ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଜବରଦଖଲ ଉଚ୍ଛେଦ କଥା ଉଠିଲେ ପ୍ରଶାସନକୁ ଜ୍ୱର ଆସେ। ବିଭିନ୍ନ ଆଳ ଦେଖାଇ ଉଚ୍ଛେଦ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିଥାଏ। ଦୀର୍ଘ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଚରମ୍ପା ଓଭରବ୍ରିଜ୍ ଛକ ଠାରୁ ଭଦ୍ରକ ରେଳଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିର ସଂପ୍ରସାରଣ କାର୍ଯ୍ୟ ଆଜିଯାଏଁ ହୋଇପାରିଲାନାହିଁ। ରାସ୍ତାକୁ ମାଡି ସରକାରୀ ଜାଗାରେ ଦୀର୍ଘବର୍ଷ ଧରି କୋଟିପତି ବ୍ୟବସାୟୀମାନେ ର୍ନିଦ୍ୱନ୍ଦ୍ୱରେ ବ୍ୟବସାୟ ଚଳାଇ ଆସୁଛନ୍ତି। ତେବେ ଚରମ୍ପା ଅଂଚଳବାସୀ (ଏରେଇ, କଂଟାପାଳ, ବରାଳପୋଖରୀ) ଏହି ରାସ୍ତାର ସଂପ୍ରସାରଣ ସହ ଜବରଦଖଲ ଉଚ୍ଛେଦକୁ ନେଇ ଆଜି ଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏମାନଙ୍କର ଅଭିଯୋଗ ହେଲା ରାସ୍ତାଟିର ଟ୍ରାଫିକ୍ ସମସ୍ୟା ନେଇ ପୂର୍ବରୁ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଖାଲି ପ୍ରତିଶ୍ରୁତି ଓ ଆଶ୍ୱାସନାରେ ଦିନ ଗଡିଚାଲିଛି। ଏହି ରାସ୍ତାଟିରେ ବିଶେଷକରି ଯେଉଁ ସମୟରେ ଭଦ୍ରକ ରେଳଷ୍ଟେସନରେ ମାଲ୍ ଗାଡିର ଭଦ୍ରକ ରେକ୍ ଲାଗେ, ସେହି ସମୟରେ ମାଲ ବୋଝେଇ ସିମେଂଟ, ଗହମ ଓ ସାର ଟ୍ରକ୍ ଗୁଡିକର ଲଗାତର ଭାବେ ଚଳାଚଳ କରିବା ଫଳରେ ଟ୍ରାଫିକ୍ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡେ। ସାଧାରଣ ଯାତାୟତରେ ଅଚଳାବସ୍ଥା ସୃଷ୍ଟି ହୋଇଥାଏ। ଏପରିକି ଅତୀତରେ ୩ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବାର ନଜିର ମଧ୍ୟ ରହିଛି। ଏହାବ୍ୟତୀତ ଟ୍ରେନ୍ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ କେତେକ ଛୋଟବଡ ବ୍ୟବସାୟୀମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ରାସ୍ତାକୁ ମାଡି ସରକାରୀ ଜାଗାରେ ରହିଥିବାରୁ ରାସ୍ତାଟି ସଂକୁଚିତ ହୋଇପଡିଛି। ଏହି ରାସ୍ତାଟି ଏବେ ପଂଚାୟତ ରୋଡ୍ ଭଳି ଦେଖାଯାଉଛି। ଏଣୁ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଏହି ଉତ୍କଟ ସମସ୍ୟାର ସମାଧାନ ପାଇଁ ଅଂଚଳବାସୀ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ ଏହି ରାସ୍ତାଟିର ସଂପ୍ରସାରଣ ନେଇ ତତ୍କାଳୀନ ଆରଡିସି ଅରବିନ୍ଦ ପାଢୀ ନିଜେ କ୍ଷେତ୍ରୀୟ ଅନୁଧ୍ୟାନ କରିଥିଲେ। ପରେ ରାସ୍ତା ସଂପ୍ରସାରଣ ନିହାତି ଜରୁରୀ ବୋଲି ଉପଲବ୍ôଧ କରିଥିଲେ। ରାସ୍ତାର ଉଭୟପାଶ୍ୱର୍ର ସରକାରୀ ଜାଗାରେ ଥିବା ଛୋଟବଡ ପ୍ରତିଷ୍ଠାନକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେହି ସମୟରେ ଆଗକୁ ଭଦ୍ରକର ପ୍ରସିଦ୍ଧ କାଳୀପୂଜା ଅନୁଷ୍ଠିତ ହେବାକୁ ଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାମୟିକ ଭାବେ ଉଚ୍ଛେଦ ପ୍ରକ୍ରିୟାକୁ ପ୍ରଶାସନ ସ୍ଥଗିତ ରଖିଥିଲେ। ଏହାମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ରାସ୍ତା ସଂପ୍ରସାରଣ ନେଇ କୌଣସି ପଦକ୍ଷେପ ନିଆନଯିବା ଘଟଣା ଅଂଚଳବାସୀଙ୍କୁ ମର୍ମାହତ କରିଛି। ଅଶ୍ୱିନୀ ରଣା, ସାଇ ସୁଶାନ୍ତ ରାଉତ, ଶରତ ରାଉତ, ମହେଶ ଗୁପ୍ତା, ଜିତେନ୍ଦ୍ର ପଢିଆରୀ, ମଧୁସୂଦନ ପାଢୀ, କାଳନ୍ଦୀ ରାଉତ ପ୍ରମୁଖ ଅଂଚଳବାସୀମାନେ ଜିଲାପାଳଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ଚରମ୍ପା ଓଭରବ୍ରିଜ୍ ଛକ ଠାରୁ ଷ୍ଟେସନ ରୋଡ୍ର ସଂପ୍ରସାରଣ ପ୍ରସଙ୍ଗ, ଜିଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଅଂଚଳବାସୀ








