲେ। ଆଜିର ଏହି ସମାବେଶରେ ଭଦ୍ରକ ଜିଲ୍ଲାର ୭ ଟି ବ୍ଲକ୍‌ରୁ ବହୁ ସଂଖ୍ୟାରେ ଚାଷୀ ଓ ବିଜେଡି କର୍ମୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.