Home ଜିଲ୍ଲା ପରିକ୍ରମା ଚଳିତ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ବ୍ୟାପକ ଅନିୟମିତତା ଅଭିଯୋଗ, ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଚଳିତ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ବ୍ୟାପକ ଅନିୟମିତତା ଅଭିଯୋଗ, ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

3

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା ଏବେ ବିବାଦ ଘେରରେ। ଗତ ଦୁଇ ବର୍ଷ ଧରି ମୂଲ୍ୟାଙ୍କନରେ ସ୍ୱଚ୍ଛତା ରହୁନଥିବା ନେଇ ଅଭିଭାବକ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। କିଛି ନିର୍ଦ୍ଧିଷ୍ଟ ଶିକ୍ଷକ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଥିବା ଅଭିଯୋଗ ହେଉଛି। ଧାମନଗର ଅଂଚଳର ଜଣେ ପ୍ରଶିକ୍ଷକ ଙ୍କ ସୂଚନା ଅନୁଯାୟୀ, ଗତ ଦଶ ବର୍ଷ ଧରି କିଛି ନିର୍ଦ୍ଧିଷ୍ଟ ଶିକ୍ଷକ ଓ ଶିକ୍ଷୟତ୍ରୀ ମୂଲ୍ୟାଙ୍କନ କାର୍ଯ୍ୟରେ ଏକଚାଟିଆ ପ୍ରଭାବ ବିସ୍ତାର କରିଛନ୍ତି। ଅନୈତିକ ଅର୍ଥ କାରବାର ମାଧ୍ୟମରେ କିଛି ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ଦିଆଯାଉଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଉଠିଥିଲା। ବିଶେଷ କରି କେନ୍ଦ୍ରାପଡ଼ାର ଜଣେ ପ୍ଲମ୍ବର ଟ୍ରେଡ ପ୍ରଶିକ୍ଷକ ଙ୍କ ନାମରେ ଗତବର୍ଷ ମାର୍କ ବଂଟନ ସମ୍ପର୍କିତ ଖାତା ଭାଇରାଲ ହୋଇଥିଲେ ସୁଦ୍ଧା, ବୋର୍ଡ କର୍ତୃପକ୍ଷ ତାଙ୍କୁ ଚଳିତ ବର୍ଷ ପୁନର୍ବାର ମୂଲ୍ୟାଙ୍କନ ଦାୟିତ୍ୱ ଦେବା ସନ୍ଦେହକୁ ଦ୍ୱିଗୁଣିତ କରିଛି। ଅଭିଯୋଗ ଅନୁସାରେ, ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଏବଂ ସମ୍ବଲପୁରର ଜଣେ ମହିଳା ପ୍ରଶିକ୍ଷିକା ଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ମହିଳା ପ୍ରଶିକ୍ଷିକା ଙ୍କ ପ୍ରଭାବରେ ଅନ୍ୟ ସାଧାରଣ ପ୍ରଶିକ୍ଷକ ମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି। କଥା କଥାରେ ଅନ୍ୟମାନଙ୍କୁ ଧମକ ଚମକ ଦେବା ସହ ନିଜ ପସନ୍ଦର ବ୍ୟକ୍ତିମାନଙ୍କୁ ନେଇ ଗୁପ୍ତ ସଭା କରିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।କଟକ ବୋର୍ଡ ଅଫିସ ନିକଟସ୍ଥ ଜିଲ୍ଲା ଯଥା- ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ଢେଙ୍କାନାଳରେ ଅନେକ ଦକ୍ଷ ପ୍ରଶିକ୍ଷକ ଥିବା ସତ୍ୱେ, ସେମାନଙ୍କୁ ଅଣଦେଖା କରାଯାଇଛି। ବୋର୍ଡ କର୍ତୃପକ୍ଷ ପ୍ରାୟ ୪୦୦ କିଲୋମିଟର ଦୂର ସମ୍ବଲପୁର ଓ କଳାହାଣ୍ଡି ଭଳି ଅଂଚଳରୁ ପ୍ରଶିକ୍ଷକମାନଙ୍କୁ ଡକାଇ ସରକାରୀ ଅର୍ଥର ଅପବ୍ୟୟ କରୁଛନ୍ତି। ବିଶେଷ କରି ରିଟେଲ, ଟୁରିଜିମ୍‌, ପ୍ଲମ୍ବର ଏବଂ ଆଇଟିଟ୍ରେଡ୍ ଗୁଡ଼ିକରେ ବ୍ୟାପକ ଆର୍ôଥକ ଅନିୟମିତତା ହେଉଥିବା ସୂଚନା ମିଳିଛି। ପୂର୍ବରୁ ନିହାର ମହାନ୍ତିଙ୍କ ଭଳି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପାଇଁ ବୋର୍ଡ ବଦନାମ ହୋଇଥିବା ବେଳେ, ଏବେ ସେକ୍ରେଟାରୀ ଓ ନିର୍ଦ୍ଧିଷ୍ଟ ମହିଳା ପ୍ରଶିକ୍ଷିକାଙ୍କ ଯୋଗୁଁ ବୋର୍ଡର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମ୍ବେଦନଶୀଳ ମାମଲାରେ ବୋର୍ଡ ସଭାପତି ତୁରନ୍ତ ହସ୍ତକ୍ଷେପ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି। ଅପର ପକ୍ଷେ ଛାତ୍ର ଛାତ୍ରୀ ଙ୍କ ଖାତା କିପରି ବାହାର କୁ ଆସିଲା ତାହା ତଦନ୍ତ ହେବାର ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.