Home ଜିଲ୍ଲା ପରିକ୍ରମା ଚନ୍ଦନବଜାର ଓ ପୁରୁଣାବଜାର ଅଞ୍ଚଳରେ ଷ୍ଟେଟ୍‌ବ୍ୟାଙ୍କ ଶାଖା ଖୋଲିବାକୁ ଦାବି, ନରେନ ପଲେଇଙ୍କ ନେତୃତ୍ୱରେ ୪ର୍ଥ...

ଚନ୍ଦନବଜାର ଓ ପୁରୁଣାବଜାର ଅଞ୍ଚଳରେ ଷ୍ଟେଟ୍‌ବ୍ୟାଙ୍କ ଶାଖା ଖୋଲିବାକୁ ଦାବି, ନରେନ ପଲେଇଙ୍କ ନେତୃତ୍ୱରେ ୪ର୍ଥ ଦାବିପତ୍ର ପ୍ରଦାନ

18

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳର ପୁରୁଣାବଜାର କିମ୍ବା ଚନ୍ଦନବଜାର ଅଂଚଳରେ ଷ୍ଟେଟ୍ ବ୍ୟାଙ୍କର ଏକ ଶାଖା ଖୋଲିବା ଦାବିରେ ଭଦ୍ରକର ପ୍ରାକ୍ତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଷ୍ଟେଟ୍‌ବ୍ୟାଙ୍କର ଶାଖା ପରିଚାଳକଙ୍କ ମାଧ୍ୟମରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ସର୍କଲ ମ୍ୟାନେଜରଙ୍କୁ ଚତୁର୍ଥ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିପୂର୍ବରୁ ଆମ୍ଭେ ତୃତୀୟ ଦାବିପତ୍ର ମଧ୍ୟ ପ୍ରଦାନ କରିସାରିଛୁ। ଆମର ଏହି ଯୁକ୍ତିଯୁକ୍ତ ଦାବି ଯେପର୍ଯ୍ୟନ୍ତ ପୂରଣ ନହୋଇଛି, ପୁରୁଣାବଜାର ଓ ଚନ୍ଦନବଜାର ବାସୀଙ୍କ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଲେଇ କହିଛନ୍ତି। ଶ୍ରୀ ପଲେଇ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ଭଦ୍ରକ ପୌରାଞ୍ଚଳର ୧ରୁ ୧୫ ନଂ ୱାର୍ଡ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କର ୪ଟି ଶାଖା ରହିଛି। ଏହି ଅଂଚଳର ଜନସଂଖ୍ୟା ୬୦ ହଜାର। କିନ୍ତୁ ୧୬ ରୁ ୩୦ ନଂ ୱାର୍ଡ ମଧ୍ୟରେ କୌଣସି ବ୍ୟାଙ୍କର ଶାଖା ନାହିଁ। ଏଠାରେ ଲୋକସଂଖ୍ୟା ୭୦ ହଜାର। ଏ ସମସ୍ତ ୱାର୍ଡରେ ୨୦ଟି ପ୍ରାଥମିକ ବିଦ୍ୟାଳୟ, ୬ଟି ଉଚ୍ଚ ବିଦ୍ୟାଳୟ, ଗୋଟିଏ ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ଶତାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟରତ ଅଛି। କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଓ କେସ୍‌ଲେସ୍ ଟ୍ରାଞ୍ଜେକସନ ପ୍ରଚଳନ ଥିବାରୁ ପ୍ରତ୍ୟେକ ହିତାଧିକାରୀଙ୍କ ଏକାଉଣ୍ଟକୁ ସିଧା ଅର୍ଥ ଟ୍ରାନ୍ସଫର ହେଉଛି। ଏପରି ସ୍ଥଳରେ ଏହି ଡିଜିଟାଲ ସେବା ନପାଇ ଉପରୋକ୍ତ ସମସ୍ତ ଅନୁଷ୍ଠାନ ଦୈନନ୍ଦିନ ଜୀବନରେ ବ୍ୟାଙ୍କ ସେବାରୁ ବଂଚିତ ହୋଇ କଚେରୀ ବଜାରକୁ ଦୌଡୁଛନ୍ତି। ଏଠାରେ ଗୋଟିଏ ବ୍ୟାଙ୍କ ଶାଖା ପ୍ରତିଷ୍ଠା ହେଲେ, ସଂପୃକ୍ତ ଅଂଚଳବାସୀ ବ୍ୟାପକ ଭାବେ ଉପକୃତ ହୋଇପାରନ୍ତେ ବୋଲି ଦାବିପତ୍ରରେ ଦର୍ଶାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବିଭୂତି ଭୂଷଣ ସାହୁ, ବୁଟିଆ ନାୟକ, କଲ୍ଲୋଲ ଲେଙ୍କା, ବାବୁ ମହାପାତ୍ର, ବାବୁ ବାରିକ, ଅମର ପାଣିଗ୍ରାହୀ, ବିଦ୍ୟାଧର ଜେନା, ସୁଶାନ୍ତ ଘଡେଇ, ଧବଳା ପଣ୍ଡା, ମୁନ୍ନାପରିଡା, ସେକ୍ ଜଫିରୁଦ୍ଦିନ୍‌, ସେକ୍ ସୁଲେମାନ, ସେକ୍ କୁରବାନ, ବଲିଆ ସାହୁ, ସୁଶାନ୍ତ ସାମଲ, ନରେନ୍ଦ୍ର ସାହୁ, ଟୁକୁ ସାହୁ, ଅନନ୍ତ ମହାପାତ୍ର, ମନୋଜ ଦାସ, ସଂଜୀବ ମହାନ୍ତି, ବିଦ୍ୟାଧର ବାରିକ, ତପନ ନାୟକ, ଦେବଦତ୍ତ ରାଉତରାୟ, ମନୋଜ ଜତି, ରଣଜିତ୍ ନାୟକ, ଚନ୍ଦ୍ରଭାନୁ ପଲେଇ, କ୍ଷେତ୍ରବାସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.