Home ଜିଲ୍ଲା ପରିକ୍ରମା ଚାନ୍ଦବାଲିର ଶୀତଳପୁର ଗାଁରେ କୁମ୍ଭୀର ଆତଙ୍କ, ବିଦ୍ୟାଳୟକୁ ଯାଉନାହାଁନ୍ତି ଛାତ୍ରଛାତ୍ରୀ, ସଂଜରେ ନଦୀବନ୍ଧକୁ ଯିବାରେ ବାରଣ

ଚାନ୍ଦବାଲିର ଶୀତଳପୁର ଗାଁରେ କୁମ୍ଭୀର ଆତଙ୍କ, ବିଦ୍ୟାଳୟକୁ ଯାଉନାହାଁନ୍ତି ଛାତ୍ରଛାତ୍ରୀ, ସଂଜରେ ନଦୀବନ୍ଧକୁ ଯିବାରେ ବାରଣ

62

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ଶୀତଳପୁର ଗାଁରେ ଏବେ କୁମ୍ଭୀର ଆତଙ୍କ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳାଇ ଦେଇଛି । ଏପରିକି କୁମ୍ଭୀର ଭୟରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯିବାକୁ ଅମଙ୍ଗ ହେଉଛନ୍ତି । ଏ ସଂପର୍କରେ ଯାହା ଜଣାଯାଏ ଏହି ଶୀତଳପୁର ଗାଁ ଦେଇ ପ୍ରବାହିତ ହୋଇଛି ସାଳନ୍ଦୀ ନଦୀ । ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଖାଦ୍ୟ ଅନ୍ୱେଷଣରେ ୧୫-୧୬ ଫୁଟ ଲମ୍ବର ହିଂସ୍ର କୁମ୍ଭୀର ମାନେ ନଦୀରେ ବିଚରଣ କରୁଛନ୍ତି । ଅନେକ ସମୟରେ ନଦୀକୂଳରେ ଛପି ଶୀକାର ପାଇଁ ଶୋଇ ରହୁଥିବାର ଦେଖାଯାଇଛି । ବିଶେଷକରି ନଦୀବନ୍ଧ ରାସ୍ତା ଦେଇ ପ୍ରତିଦିନ ଗ୍ରାଁରେ ଥିବା ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯାଉଥିବାବେଳେ ଗାଁ ଲୋକେ ମନ୍ଦିର ଓ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟତ କରିଥାନ୍ତି । ଏଥିସହ ଏହି ଗାଁରେ ପାନୀୟ ଜଳ ସମସ୍ୟା ରହିଥିବାରୁ ନଦୀଜଳ ଉପରେ ସ୍ଥାନୀୟ ଲୋକେ ନିର୍ଭର କରିଥାନ୍ତି । କିନ୍ତୁ ସକାଳ ସଂଜ ପର୍ଯ୍ୟନ୍ତ ଏହି ନଦୀ ଏବେ ଏକାଧିକ କୁମ୍ଭୀରଙ୍କ କବଜାରେ ରହିଥିବାରୁ ନଦୀବନ୍ଧ ଦେଇ ଯିବାପାଇଁ ସମସ୍ତେ ଭୟ କରୁଛନ୍ତି ।

ନଦୀକୂଳରେ ବସବାସ କରୁଥିବା ୧୦ ରୁ ଉର୍ଦ୍ଧ୍ୱ ପରିବାର ଲୋକେ ଦିନବେଳା ସିନା ଯେନତେନ ପ୍ରକାର ନିଜର କାର୍ଯ୍ୟ ତୁଲାଇ ଦେଉଛନ୍ତି, ହେଲେ ଅନ୍ଧାର ହେଲେ ଭୟରେ ଜୀବନ ବିତାଉଛନ୍ତି । ଗତ ଦୁଇଦିନ ହେବ ଏହି ନଦୀରେ ବିଶାଳକାୟ ଦୁଇଟି କୁମ୍ଭୀରକୁ ଦେଖିବା ପରେ ଗାଁ ଲୋକଙ୍କ ମନରେ ଛନକା ପଶିଛି । ପୂର୍ବରୁ କୁମ୍ଭୀର ଭୟ ଏଡାଇବା ସହ ସୁରକ୍ଷିତ ଯାତାୟତ ପାଇଁ ଗାଁ ଲୋକେ ଚାନ୍ଦା କରି ନଦୀକୂଳରେ ଜାଲ ବାନ୍ଧିଥିଲେ । ମାତ୍ର ଗତ କିଛିମାସ ତଳେ ନଦୀର ସୁରକ୍ଷା ବନ୍ଧ ସାଳନ୍ଦୀ ନଦୀକୁ ଧସିଯିବା ଫଳରେ ବନ୍ଧା ହୋଇଥିବା ଜାଲ ନଦୀ ମଧ୍ୟକୁ ଚାଲିଯାଇଛି । ଜଳସେଚନ ବିଭାଗ ପକ୍ଷରୁ ମାଟି ପଥର ପକାଯାଇ ବନ୍ଧଟିକୁ ସୁଦୃଢୀକରଣ କରାଯାଉଥିଲେ ମଧ୍ୟ ବନଖଣ୍ଡ ବିଭାଗ ପକ୍ଷରୁ କୁମ୍ଭୀରଙ୍କ ପ୍ରତିକାର ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ । ଏହି କୁମ୍ଭୀର ଆତଙ୍କକୁ ନେଇ ବନଖଣ୍ଡ ବିଭାଗ ପକ୍ଷରୁ ନାଁ ଅଛି ସୂଚନା ଫଳକ, ନା ଅଛି ସୁରକ୍ଷିତ ଯାତାୟତ ବାଡ । ଫଳରେ ହିଂସ୍ର କୁମ୍ଭୀର ଗୁଡିକର ପାଟିରେ କେତେବେଳେ ଗୃହପାଳିତ ପଶୁ ବଳିପଡୁଛନ୍ତି ତ କେତେବେଳେ ନଦୀପଠାରେ ଛକି ରହିଥିବା ଏହି ନରଭକ୍ଷି ମଣିଷଙ୍କୁ ଝାମ୍ପି ନେଉଛି । ବନଖଣ୍ଡ ବିଭାଗ ନିକଟରେ ବହୁବାର ଏ ସଂପର୍କରେ ଅଭିଯୋଗ କରାଯାଉଥିଲେ ମଧ୍ୟ ତାହା ପାଣିର ଗାର ହୋଇଛି । ତେଣୁ ଏ ଦିଗରେ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.