Home ଓଡ଼ିଶା ଚାଷୀହନ୍ତା ରାଜ୍ୟ ସରକାର ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଚାଷୀହନ୍ତା ରାଜ୍ୟ ସରକାର ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

42

ଆସନ୍ତା ଡିସେମ୍ବର ୧ତାରିଖରେ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରୁଡ଼ାନ୍ତ ରୂପରେଖ ପ୍ରସ୍ତୁତି ହେବ।

ଭୁବନେଶ୍ୱର, ତା ୨୭/୧୧ (ଓଡ଼ିଆ ପୁଅ) – ଓଡ଼ିଶାର ନବୀନ ସରକାର କେବଳ ଚାଷୀ ବିରୋଧୀ ନୁହନ୍ତି, ଚାଷୀ ହନ୍ତା ମଧ୍ୟ। ଚଳିତ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି। ଗତ ନଭେମ୍ବର ୧୬ ତାରିଖରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରର ଶାଳୀକୋଠା ଗ୍ରାମର ଚାଷୀ ଲକ୍ଷ୍ମୀ ନାରାୟଣ ଜେନା ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଚକଡ଼ା ପୋକ ତାଙ୍କ ୪ ଏକର ଧାନ କ୍ଷେତକୁ ନଷ୍ଟ କରି ଦେଇଥିଲା। ଏହି ଚାଷ ପାଇଁ ସେ ୨ ଲକ୍ଷ ଟଙ୍କା ଶତକଡ଼ା ମାସିକ ୪% ହାରରେ ଗାଁ ମହାଜନଠୁ ସୁଧରେ ଆଣିଥିଲେ। ଚାଷ ନଷ୍ଟ ହେବା ନେଇ ଏବଂ ଋଣ ସୁଝି ନ ପାରିବାର ଭୟ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ଠିକ୍ ଅନୁରୂପ ଭାବରେ ଚଳିତ ମାସ ୨୦ ତାରିଖରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଳକର ତୃଣବେଡ଼ା ଗାଁର ବିଭୂତି ଭୂଷଣ ସରକାର ମଧ୍ୟ ନିଜର ୨ ଏକର ପରିମିତ କୋବିଚାଷର ଫସଲ ଅଜଣା ପୋକ ଦ୍ୱାରା କ୍ଷତି ଗ୍ରସ୍ତ ହେବା ଏବଂ ୨ ଲକ୍ଷ ଟଙ୍କାର ଋଣବୋଝ ଦ୍ୱାରା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପରିଣାମଦର୍ଶୀ କୃଷିନୀତି ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରି ଚାଲିଛନ୍ତି ଏବଂ ସେଥିପାଇଁ ରାଜ୍ୟର ନବୀନ ସରକାର ଚାଷୀ ହତ୍ୟାକାରୀ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କଡ଼ା ସମାଲୋଚନା କରିଛନ୍ତି। ଏହି ଆତ୍ମହତ୍ୟା କରିଥିବା ସମସ୍ତ ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।
ବିଧାନସଭାରେ ସର୍ବଦଳୀୟ ପ୍ରସ୍ତାବ ପାରିତ କରି ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରି କେନ୍ଦ୍ରକୁ ପତ୍ର ପଠାଇଥିଲେ। ରାଜ୍ୟ ସରକାର କେନ୍ଦ୍ରକୁ ଏହି ପତ୍ରଟି ପଠାଇ ଦେଇ ଚୁପ୍ ହୋଇ ବସିବା ଏକ ହାସ୍ୟାସ୍ପଦ। ଯଦି ଚାଷୀମାନଙ୍କ ପ୍ରତି ପ୍ରକୃତ ସମ୍ବେଦନଶୀଳତା ଥାଏ, ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସରକାରଙ୍କ ଭଳି ଧାନ କିଣାରେ ପ୍ରତି କ୍ୱିଣ୍ଟାଲରେ ଅତିରିକ୍ତ ସହାୟତା ଦେଇ ଓଡ଼ିଶା ସରକାର ଚାଷୀମାନଙ୍କଠୁ ୨୯୩୦ ଟଙ୍କାରେ ନିଜେ ଧାନ କିଣି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଦାବି କରିଛନ୍ତି। ଏହା ସହିତ ରାଜ୍ୟର ସମସ୍ତ ଚାଷୀଙ୍କଠାରୁ ସବୁ ଖରିଫ୍ ଧାନ କିଣିବା ପାଇଁ ନିର୍ଦ୍ଧାରିତ ସମୟରେ ବ୍ୟବସ୍ଥିତ ଢଙ୍ଗରେ ତୁରନ୍ତ ମଣ୍ଡି ଖୋଲିବା, ପୂର୍ବ ବର୍ଷ ଭଳି କୌଣସି ଏକ ଚାଷୀଙ୍କ ଟୋକନ ଲାପ୍ସ ନ କରିବା, କଟଣୀ ଛଟଣୀ ବନ୍ଦ କରିବା, ପରିବହନ ଖର୍ଚ୍ଚ ଓ ଅଖାର ଦାମ୍ ଚାଷୀଙ୍କୁ ଦେବା ପାଇଁ ସେ ଦାବି କରିଛନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟର ଲକ୍ଷ ଲକ୍ଷ ଭାଗଚାଷୀମାନଙ୍କର ସୁରକ୍ଷା ପାଇଁ ଆଇନ ସରକାର ଆଣିଲେ ନାହିଁ। ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ନ ନେବା ଭାଗଚାଷୀମାନଙ୍କ ପ୍ରତି କ୍ରୁର ପରିହାସ। କାଳିଆ, ବଳିଆର ପ୍ରହେଳିକାରୁ କ୍ଷାନ୍ତ ରହି ଚାଷୀ କୂଳର ପ୍ରକୃତ ସମସ୍ୟାପ୍ରତି ସରକାର ଧ୍ୟାନ ନ ଦେବା ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ଏମ.ଏସ୍‌.ପିର ଆଇନଗତ ବ୍ୟବସ୍ଥା, ପ୍ରଚଳିତ ଏମ.ଏସ୍‌.ପିର ବୃଦ୍ଧି, ଚକଡ଼ା ପୋକ ଓ ଅଦିନିଆ ବର୍ଷାଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଚ୍ଛା ୨୦ ହଜାର ଟଙ୍କା ଆର୍ôଥକ ସହାୟତା, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ଭାଗଚାଷୀ ସୁରକ୍ଷାର ଆଇନ ପ୍ରଣୟନ, ଅଣଧାନ ଚାଷର ଅଭିବୃଦ୍ଧି, ସମସ୍ତ ଚାଷୀଙ୍କୁ ଚାଷୀ ପରିଚୟ ପତ୍ର ପ୍ରଦାନ, ଆଳୁ ପିଆଜ ଓ ଅନ୍ୟ ପନିପରିବା ଓ ଫୁଲ ଚାଷର ବ୍ୟାପକତା ପାଇଁ ତୁରିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
ଚାଷୀମାନଙ୍କର ଉପରୋକ୍ତ ସମସ୍ୟାଗୁଡ଼ିକୁ ନେଇ ଆଗାମୀ ଦିନରେ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ କଂଗ୍ରେସ ଆୟୋଜନ କରିବ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ଦାସ କହିଥିବା ବେଳେ ଏଥିପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯିବ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ପ୍ରତି ଅଣଦେଖାକୁ ପ୍ରତିବାଦ କରାଯିବା ପାଇଁ ଏହି ବୈଠକରେ ଆନ୍ଦୋଳନର ରୂପରେଖ ଚୁଡ଼ାନ୍ତ ହେବ ବୋଲି ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.