ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦଶଦିନ ଧରି ବଞ୍ଚିବା ପାଇଁ ଜୀବନ ସହିତ ଯୁଦ୍ଧକରି ଶେଷରେ ହାରିଯାଇଛନ୍ତି ମହିଳା। ଗୋଟିଏ ପରିବାରର ୩ ଜଣଙ୍କ ମଧ୍ୟରୁ ଭାର୍ଗବୀ ଶତପଥୀ (୪୦) ନାମ୍ନୀ ମହିଳା ଶନିବାର ରାତିରେ ସେ ଆଖି ବୁଜି ଦେଇଛନ୍ତି । ତେବେ ତାଙ୍କ ସ୍ୱାମୀ ଉଦୟ ନାରାୟଣ ଶତପଥୀ(୪୫) ଓ ନାବାଳିକା ଝିଅ ସ୍ନେହାଞ୍ଜଳି (୧୪) ଏବେବି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ତିହିଡି଼ ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଶାସନ ଗ୍ରାମର ଭାର୍ଗବୀ ଶତପଥୀ ନାମ୍ନୀ ଜଣେ ମହିଳା ଗତ ମାସ ୨୬ତାରିଖ ରାତିରେ ତାଙ୍କ ଘରେ ଗ୍ୟାସ ସହାୟତାରେ ରୋଷେଇ କରୁଥିଲେ। ସିଲିଣ୍ଡରର ପ୍ଲଗ ଆକସ୍ମିକ ଭାବେ ବାହାରି ପଡ଼ିବାରୁ ଜୋରରେ ଗ୍ୟାସ ନିର୍ଗତ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଭାର୍ଗବୀଙ୍କ ଦେହରେ ଲାଗିଯିବାରୁ ସେ ଚିତ୍କାର କରିଥିଲେ। ପାଟି ଶୁଣି ତାଙ୍କ ସ୍ୱାମୀ ନାରାୟଣ ଓ ଝିଅ ସ୍ନେହାଞ୍ଜଳୀ ଆସି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲାବେଳେ ସେମାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଯାହାଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ନିଆଁରେ ଭାର୍ଗବୀଙ୍କ ଶରୀରର ୮୦ ଭାଗ ପୋଡ଼ି ଯାଇଥିଲା । ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତିହିଡି଼ ଓ ପରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଓ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଦୁଃଖଦ ଘଟଣା ପରେ ସେହି ପୀଡ଼ିତମାନଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସାମାଜିକ ସଙ୍ଗଠନ ଓ ବଦାନ୍ୟ ବ୍ୟକ୍ତିମାନେ ସହାୟତାର ହାତ ବଢ଼ାଇଥିଲେ। ତେବେ ଭାର୍ଗବୀଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।








