Home ଜିଲ୍ଲା ପରିକ୍ରମା ଚଳିତମାସ ୨୮ତାରିଖରୁ ୩ ଦିନ ଧରି ଅନୁଷ୍ଠିତ ହେବ ତ୍ୟାଗଭୂମି ମହୋତ୍ସବ: ଚୂଡ଼ାନ୍ତ ଖସଡ଼ା ପ୍ରସ୍ତୁତ

ଚଳିତମାସ ୨୮ତାରିଖରୁ ୩ ଦିନ ଧରି ଅନୁଷ୍ଠିତ ହେବ ତ୍ୟାଗଭୂମି ମହୋତ୍ସବ: ଚୂଡ଼ାନ୍ତ ଖସଡ଼ା ପ୍ରସ୍ତୁତ

23

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକୀୟ ଅସ୍ମିତାର ପ୍ରତୀକ ଜିଲ୍ଲା ମହୋତ୍ସବର ଆଦ୍ୟସୌରଭ ତ୍ୟାଗଭୂମି ମହୋତ୍ସବ ଚଳିତମାସ ୨୮, ୨୯ ଓ ୩୦ ତାରିଖ ୩ଦିନ ଧରି ଭଦ୍ରକ ଟାଉନହଲ୍ ପରିସରରେ ଅନୁଷ୍ଠିତ ହେବ । ଏଥିନିମନ୍ତେ ଆଜି ପୂର୍ବାହ୍ଣରେ ଜଗନ୍ନାଥପୁର ସ୍ଥିତ ତ୍ୟାଗଭୂମି କାର୍ଯ୍ୟାଳୟରେ ସମ୍ମେଳନର ସଂଗଠନ ସମ୍ପାଦକ ସୁଧାକର ରାଉତଙ୍କ ପୌରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ତ୍ୟାଗଭୂମିର ସଭାପତି ଅଜୟ ନାୟକ ସୂଚନା ଦେଇ କହିଲେ ଯେ ଓମିକ୍ରନ କଟକଣାର ଆଶଙ୍କା ଥିବାରୁ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ କୋଭିଡ୍ ଗାଇଡ଼ଲାଇନ ମାନି ଏହି ମହୋତ୍ସବ ଅନୁଷ୍ଠିତ ହେବ ଓ ଏହାକୁ ୭ ଦିନ ପରିବର୍ତ୍ତେ ମାତ୍ର ୩ ଦିନ ଲାଗି ପାଳନ କରାଯିବ । ମହୋତ୍ସବରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ ନାହିଁ । କେବଳ ସୀମିତ ବୁଦ୍ଧିଜୀବୀ ଜନସାଧାରଣଙ୍କୁ ନେଇ ଏହାର ପ୍ରତି ସନ୍ଧ୍ୟାରେ ବୌଦ୍ଧିକ ଓ ସାରସ୍ୱତ ସମାବେଶ ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ଦିବସରେ ରକ୍ତତୀର୍ଥ ଇରମ୍ ଓ ଶହୀଦପୀଠ ଲୁଣିଆ ସ୍ମୃତିରେ ଆସୁଥିବା ମଶାଲ ଶୋଭାଯାତ୍ରାକୁ ମୋଟର ସାଇକେଲରେ ସହର ପରିକ୍ରମା ପୂର୍ବକ ମହୋତ୍ସବ ସ୍ଥଳୀରେ ସ୍ଥାପନ କରାଯିବ । ଭଦ୍ରକର ଜିଲ୍ଲାପାଳ ତ୍ରିଲୋଚନ ମାଝି ଏହାକୁ ଉଦ୍‌ଘାଟନ କରିବେ । ପ୍ରଥମ ଦିବସର ତ୍ୟାଗଭୂମି ମଞ୍ଚରେ ‘କବିତାରେ ଦେଶକଥା ଓ ଭଦ୍ରକୀୟ କାବ୍ୟଭୂମି’ ଉପରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରଫେସର ଡକ୍ଟର ଗୋଲକବିହାରୀ ସାହୁ ପୌରୋହିତ୍ୟ କରିବେ ।

ମୁଖ୍ୟ ଅତିଥି ଭାବେ ପ୍ରଫେସର କମଳାକାନ୍ତ ବିଶ୍ୱାଳ ଓ ମୁଖ୍ୟବକ୍ତା ଭାବେ ଡକ୍ଟର ମନ୍ମଥ କୁମାର ପ୍ରଧାନ ଯୋଗଦେଇ ବିଷୟଭିତ୍ତିକ ବକ୍ତବ୍ୟ ଉପସ୍ଥାପନ କରିବେ । ସେହିପରି ଦ୍ୱିତୀୟ ଅପରାହ୍ଣର ‘କାନ୍ତକବି ମଞ୍ଚ’ରେ ‘ମହାମାରୀ ଓ ଆମ ଶିକ୍ଷା-ଶିକ୍ଷକ-ଶିକ୍ଷାୟତନ’ ଶୀର୍ଷକ ସ୍ମାରକୀ ବକ୍ତୃତାରେ ପ୍ରଫେସର ରାଜକିଶୋର ସାହୁ ପୌରୋହିତ୍ୟ କରିବେ । ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଡକ୍ଟର କୁମରବର ଦାସ ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଡ. କମଳା ପ୍ରସାଦ ମହାପାତ୍ର ଯୋଗଦେବେ । ସେହିପରି ଉଦ୍‌ଯାପନୀ ସମାରୋହର ‘ଜାତୀୟକବି ବାଞ୍ଛାନିଧି ମଞ୍ଚ’ରେ ‘ନିଶାର ଜହରରେ ଆମ ଗାଁ ଓ ସହର’ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ବିଶିଷ୍ଟ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଓ ଜିଲ୍ଲା ଅତିରିକ୍ତ ପୁଲିସ୍ ଅଧୀକ୍ଷକ ଯତୀନ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବିଷୟଭିତ୍ତିକ ବକ୍ତୃତା ପ୍ରଦାନ କରିବେ । ମହୋତ୍ସବର ବିଭିନ୍ନ ଦିବସରେ ଡକ୍ଟର ଅଭୟ କୁମାର ଦାସଙ୍କ ଗବେଷଣାଗ୍ରନ୍ଥ ‘ଲୋକସମାଜ ଓ ଲୋକ ସାହିତ୍ୟ’, ପ୍ରାବନ୍ଧିକ ଉମାକାନ୍ତ ମିଶ୍ରଙ୍କ ସମାଲୋଚନା ଗ୍ରନ୍ଥ ‘ଉତ୍ତରାୟଣ’, କବୟତ୍ରୀ ଗୀତାରାଣୀ ଆଇଚଙ୍କ ଅନୁବାଦ ପୁସ୍ତକ ‘ଈଶ୍ୱର ଓ ନାରୀ ଏବଂ ଅନ୍ୟାନ୍ୟ’, କବୟତ୍ରୀ ଡ. ପ୍ରଭାତନଳିନୀ ମହାପାତ୍ରଙ୍କ କବିତା ସଂକଳନ ‘ସବୁକିଛି ଆପଣାର’ ତଥା ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ସମ୍ପାଦନାରେ ପ୍ରକାଶିତ ‘ତ୍ୟାଗଭୂମିର କବି ଓ କାବ୍ୟଦିଗନ୍ତ’ ଗ୍ରନ୍ଥ ଉନ୍ମୋଚିତ ହେବ । ମହୋତ୍ସବର ଦ୍ୱିତୀୟ ଓ ତୃତୀୟ ଅଧିବେଶନର ଅପରାହ୍ଣ ୩ ଘଟିକାରେ ଜାତୀୟବାଦୀ କବିତା ପାଠୋତ୍ସବ ଆୟୋଜିତ ହେବ । ପ୍ରସ୍ତୁତି ବୈଠକରେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ପତ୍ରକାର ତପନ କୁମାର ମିଶ୍ର, ଡ. ଅଭୟ କୁମାର ଦାସ, ଅଧିବକ୍ତା ଗଦାଧର ବଳ, ରୂପକ ବିହାରୀ ରାୟ ପ୍ରମୁଖ ସଦସ୍ୟ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.