Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ୍ ବିଜେଡି ରାଜନୀତି, ପାଞ୍ଚ ଜିଲା ପରିଷଦ ଜୋନ୍ ଟିକଟ ଚୟନ ଶେଷ

ଚାନ୍ଦବାଲି ବ୍ଲକ୍ ବିଜେଡି ରାଜନୀତି, ପାଞ୍ଚ ଜିଲା ପରିଷଦ ଜୋନ୍ ଟିକଟ ଚୟନ ଶେଷ

74

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୨୦୧୭ ଭଳି ୨୦୨୨ ପଂଚାୟତ ନିର୍ବାଚନରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଟିକଟ ଘୋଷଣାରେ ଆଗରେ ରହିବାକୁ ପ୍ରସ୍ତୁତି ଶେଷ ହୋଇଛି। ଭଦ୍ରକ ଜିଲା ପରିଷଦଟି ୨୮ଟି ଆସନ ବିଶିଷ୍ଟ। ଏଥିରୁ ଚାନ୍ଦବାଲି ବ୍ଲକ୍‌ରେ ୫ଟି ଜିଲା ପରିଷଦ ଜୋନ୍ ରହିଛି। ୨୦୧୭ ପଂଚାୟତ ନିର୍ବାଚନରେ ୫ଟି ଯାକ ଆସନକୁ ବିଧାୟକ ବ୍ୟୋମକେଶ ରାୟ ଦଖଲ କରିଥିବାବେଳେ ୨୦୨୨ ପାଇଁ ସଜବାଜ ହେଉଛନ୍ତି। ଏହି ମର୍ମରେ ଆପତତଃ ସ୍ଥିର ହୋଇଥିବା ଆଶାୟୀଙ୍କ ମଧ୍ୟରୁ ୫ ଆସନ ପାଇଁ ୭ ଜଣଙ୍କ ନାମ ଏବେ ଚୂଡାନ୍ତ ଅବସ୍ଥାରେ ରହିଛି। ଚାନ୍ଦବାଲି ବ୍ଲକ୍‌ର ୧ନଂ ଜିଲା ପରିଷଦ ଜୋନ୍‌, ଯାହାକି ଆରଡି, ଓଳଗ, ଖେରଙ୍ଗ, ଘଟପୁର, ନାନ୍ଦପୁର, ମାଧପୁର, ଭୂଇଁବୃତ୍ତି ଓ ସୁନ୍ଦରପୁର ପଂଚାୟତ ରହିଛି। ଏହି ଆସନରେ ପ୍ରିନସ୍ ରାକେଶ ନାୟକଙ୍କୁ ଟିକଟ ଦେବା ଏକ ପ୍ରକାର ସ୍ଥିର ହୋଇଛି। ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ଥିବା ପ୍ରିନସ୍ ରାକେଶ ନାୟକ ଭୂଇଁବୃତ୍ତି ପଂଚାୟତକୁ ମଧ୍ୟ ନିଜ ଭଉଣୀଙ୍କୁ ସମିତିସଭ୍ୟ କରାଇ ୨୦୧୭ ରୁ ଦଖଲ କରିଛନ୍ତି। ତେଣୁ ବିଧାୟକଙ୍କ ପାଖ ଲୋକ ଭାବେ ପରିଚିତ ଏହି ଯୁବନେତାଙ୍କ ୧ନଂ ଜିଲା ପରିଷଦ ଜୋନ୍ ଟିକେଟ୍ ଦିଆଯାଉଛି। ସେହିପରି ୨ନଂ ଜିଲା ପରିଷଦ ଜୋନ୍ ଭାବେ ପରିଚିତ ଉତୁକୁଡା, ଜଳେଶ୍ୱରପୁର, ନାଲଗୁଣ୍ଡା, ବିଜୟନଗର, ଭାଟପଡା, ମଉସୁଧା, ମତୋ ଓ ମହୁଲିଆ ଭଳି ପଂଚାୟତ ଅଛି। ଏହି ଜୋନ୍‌ରୁ ଚର୍ଚ୍ଚିତ ଚେହେରା ରଂଜନ ସାହୁଙ୍କୁ ଟିକେଟ ଦିଆଯାଉଛି। ଚାନ୍ଦବାଲି ପଂଚାୟତ ସମିତିରେ ବର୍ତ୍ତମାନ ଚେୟାରମେନ୍ ଥିବା ମାନସୀ ସାହୁଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ଓ ରାଜନେତା ରଂଜନ ସାହୁଙ୍କ ଉପରେ ବିଧାୟକ ଏହି ବର ଦେଇଛନ୍ତି।

ଏହି ଦୁଇଟି ଜୋନ୍ ଅଣସଂରକ୍ଷିତ ପଦବୀରେ ସାମିଲ ହୋଇଛି। ସେହିପରି ୩ନଂ ଜୋନ୍ ଭାବେ ପରିଚିତ ଓରାସାହି, କାଣ୍ଡଗରଡି, ଚରଦିଆ, ତେନ୍ତୁଳିଡିହ ଓ ବଡଓସ୍ତିଆ ଭଳି ୫ଟି ପଂଚାୟତକୁ ନେଇ ଗଠିତ ଏହି ଜୋନ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଏହି ଜୋନ୍‌ରେ ଓରାସାହିର ସମିତିସଭ୍ୟ ଗୀତାଞ୍ଜଳି ଦାସଙ୍କୁ ଟିକଟ ଦେବା ସ୍ଥିର ହୋଇଛି। ଚାନ୍ଦବାଲି ବ୍ଲକ୍ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ମାନସୀ ପାଢୀ ଓ ଭାଟପଡା ସରପଞ୍ଚ ମଂଜୁଲତା ବାରିକ ଏହି ଜୋନ୍ ପାଇଁ ଆଶାୟୀ ଅଛନ୍ତି। ସେହିପରି ୪ନଂ ଜୋନ୍ ଭାବେ ପରିଚିତ ଖଦାଳ ପୋଖରୀ, ଗୋପୀନାଥପୁର, ତୋଟାପଡା, ନଳଗୋହିରା, ନୂଆଗାଁ, ବଜରାପୁର, ବାଁଶଡା ଓ ଯଶିପୁର ପଂଚାୟତକୁ ନେଇ ଗଠିତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ତେଣୁ ଏହି ଜୋନ୍‌ରେ ସ୍ମରଣିକା ସୌମ୍ୟଦର୍ଶନୀ ବଳ ନାରୀନେତ୍ରୀଙ୍କୁ ଏହି ଜୋନ୍‌ରୁ ଜିଲ୍ଲା ପରିଷଦ ଟିକଟ ଦେବାକୁ ସ୍ଥିର ହୋଇଛି। ଏହି ଜୋନ୍‌ର ବର୍ତ୍ତମାନ ଜିଲା ପରିଷଦ ସଭ୍ୟ ବାବୁଲି ଦୀକ୍ଷିତ ତାଙ୍କ ନାମ ବିଧାୟକଙ୍କୁ ସୁପାରିଶ କରିଛନ୍ତି। ଶ୍ରୀମତୀ ବଳଙ୍କୁ ଟିକଟ ଦେବା ସହ ଜିତାଇବା ପାଇଁ ବିଧାୟକ ରଣନୀତି ପ୍ରସ୍ତୁତ କରିଛନ୍ତି। ସେହିପରି ୫ନଂ ଜୋନ୍‌ରେ କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ, ଜାଗୁଳା, ଦୋସିଙ୍ଗା, ଧାମରା ଓ ପଂଚୁଟିକ୍ରୀ ଭଳି ୭ଟି ପଂଚାୟତ ରହିଛି। ନଈ ସେପାରି ଧାମରା ଏରିଆରେ ଏହି ୭ଟି ପଂଚାୟତ ଦୀର୍ଘଦିନ ହେଲା ବିଜେଡି କବଜାରେ ରହିଛି। ଏହି ଜୋନ୍‌ରୁ ଦୁଇ ଦୁଇ ଥର ଜିଲା ପରିଷଦ ହୋଇଥିବା ବଳଭଦ୍ର ଲେଙ୍କାକୁ ପୁଣି ଥରେ ଟିକଟ ଦେବାକୁ ସ୍ଥିର ହୋଇଛି। ପଂଚୁଟିକ୍ରୀ ପଂଚାୟତରେ ପୂର୍ବତନ ସରପଞ୍ଚ ଅନୀଲ ନାୟକ ଏବେବି ଟିକଟ ନେବାକୁ ଆଶାୟୀ। ମୋଟାମୋଟି ଭାବେ ୫ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଥିବାବେଳେ ଆସନ୍ତା ରବିବାର ଆନୁଷ୍ଠାନିକ ଭାବେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଧାୟକ ଘୋଷଣା କରିବାକୁ ଯାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.