Home ଜିଲ୍ଲା ପରିକ୍ରମା ଚାଷୀ ମହଲରେ ଭାଳେଣି ; ହଦଗଡ ଡ୍ୟାମ୍‌ରେ ଜଳ ସଂକଟ!

ଚାଷୀ ମହଲରେ ଭାଳେଣି ; ହଦଗଡ ଡ୍ୟାମ୍‌ରେ ଜଳ ସଂକଟ!

79
????????????????????????????????????

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହଦଗଡ ଡ୍ୟାମ୍‌ର ଜଳ ସଂକଟ । ଭଦ୍ରକ ଜିଲାରେ ଚାଷ ଜମିକୁ ଜଳସେଚନର ମୁଖ୍ୟ ଉତ୍ସରେ ଏବେ ଆବଶ୍ୟକ ମୁତାବକ ପାଣି ନାହିଁ । କେବଳ ସେପ୍ଟେମ୍ବର ମାସ ପାଇଁ ଜଳ ମହଜୁଦ ଅଛି । ବର୍ଷା ନହେଲେ ଅକ୍ଟୋବରରୁ ଜଳ ଯୋଗାଣ ବନ୍ଦ ହେବ । ଉପର ମୁଣ୍ଡରେ ବର୍ଷା ଅଭାବରୁ ଡ୍ୟାମ୍‌ରେ ଜଳାଭାବ ଦେଖାଦେଇଛି । ଡ୍ୟାମ୍‌ରେ ଜଳ ସଂକଟ ସାଙ୍ଗକୁ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଚଳିତବର୍ଷ ଅଗଷ୍ଟ ମାସର ଆଜିସୁଦ୍ଧା ଜିଲାରେ ସାଧାରଣ ବୃଷ୍ଟିପାତ ୬୯୬.୫ ମିମି ରହିଥାଏ । ହେଲେ ବର୍ଷା ହୋଇଛି ୩୫୨.୦୯ ମିମି । ନିଅଣ୍ଟ ବର୍ଷାର ପରିମାଣ ୪୮.୦୪ ପ୍ରତିଶତ । ଏଭଳି ସ୍ଥିତିର ମୁକାବିଲା ପାଇଁ ଜଳସେଚନ ଉତ୍ସଗୁଡିକ ଚାଲୁ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ୟାମ୍‌ରେ ଜଳ ସଂକଟ ଦେଖାଦେବାର ସମ୍ଭାବନା ଯୋଗୁଁ ଜିଲାରେ ମରୁଡି ଏଡାଇ ଦିଆଯାଇନପାରେ । ପ୍ରକାଶଯୋଗ୍ୟ ଜିଲାରେ ଚଳିତ ଖରିଫ ଋତୁରେ ୧ ଲକ୍ଷ ୭୪ ହଜାର ୦୬୩ ହେକ୍ଟର ଜମିରେ ଚାଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି । ଏହାମଧ୍ୟରୁ ୧ ଲକ୍ଷ ୧୬ ହଜାର ୩୬୪ ହେକ୍ଟର ଜମିକୁ ବିଭିନ୍ନ ଜଳସେଚନ ଉତ୍ସରୁ ଜଳ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ଜଳସେଚନ ଉତ୍ସ ଗୁଡିକ ମଧ୍ୟରୁ ମୁଖ୍ୟ ସାଳନ୍ଦୀ ଜଳସେଚନ ପ୍ରକଳ୍ପ ଜରିଆରେ ୪୮ ହଜାର ୩୦୧ ହେକ୍ଟର ଓ ହାଇଲେବୁଲ କେନାଲ ମାଧ୍ୟମରେ ୧୯ ହଜାର ୪୫୩ ହେକ୍ଟର ଜମିକୁ ଜଳ ଯୋଗାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା । ହଦଗଡ ଡ୍ୟାମ୍‌ର ଜଳ ସଂକଟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଅନିଶ୍ଚିତତା ସୃଷ୍ଟି କରିଛି । ସାଳନ୍ଦୀ ଜଳସେଚନ ବିଭାଗର ସୂଚନା ଅନୁଯାୟୀ ଗତକାଲି ସକାଳ ୬ଟା ସୁଦ୍ଧା ହଦଗଡ ଡ୍ୟାମ୍‌ର ଜଳସ୍ତର ଥିଲା ୬୬.୯୦ ମିଟର ଅର୍ଥାତ୍ ଜଳ ଭଣ୍ଡାରରେ ୧୫ ହଜାର ୫୭୮ ହେକ୍ଟର ମିଟର ଜଳ ଗଚ୍ଛିତ ରହିଛି । ଡ୍ୟାମ୍‌ର ସର୍ବୋଚ୍ଚ ଜଳସ୍ତର ୮୨.୩୦ ମିଟର ଅର୍ଥାତ୍ ସର୍ବୋଚ୍ଚ ଜଳଧାରଣ କ୍ଷମତା ୫୫ ହଜାର ୬୫୦ ହେକ୍ଟର ମିଟର । ଅର୍ଥାତ୍ ଆଜିସୁଦ୍ଧା ଡ୍ୟାମ୍‌ରେ ମାତ୍ର ୨୮ ପ୍ରତିଶତ ଜଳ ଗଚ୍ଛିତ ରହିଛି । ଏବେ ଜଳ ଭଣ୍ଡାରକୁ ୧୪.୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ସେହି ପରିମାଣର ଜଳ ନିଷ୍କାସିତ ହେଉଛି । ଡ୍ୟାମ୍‌ର ଉପର ମୁଣ୍ଡରେ ଅର୍ଥାତ୍ ଠାକୁରମୁଣ୍ଡା, ଡଙ୍ଗାଢିହା, ବର୍ଷା ନଥିବାରୁ ଜଳ ଭଣ୍ଡାରରୁ ଗଚ୍ଛିତ ଜଳ ସୀମିତ ରହୁଛି । ଜଳସ୍ତର ବୃଦ୍ଧି ପାଉନାହିଁ । ହଦଗଡରେ ୦.୦୪ ମିମି ବର୍ଷା ହୋଇଛି । ଉପରମୁଣ୍ଡରେ ସାଧାରଣତଃ ୧୪୦୦ ମିମି ବର୍ଷା ହେବା ସ୍ଥଳେ ଚଳିତ ବର୍ଷ ମାତ୍ର ୭୧୪ ମିମି ବର୍ଷା ହୋଇଛି । ସାଳନ୍ଦୀ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କ ସୂଚନା ଅନୁଯାୟୀ ଏବେ ଜଳ ଭଣ୍ଡାରରେ ଯେତିକି ଜଳ ଗଚ୍ଛିତ ଅଛି, ତାହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଷ ଜମିକୁ ଜଳ ଯୋଗାଇ ପାରିବ । ଆସନ୍ତା ଦିନରେ ଉପର ମୁଣ୍ଡରେ ଆଶାନୁରୂପ ବର୍ଷା ନହେଲେ ଅକ୍ଟୋବର ମାସରୁ ଜଳ ଯୋଗାଣ ବନ୍ଦ ରହିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.