Home ଓଡ଼ିଶା ଘରୋଇ ସେନା ବାହିନୀ ତିଆରି ପାଇଁ ପ୍ରଣୟନ ହୋଇଛି ଅଗ୍ନିପଥ:ଏ.ଆଇ.ଏସ୍‌.ଏଫ୍‌

ଘରୋଇ ସେନା ବାହିନୀ ତିଆରି ପାଇଁ ପ୍ରଣୟନ ହୋଇଛି ଅଗ୍ନିପଥ:ଏ.ଆଇ.ଏସ୍‌.ଏଫ୍‌

57

ଦେଶର ପ୍ରତିରକ୍ଷାକୁ ଧ୍ୱଂସ କରିବା ଓ ଯୁବବର୍ଗଙ୍କୁ ଠକିବାର ଏହା ଏକ ଅଭିନବ ଉପାୟ
ଭୁବନେଶ୍ୱର, ୨୩/୦୬ (ଓଡ଼ିଆ ପୁଅ) ; ଗତ ଜୁନ୍ ୧୪ ତାରିଖରେ ପ୍ରତିରକ୍ଷା ବିଭାଗ ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ। ଦୀର୍ଘ ତିନି ବର୍ଷଧରି ବିଭିନ୍ନ ରାଜ୍ୟରେ ନିର୍ବାଚନ କରାଯାଇଥିଲେ ସୁଦ୍ଧା କରୋନା ଆଳରେ ସେନା ବାହିନୀରେ କୌଣସି ନିଯୁକ୍ତି ହୋଇନାହିଁ। ୨୦୧୮-୧୯ ବର୍ଷ ପାଇଁ ବାହାରିଥିବା ପଦବୀ ପୂରଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲେ ସୁଦ୍ଧା ସରକାର ଏପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ଶେଷ କଲେନାହିଁ। ଅପରପକ୍ଷରେ ହଠାତ୍ ଅଗ୍ନିପଥ ଯୋଜନା ଘୋଷଣା ଦ୍ୱାରା ପରୀକ୍ଷା ଦେଇଥିବା ଆଶାୟୀଙ୍କ ନୈରାଶ୍ୟ ବଢିଥିଲା। ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ବିରୋଧ ସହ ଆତ୍ମହତ୍ୟାର ଖବର ମଧ୍ୟ ମିଳିଥିଲା। ସାରା ଦେଶରେ ଏହାକୁ ତୀବ୍ର ବିରୋଧ କରାଯିବା ପରେ ବୟସ ସୀମା ବୃଦ୍ଧି, ବୀମାରାଶି ବୃଦ୍ଧି ଓ ସଂରକ୍ଷଣ ପାଇଁ ପ୍ରତିଦିନ ଯୋଜନାକୁ ସଂଶୋଧନ କରାଗଲା। ଯାହା ସରକାରଙ୍କର ଅଦୂରଦର୍ଶୀତାର ପ୍ରମାଣ ଦେଉଛି। ବେକାରୀ ସମସ୍ୟା ବଢୁଥିବା ବେଳେ ନୂଆ ନିଯୁକ୍ତି ସୃଷ୍ଟି ନକରି ସେନାଭଳି ଏକ ମର୍ଯ୍ୟାଦାପୂର୍ଣ୍ଣ ପଦବୀରେ ୪ ବର୍ଷିଆ ଠିକା ନିଯୁକ୍ତି କରି ଯୁବବର୍ଗଙ୍କ ଅସହାୟତାର ଫାଇଦା ଉଠାଇବାକୁ ଚେଷ୍ଟା କରାଗଲା। ଅଗ୍ନିପଥରେ ଭର୍ତ୍ତୀ ପାଇଁ ମଧ୍ୟ ସେନାବାହିନୀରେ ଭର୍ତ୍ତୀ ଭଳି ପରୀକ୍ଷା କରାଯିବ। ମାତ୍ର ନିଯୁକ୍ତି କେବଳ ଚାରିବର୍ଷ ପାଇଁ ଥିବା ବେଳେ ଅବସର ପରେ ପୂର୍ବଭଳି ପେନ୍‌ସନ୍‌, ପରିବାକୁ ଚିକିତ୍ସା ସୁବିଧା, ଗ୍ରାଚୁଇଟି ଆଦି କୌଣସି ସୁବିଧା ଦିଆଯିବ ନାହିଁ। ଅଗ୍ନିବୀର ଚାରିବର୍ଷ ଚାକିରୀ କରିବା ପରେ ସେନାରେ ସ୍ଥାୟୀ ନିଯୁକ୍ତି ପାଇଁ ପୁନଃ ଏକ ପରୀକ୍ଷା ଦେବେ। ଯେଉଁଥିରେ ୨୫ ଭାଗରୁ ଅଧିକ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ନାହିଁ। ଅର୍ଥାତ୍ ସେନାରେ ଆବଶ୍ୟକତା ଅନୁଯାୟୀ ୨୫ ଭାଗ ଅଗ୍ନିବୀରଙ୍କ ବଦଳରେ ୧ ବା ୨ ଭାଗଙ୍କୁ ନିଯୁକ୍ତି ମିଳିପାରେ। ବେକାରୀ ହାର ୪୫ ବର୍ଷରେ ସର୍ବକାଳୀନ ରେକର୍ଡ ଭା୍‌ଙ୍ଗିଥିବା ବେଳେ ସରକାର ନିଜେ ପ୍ରତିବର୍ଷ ୩୦ହଜାରରୁ ଅଧିକ ଅଗ୍ନିବୀରଙ୍କୁ ବେରୋଜଗାର କରିବେ। ପୋଲିସ୍‌, ସିଆର୍‌ପିଏଫ୍ ଓ ସିଏପିଏଫ୍ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସେମାନଙ୍କୁ ସଂରକ୍ଷଣ ଦିଆଯିବା ନେଇ ସପନ ବଣିକ ଭଳି ପ୍ରଚାର କରାଯାଉଥିବା ବେଳେ ପୂର୍ବରୁ ଏହି ବିଭାଗମାନଙ୍କରେ ଅବସରପ୍ରାପ୍ତ ସେନା ଯବାନ୍‌ଙ୍କ ପାଇଁଁ ସଂରକ୍ଷିତ ଥିବା ପଦବୀ ଘୋଷିତ ହାରରେ ପୂରଣ ହେଉନାହିଁ। ସେହି ବିଭାଗମାନଙ୍କରେ ବର୍ଷବର୍ଷ ଧରି ଖାଲିପଡିଥିବା ପଦବୀ ପୂରଣ ହେଉନାହିଁ। ଅପରପକ୍ଷରେ ବିଜେପିର କେନ୍ଦ୍ରୀୟ ନେତା ଅଗ୍ନିବୀରଙ୍କୁ ନିଜ କାର୍ଯ୍ୟାଳୟରେ ଜଗୁଆଳ ରଖିବାପାଇଁ ପ୍ରାଥମିକତା ଦେବାର ଆଶ୍ୱାସନା ସମଗ୍ର ଯୁବ ସମାଜ ଓ ଅଗ୍ନିବୀରଙ୍କ ପ୍ରତି ଅପମାନ। ବେରୋଜଗାରୀର ଏହି ଲୋମହର୍ଷଣକାରୀ ଦୃଶ୍ୟପଟରେ ତାଲିମ୍‌ପ୍ରାପ୍ତ ଅଗ୍ନିବୀରମାନେ ରୋଜଗାର ହରାଇବା ପରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେବା ଓ ବିଭିନ୍ନ ଉଗ୍ରବାଦୀ ସଙ୍ଗଠନମାନଙ୍କ ବିନିଯୋଗରେ ଆସିବାର ଯଥେଷ୍ଟ ସମ୍ଭାବନା ଥିବା ଅବସରପ୍ରାପ୍ତ ଉଚ୍ଚ ସେନା ଅଧିକାରୀମାନେ ଆଶଙ୍କା ପ୍ରକଟ କରଛନ୍ତି। ଏଭଳି ସ୍ଥଳେ ମହିନ୍ଦ୍ରା ଗ୍ରୁପ୍ ଓ ଇମ୍ଫା ଭଳି ପୁଞ୍ଜିପତିମାନେ ଅଗ୍ନିବୀରଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେବାପାଇଁ ଆଗ୍ରହ ପ୍ରକାଶ କରିବା ପଛରେ ଭାରତୀୟ ସେନାକୁ ଦୁର୍ବଳ କରି ଘରୋଇ ସେନାବାହିନୀ ଗଠନ ଓ ଘରୋଇ ସିକ୍ୟୁରିଟି ଗାର୍ଡ ସଂସ୍ଥାର ଲାଭ ଜଡିତ ଥିବା ଜଣାପଡୁଛି। ରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଗତ ୧୬ ସେପ୍ଟେମ୍ବର ୨୦୨୧ରେ ଏନ୍‌ସିସିର ସମୀକ୍ଷା ପାଇଁ ବିଜେପିର ଜାତୀୟ ଉପସଭାପତି, ପୂର୍ବତନ ସାଂସଦ ତଥା ଇମ୍ଫା କମ୍ପାନୀର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ୧୪ ଜଣିଆ ଟିମ୍‌ରେ ଉଭୟ ମହିନ୍ଦ୍ରା ଗ୍ରୁପ୍‌ର ମାଲିକ ଆନନ୍ଦ ମହିନ୍ଦ୍ରା ଓ ଘରୋଇ ସିକ୍ୟୁରିଟି ଗାର୍ଡ ଯୋଗାଣକାରୀ ୨ୟ ସର୍ବବୃହତ ସଂସ୍ଥା ଏସ୍‌ଆଇଏସ୍ ର ପରିଚାଳନା ନିର୍ଦ୍ଦେଶକ ରିତୁରାଜ ସିହ୍ନା ରହିଥିଲେ। ଏହି ଘରୋଇ କମ୍ପାନୀମାନେ ଦେଶର ପ୍ରତିରକ୍ଷାକୁ ଦୁର୍ବଳ କରାଇ ଦ୍ରୁତଗତିରେ ବଢୁଥିବା ଘରୋଇ ସିକ୍ୟୁରିଟି ଗାର୍ଡର ବ୍ୟବସାୟର ଲାଭ ପାଇଁ ଯୁବବର୍ଗଙ୍କୁ ବଳି ପକାଯାଉଛନ୍ତି। ତେଣୁ ଏହି ଯୁବ ତଥା ଦେଶ ବିରୋଧି ଅଗ୍ନିପଥ ଯୋଜନାକୁ ବାତିଲ୍ କରି ପୂର୍ବଭଳି ସେନାବାହିନୀରେ ନିଯୁକ୍ତି କରାଯିବା ପାଇଁ ଏ.ଆଇ.ଏସ୍‌.ଏଫ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏ.ଆଇ.ଏସ୍‌.ଏଫ୍ ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା, ରାଜ୍ୟ ଯୁଗ୍ମ-ସମ୍ପାଦକ ବିବେକ କୃଷ୍ଣ, ମନୋଜ କର ଓ ସୁଚିସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.