ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ସୋମବାରରୁ ଧାନ କ୍ରୟ କାର୍ଯ୍ୟରତ ହେବା ପରେ, ବୁଧବାର ଚାନ୍ଦବାଲି ଓ ଭାଟପଡା ସେବା ସମବାୟ ସମିତିରେ କଂଟା ପୂଜା କରାଇ ଆନୁଷ୍ଠାନିକ ଭାବରେ ଧାନ କ୍ରୟ ଆରମ୍ଭ କରାଯାଇଛି। ଚାନ୍ଦବାଲି ଧାନ ମଣ୍ଡିର ଉଦ୍ଘାଟନ କରିଥିଲେ ତହସିଲଦାର ଭବତୋଷ ମଲ୍ଲିକ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଏବଂ ଜିଲ୍ଲା ଧାନ କିଣା କମିଟି ସଦସ୍ୟ ଉପେନ୍ଦ୍ର ରାଉଳ, ଆରଏମସି ସମ୍ପାଦକ ନିରଞ୍ଜନ ମାଝୀ, ବୋର୍ଡ ସଭାପତି ମନୋରଞ୍ଜନ ସାହୁ, ସମ୍ପାଦକ ଅଜୟ ପଳେଇ, ଜଗନ୍ନାଥ ରାଉତ, କାଁହୁ ବେହେରା ଓ ବିଜୟ କୁମାର ବେହେରା ପ୍ରମୁଖ। ସେହିପରି, ଭାଟପଡା ସେବା ସମବାୟ ସମିତିର ଧାନ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପରସ୍ଥ ଅଧିକାରୀମାନଙ୍କ ସହ ଚାନ୍ଦବାଲି ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଗୁରୁପ୍ରସାଦ ମିଶ୍ର, ବୋର୍ଡ ସଭାପତି ମାନସ ବାରିକ, ସମ୍ପାଦକ ଗୌରହରୀ ନାୟକ, ପୂର୍ବତନ ସରପଂଚ ପ୍ରଭାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସରକାର ନିର୍ଦ୍ଧାରିତ ଏଫଏକ୍ୟୁ ମାନଙ୍କ ଅନୁଯାୟୀ ପ୍ରତି କ୍ୟୁଂଟାଲ ଧାନ ପାଇଁ ୩୧୦୦ ଟଙ୍କା ଦରରେ ଧାନ କ୍ରୟ କରାଯିବା ସହ ଚାଷୀମାନଙ୍କୁ ସିଧାସଳଖ ସମିତି ମାଧ୍ୟମରେ ଧାନ ବିକ୍ରୟ ସୁବିଧା ଯୋଗାଇଦିଆଯିବ ବୋଲି ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ଉଭୟ ସମିତିର ଚାଷୀମାନେ ଏବଂ କମିଟି ସଦସ୍ୟମାନେ ଯୋଗଦେଇଥିଲେ।







