Home ଜିଲ୍ଲା ପରିକ୍ରମା ଘଂଟେଶ୍ୱରରେ ରିଲିଫ ସାମଗ୍ରୀ ଦେବାରେ ପାତର ଅନ୍ତର ନୀତି ଯୋଗୁ ଅଟକ ରହିଲେ ଜିଆରଏସ

ଘଂଟେଶ୍ୱରରେ ରିଲିଫ ସାମଗ୍ରୀ ଦେବାରେ ପାତର ଅନ୍ତର ନୀତି ଯୋଗୁ ଅଟକ ରହିଲେ ଜିଆରଏସ

7

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା “ଦାନା” ରେ ସରକାର କୋଟି କୋଟି ଟଙ୍କା ସାଧାରଣ ଜନତାଙ୍କ ପାଇଁ ଖର୍ଚ୍ଚ କରୁଥିବା ବେଳେ ସରକାରୀ ଚାକିରିଆ ପାତର ଅନ୍ତର କରୁଥିବାରୁ ସଂପୃକ୍ତ ଚାକିରିଆଙ୍କୁୁ ପଂଚାୟତବାସୀ ପଂଚାୟତ ଅଫିସ ଘରେ ଅଟକ ରଖିଥିବା ଦେଖିବାକୁ ମିଳିଥିଲା । ପରେ ପୁଲିସର ହସ୍ତକ୍ଷେପ ଫଳରେ ସଂପୃକ୍ତ ସରକାରୀ କର୍ମଚାରୀ ଜଣକ ସାଧାରଣ ଜନତାଙ୍କ କବଳରୁ ମୁକ୍ତି ପାଇଥିଲେ । ଏଭଳି ଏକ ଘଟଣା ଘଟିଛି ବାଂଶଡା ଥାନା ଅଧିନସ୍ଥ ବଜରାପୁର ପଂଚାୟତରେ । ପ୍ରାପ୍ତ ଘଟଣାରୁ ଜଣାଯାଏ ଏହି ପଂଚାୟତ ଦାୟିତ୍ୱରେ ଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦେହ ଖରାପ ହେବାରୁ ସେ ବାତ୍ୟା ପର ଦିନ ଛୁଟି ନେଇ ଘରକୁ ଯାଇଥିଲେ । ଘରକୁ ଯିବା ପୂର୍ବରୁ ପଂଚାୟତକୁ ଆସିଥିବା ରିଲିଫ ସାମଗ୍ରୀ ଗୁଡିକ ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂପୃକ୍ତ ନୋଡାଲ ଅଫିସରଙ୍କ ଠାରୁ ଗ୍ରହଣ କରି ପଂଚାୟତରେ ରଖି ଛୁଟିରେ ଚାଲିଯାଇଥିଲେ । ପଂଚାୟତକୁ ଆସିଥିବା ସମସ୍ତ ରିଲିଫ ସାମଗ୍ରୀ ଗୁଡିକ ପଂଚାୟତ ସରପଂଚ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ କେମିତି କଣ ବଂଟନ କରାଯିବା ସେ ପାଇଁ ପଂଚାୟତ ଅଧିକାରୀ ମାନେ ବସି ସିଦ୍ଧାନ୍ତ ନେଇ ବଂଟନ କରିବାର ନିୟମ ଅଛି । ମାତ୍ର ବଜରାପୁର ପଂଚାୟତର ପଂଚୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଛୁଟିରେ ଥିବା ବେଳେ ଏହି ଦାୟିତ୍ୱ ସେ ସେହି ପଂଚାୟତ ରେ ଥିବା ଜିଆରଏସ ସୁଲତା ଉପାଧ୍ୟାୟଙ୍କୁ ଦେଇଥିଲେ । ସଂପୃକ୍ତ ଜିଆରଏସ କାହାରିଙ୍କୁ ନ ପଚାରି ନିଜ ଇଛାରେ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ଲୋକ ମାନଙ୍କୁ ଆସିଥିବା ରିଲିଫ ସାମଗ୍ରୀ ବଂଟନ କରି ଦେଇଥିଲେ । ଏହାକୁ ନେଇ ସାଧାରଣରେ ଉତେଜନା ପ୍ରକାଶ ପାଇବା ସହ ଏହି ବିଷୟରେ ବଜରାପୁର ପଂଚାୟତବାସୀ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଆଜି ସଂପୃକ୍ତ ଜିଆରଏସ ସୁଲତା ଉପାଧ୍ୟାୟ ଆସି ପଂଚାୟତ ଅଫିସରେ ପହଂଚିବା ପରେ ଅଂଚଳବାସୀ ସଂପୃକ୍ତ ଜିଆରଏସଙ୍କୁ କାହିଁକି ଦଳୀୟ ଭିତିରେ ରିଲିଫ ସାମଗ୍ରୀ ବଂଟନ କଲ ବୋଲି ପଚାରିଥିଲେ ମାତ୍ର ସଂପୃକ୍ତ ଜିଆରଏସ କୌଣସି ସନ୍ତୋଷ ଜନକ ଉତର ଦେଇ ନ ପାରିବାରୁ ପଂଚାୟତବାସୀ ସଂପୃକ୍ତ ଜିଆରଏସ ଙ୍କୁ ଅଫିସ ଘରେ ଅଟକ ରଖିଥିଲେ । କୌଣସି ସୂତ୍ରରୁ ଖବର ପାଇଘଂଟେଶ୍ୱର ଫାଣ୍ଡି ଅଧିକାରୀ ଯାଇ ସଂପୃକ୍ତ ଜିଆରଏସଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ । ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆସନ୍ତାକାଲି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ସଂପୃକ୍ତ ଜିଆରଏସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବବାକୁ ଏକ ଦାବୀ ପତ୍ର ପ୍ରଦାନ କରିବେ ବୋଲି ଜଣାଯାଇଛି । ଅନ୍ୟ ପକ୍ଷରେ ସଂପୃକ୍ତ ଜିଆରଏସ ସୁଲତା ଉପାଧ୍ୟାୟ ଦଳୀୟ ଭିତିରେ କୌଣସି କାର୍ଯ୍ୟ କରି ନାହାନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.