ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ (ଏସଆଇଓଏସ୍), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ପରିଚାଳିତ ଏକ ପ୍ରମୁଖ ଶିକ୍ଷା ବୋର୍ଡ୍। ଅଧାରୁ ପାଠଛାଡ଼ି ଦେଇଥିବା କିମ୍ବା ମ୍ୟାଟ୍ରିକ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁନଃ ପାଠପଢ଼ାର ସୁଯୋଗ ଦେବା ଏହି ସ୍କିମ୍ର ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଏସଆଇଓଏସ୍ ଷ୍ଟଡି ସେଂଟର୍ କାର୍ଯ୍ୟରତ ଥିବା ବେଳେ, ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦାଖା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏକ ଷ୍ଟଡି ସେଂଟର୍ ଚାଲୁ ଅଛି। ଏହି କେନ୍ଦ୍ର ମାଧ୍ୟମରେ ବର୍ତମାନ ସୁଦ୍ଧା ୮୦ ଜଣ ଛାତ୍ରଛାତ୍ରୀ ପୁନର୍ବାର ପାଠପଢ଼ାରେ ଯୋଡ଼ି ହୋଇଥିବା ଜଣାପଡ଼ିଛି। ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଥିବା ବେଳେ, ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏସଆଇଓଏସ୍ ସ୍କିମ୍ ସହ ଯୋଡ଼ିବା ଉଦ୍ଦେଶ୍ୟରେ ଦାଖା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମେଗା ଯୋଗଦାନ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜ, ଏବିଓ ଅନିତା ମିଶ୍ର, ତ୍ରିପୁରା ପଲାଇ,ଶାନ୍ତନୁ କୁମାର କୁମ୍ଭକାର,ଶିକ୍ଷୟିତ୍ରୀ ସ୍ମିତାରାଣୀ ମଲ୍ଲିକ୍ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ସହ ବହୁ ଛାତ୍ରଛାତ୍ରୀ ଯୋଗଦେଇ, ଆଗାମୀ ଦିନରେ କିପରି ଅଧିକରୁ ଅଧିକ ପିଲା ଏସଆଇଓଏସ୍ ମାଧ୍ୟମରେ ପାଠପଢ଼ାରେ ଫେରିପାରିବେ, ସେନେଇ ଆଲୋଚନା କରିଥିଲେ।








