ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଚରମ୍ପାରୁ ମାସକ ତଳେ ଜଣେ ବାଇକ୍ ଆରୋହୀର ଡିକିରୁ ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ପରେ ପୁଣିଥରେ ଜଗତସିଂହପୁର ନିବାସୀ ପଦ୍ମଲୋଚନ ସ୍ୱାଇଁ ଓ ତାଙ୍କ ପତ୍ନୀ କୌଣସି ଏକ ଉତ୍ସବରେ ଯୋଗଦେଇ ଫେରିବା ରାସ୍ତାରେ ତାଙ୍କର ୧୦ ଭରି ଓଜନର ସୁନା ଅଳଙ୍କାର ଭର୍ତି ଭ୍ୟାନିଟି ବ୍ୟାଗ୍କୁ ଲୁଟିନେଇଛନ୍ତି ଲୁଟେରା। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଜଗତସିଂହପୁର ନିବାସୀ ପଦ୍ମଲୋଚନ ଓ ତାଙ୍କ ପତ୍ନୀ ଚିନ୍ମୟୀ ସାହୁ ବାଲେଶ୍ୱରର ଏକ ଘରୋଇ କଂପାନୀରେ କାର୍ଯ୍ୟ କରନ୍ତି। ସେ ଏକ ଘରୋଇ ଉତ୍ସବରେ କଟକରେ ଯୋଗ ଦେଇ ବାଇକ୍ ଯୋଗେ ଫେରିବା ରାସ୍ତାରେ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ଚରମ୍ପା ସର୍ଭିସ୍ ରୋଡ୍ ପାଶ୍ୱର୍ରେ ଥିବା କପିଳ ସାହୁଙ୍କ ଜଳଖିଆ ଦୋକାନରେ ଖାଇବା ପାଇଁ ଅଟକିଥିଲେ। ସେଠାରେ ସେ ନିଜର ଶିଶୁକୁ ଖୁଆଇବା ସମୟରେ ଦୃବୁର୍ତମାନେ ଚିନ୍ମୟୀଙ୍କ ଭ୍ୟାନିଟି ବ୍ୟାଗ୍ରେ ଥିବା ୧୦ ଭରି ଓଜନର ସୁନା ଓ ରୂପା ଅଳଙ୍କାର ନେଇ ଚମ୍ପଟ ମାରିଛନ୍ତି। ସେ ଏ ସଂପର୍କରେ ଭଦ୍ରକ ସହରାଂଚଳ ଥାନାରେ ଜଣାଇବା ପରେ ଏସ୍ପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଦୁଇଟି ଟିମ୍ ସହ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ଅକ୍ଟୋବର ମାସ ୧୦ ତାରିଖରେ ଏହି ଥାନା ଅଧୀନସ୍ଥ ଚରମ୍ପା ଷ୍ଟେସନ ରୋଡ୍ରୁ ସ୍ଥାନୀୟ ଗୌରହରି ମହାନ୍ତିଙ୍କ ବାଇକ୍ରୁ ଲୁଟେରାମାନେ ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଇଥିଲେ। ତେବେ ପୁଲିସ୍ ଉକ୍ତ ଲୁଟ୍ ଟଙ୍କାରୁ ୪ ଲକ୍ଷ ୧୦ ହଜାର ଟଙ୍କା ଯାଜପୁରରୁ ଜବତ କରି ଶ୍ରୀ ମହାନ୍ତିଙ୍କୁ ଫେରାଇଥିଲେ।
Home ଜିଲ୍ଲା ପରିକ୍ରମା ଚରମ୍ପାରୁ ଟଙ୍କା ଲୁଟ୍ ପରେ ପୁଣି ସ୍ୱର୍ଣ୍ଣାଳଙ୍କାର ଲୁଟ୍, ଶିଶୁକୁ ଖୁଆଇବା ସମୟରେ ସୁନାଗହଣା ନେଇ...







