ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ବାରସର ପଂଚାୟତ ଅଧୀନ ମୁଟୁରିଗଡ଼ ଗ୍ରାମ ନିକଟରେ ଥିବା ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଶୁକ୍ରବାର ମଧ୍ୟାହ୍ନରେ କାଶିନାଥ ମାଝୀଙ୍କ ପୁଅ ଆକାଶ ମାଝୀ (୧୭)ଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବନ ବିଭାଗ ଓ ପ୍ରଶାସନ ନଈ ନିକଟରେ ପହଂଚି ଅନୁଧ୍ୟାନ କରିବା ସହିତ ଖୋଜା ଖୋଜି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଗତକାଲି ଅପରାହ୍ଣରେ ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ନାବାଳକର ପତା ମିଳିନଥିଲେ। ଶନିବାର ପୁଣି ଓଡ୍ରାଫ ଟିମ୍, ବନବିଭାଗ, ତିହିଡ଼ି ଓ ଗଦି ଦମକଳବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନାବାଳକର କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି। ଖବର ପାଇ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଓ ପ୍ରଶାସନ ପକ୍ଷରୁ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥି ପହଂଚି ଘଟଣାର ଅନୁଧ୍ୟାନ କରିବା ସହିତ କିପରି ନାବାଳକର ସନ୍ଧାନ ମିଳି ପାରିବ ସେ ନେଇ ବନବିଭାଗକୁ ପରାମର୍ଶ ଦେଇଛନ୍ତି। ଦମକଳ ବିଭାଗ ପକ୍ଷରୁ ସର୍ଚ କ୍ୟାମେରା ମାଧ୍ୟମରେ ନଈରେ ଖୋଜାଖୋଜି କରାଯିବ ବୋଲି ଗଦି ଦମକଳ କେନ୍ଦ୍ରର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି। ବାରସର ସରପଞ୍ଚ ଚକ୍ରଧର ଦାସ ଦୁଇଦିନ ହେବ ଘଟଣା ସ୍ଥଳରେ ରହି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଓଡ୍ରାଫ, ଦମଳକ ବାହିନୀ ଓ ବନ ବିଭାଗକୁ ସହଯୋଗ କରୁଛନ୍ତି। ବିଧାୟକଙ୍କ ସହିତ ଚାନ୍ଦବାଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ପୂର୍ବତନ ସରପଂଚ ଅମର ଦାସ, ବିଜେଡି ନେତା ଦୀନବନ୍ଧୁ ମହାକୁଡ଼, ମାନସ ନାୟକ, ବିପିନ ରାଉତ, ନୀଳମଣି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଗେଙ୍ଗୁଟି ନଈରେ ଗାଧୋଇବା ବେଳେ ନାବାଳକକୁ କୁମ୍ଭୀର ଟାଣିନେବା ପ୍ରସଂଗ, ଏପର୍ଯ୍ୟନ୍ତ ମିଳିପାରିଲାନି ନାବାଳକଙ୍କ ସନ୍ଧାନ