Home ଓଡ଼ିଶା ଗୁରୁ ମାଆ। ଆମ ସ୍କୁଲ ଖୋଲିବ କେବେ ?

ଗୁରୁ ମାଆ। ଆମ ସ୍କୁଲ ଖୋଲିବ କେବେ ?

360

“ଗୁରୁମା । ଆମ ସ୍କୁଲ ଖୋଲିବ କେବେ ।”- ଏହିଭଳି ଏକ ସମ୍ବେଦନଶୀଳ ପ୍ରଶ୍ନ ପଚାରିଲା ବାର ଚଉଦ ବର୍ଷର ଆସିବାସୀ ଝିଅଟିଏ। ଗୌରୀର ପ୍ରଶ୍ନରେ ଅସୁସୂୟା ଦିଦି ପ୍ରଥମେ ଟିକିଏ ହତବମ୍ବ ହୋଇପଡ଼ିଲେ। ତାଙ୍କର ଧାରଣା ଥିଲା ବହୁତ ଲମ୍ବା ଛୁଟି ପାଇ ସବୁ ପିଲା ଘରେ ବେଶ୍ ହସଖୁସିରେ ଥିବେ। କିନ୍ତୁ ଗୌରୀର ପ୍ରଶ୍ନ ଦିଦିର ସବୁ ଧାରଣାକୁ ଓଲଟ ପାଲଟ କରିଦେଲା। ଦିଦି ଝିଅଟି ମୁଣ୍ଡରେ ହାତ ବୁଲାଇ ଆଣି କହିଲେ, “ଜୁଲାଇ ମାସ ଶେଷ ସପ୍ତାହ ଆଡ଼କୁ ଜଣା ପଡ଼ିବରେ ମାଆ। ଏଭଳି ମହାବିପତ୍ତି ସମୟରେ ସରକାର ନିକଟରେ କିଛି ଚାରା ନାହିଁ। ସ୍କୁଲ ଖୋଲିଗଲେ ପିଲାମାନେ ସବୁ ଏକତ୍ରୀତ ହେବେ। ସେମାନଙ୍କ ଭିତରେ ସାମାଜିକ ଦୂରତା ରହିବ ନାହିଁ। ଫଳରେ ରୋଗ ସଂକ୍ରମଣ ହେବାର ସମ୍ଭାବନା ବଢିଯିବ। ତୁମେ ସବୁ ଆମ ଦେଶର ଭବିଷ୍ୟତ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ସେଇଥିପାଇଁ ଅନ୍ ଲାଇନ୍ ମାଧ୍ୟମରେ ସବୁ ବିଷୟ ପଢା ହେଉଛି। ତୁମେ ତାହାକୁ ଉପଯୋଗ କର। ଅସୁବିଧା ହେଲେ ତୁମ ଶିକ୍ଷକମାନଙ୍କୁ ଫୋନ କଲେ ସେମାନେ ବତାଇ ଦେବେ।”

ଦିଦିଙ୍କ କଥା ଶୁଣି ଗୌରୀର ମୁହଁ ଶୁଖିଗଲା। ଛଳଛଳ ଆଖିରେ କହିଲା “”ଆମ ଘରେ ସେମିତି ମୋବାଇଲ ନାହିଁ। ଯେଉଁ ସାଙ୍ଗ ସାଥିଙ୍କ ଘରେ ଅଛି ସେଠାକୁ ଯିବା ମନା। ଆଚ୍ଛା ଗୁରୁମା, ସ୍କୁଲ ଖୋଲିବା ପରେ ଅନଲାଇନରେ ପଢା ହଉଥିବା ବିଷୟଗୁଡ଼ିକ ଆମ ଶ୍ରେଣୀରେ ପୁଣି ପଢା ହେବନି ।” ଦିଦି ଉତ୍ତର ହେଲେ “”କିଏ ମନାକଲା । ସବୁ ବିଷୟ ପୁଣି ମୂଳରୁ ପଢାହେବ ା” ଏତିକିରେ ଗୌରୀ ଖୁସିହୋଇ ଘରକୁ ଡେଇଁ ଡେଇଁ ଚାଲିଗଲା, ଦିଦି ମଧ୍ୟ ଫେରିଲେ।

କଥାବସ୍ତୁଟି କାଳ୍ପନିକ, କିନ୍ତୁ ଏହାହିଁ ରାଜ୍ୟ ତମାମର ଚିତ୍ର। ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୧୭ ତାରିଖ ଠାରୁ ବନ୍ଦ ଅଛି। କାହାର ପରୀକ୍ଷା ହୋଇଛି, କାହାର ଅଧାରୁ ବନ୍ଦ ହୋଇଛି, କାହାର ଆଦୌ ହେଲାନାହିଁ। ଶିକ୍ଷା କ୍ଷେତ୍ରରେ ଏକ ଚରମ ବିପର୍ଯ୍ୟୟ ସୃଷ୍ଟି ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରଥମ ଶ୍ରେଣୀରୁ ସ୍ନାତକତ୍ତୋର କୋଚିଂ ସେଣ୍ଟର ଠାରୁ ଟ୍ୟୁସନ କେନ୍ଦ୍ର, ଛାତ୍ରାବାସ ଠାରୁ ଘରୋଇ ମେସ୍ ସବୁଠି ତାଲା ପଡ଼ିଗଲା। ରାଜ୍ୟ ଭିତରେ ଯିଏ ଯେଉଁଠି ପଢୁଥିଲେ ଘରକୁ ଫେରିଲେ। ଅନ୍ୟ ରାଜ୍ୟରେ ରହି ଯେଉଁମାନେ ପଢୁଥିଲେ ସରକାର ସେମାନଙ୍କୁ ପର୍ଯ୍ୟାୟକ୍ରମେ ନେଇଆସିଲେ। ପୁଅ, ଝିଅ, ନାତି ନାତୁଣୀଙ୍କ ମେଳରେ ଘର ହସଖୁସିରେ ଭରି ଉଠିଲା। ପିଠା ପଣା ହେଲା। ଦୁଇ ଜାଗାରେ ଚାରି ତିଅଣ ରନ୍ଧା ହେଲା। ଲକଡାଉନ ଯୋଗୁଁ ବାହାରକୁ ବାହାରି ନପାରିବାର ଦୁଃଖ ଲୋକେ ପାଶୋରି ପକାଇଲେ।

କିନ୍ତୁ ବାସ୍ତବତାକୁ ହୃଦବୋଧ କଲା ପରେ ପିଲାମାନଙ୍କର ଅନାଗତ କାର୍ଯ୍ୟ ଓ ଭବିଷ୍ୟତକୁ ନେଇ ସମସ୍ତେ ଏବେ ଚିନ୍ତିତ ା ତିନି ମାସ ହେବାକୁ ବସିଲାଣି ପାଠ ସହିତ ସମ୍ପର୍କ ନାହିଁ। ପୁଣି ସରକାର କହିଲେଣି ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ଏହା ଅତ୍ୟନ୍ତ ବେଦନାଦାୟକ। ଯଦି ବିଶେଷଜ୍ଞମାନଙ୍କର ମତ କରୋନା ସହିତ ବଞ୍ôଚବାକୁହେବ ଏବଂ ଏହାକୁ ଗୁରୁତ୍ୱ ଦେଇ ଦେଶର ଅର୍ଥନୀତିର ସୁଧାର ଆଣିବା ପାଇଁ ଦୋକାନ ବଜାର, ଖଣି ଖାଦାନ, କଳ କାରଖାନା ଖୋଲିବା ଅନିବାର୍ଯ୍ୟ, ଗାଡ଼ି ମଟର ଚାଲିବା ଆବଶ୍ୟକ, ଉଡାଜାହାଜ ଉଡ଼ିବା ଜରୁରୀ, ଧର୍ମୀୟ ଅନୁଷ୍ଠାନ ଖୋଲିବାକୁ ଅନୁମତି ତେବେ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ମଧ୍ୟ ନୂତନ ଚିନ୍ତନର ଆବଶ୍ୟକତା ଅଛି। ନଚେତ ଏକ ସୁଦୂରପ୍ରସାରୀ ପ୍ରଭାବ ଭବିଷ୍ୟତ ପିଢି ଉପରେ ପଡ଼ିବ।

ଆଜିର ପରିପେକ୍ଷିରେ ସର୍ବାଧିକ ପ୍ରତିକୂଳତାର ସମ୍ମୁଖୀନ ହୋଇଛନ୍ତି ଅଧ୍ୟୟନରତ ଛାତ୍ରଛାତ୍ରୀ ତଥା କର୍ମ ନିଯୁକ୍ତି ଅନ୍ୱେଷଣରେ ଥିବା ଶିକ୍ଷିତ ଯୁବକ ଯୁବତୀ। ପ୍ରଥମ କଥା ଶ୍ରେଣୀ କକ୍ଷରେ ଯେଉଁ ଶିକ୍ଷାଦାନ ହୁଏ ତାର ବିକଳ୍ପ କିଛି ନାହିଁ ା ଏଠାରେ ଶିକ୍ଷକ ଓ ଶିକ୍ଷାର୍ଥୀ ମଧ୍ୟରେ ଥାଏ ପ୍ରତ୍ୟକ୍ଷ ସମ୍ପର୍କ। ପ୍ରଶ୍ନୋତ୍ତର ମାଧ୍ୟମରେ ଶିକ୍ଷାଦାନ ସାବଲୀଳ, ବୋଧଗମ୍ୟ ଏବଂ ଆକର୍ଷଣୀୟ ହୋଇଥାଏ। ଛାତ୍ରଛାତ୍ରୀ ଭିତରେ ଭାବ ବିନିମୟ ହେବା ସହିତ ପାଠରେ ସହଭାଗିତା ନିଜ ଭିତରେ ଥିବା ଅନେକ ଅବୁଝା ପଣକୁ ଦୂର କରିଦିଏ ା ସମୟର ଆହ୍ୱାନକୁ ବିଚାରକରି ଅନଲାଇନ ପାଠ ପଢିବାକୁ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ନ୍ୟାୟରେ ସ୍ୱାଗତ କରାଯାଇ ପାରେ କିନ୍ତୁ ଏହି ପ୍ରକ୍ରିୟା ଦୀର୍ଘକାଳୀନ ନୁହେଁ। ଏହା ମାତ୍ର ୨୦ରୁ ୨୫ ପ୍ରତିଶତ ପିଲାଙ୍କ ନିକଟରେ ପହଞ୍ôଚ ପାରୁଛି ା ପୁନଶ୍ଚ ଏହି ପଦ୍ଧତି ସେମାନଙ୍କ ମନରେ ଜାତ ହେଉଥିବା ସନ୍ଦେହ ମୋଚନରେ କେତେ ସହାୟକ ତାହା କହିବା କାଠିକର। ଦ୍ୱିତୀୟତଃ ଆଗାମୀ ଦିନରେ ଶ୍ରେଣୀ ପ୍ରକୋଷ୍ଠରେ ପାଠରେ ଆଗୁଆ ଓ ପଛୁଆ ପିଲାଙ୍କୁ ନେଇ ଶିକ୍ଷାଦାନ କ୍ଷେତ୍ରରେ ଏକ ନୂତନ ସମସ୍ୟା ସୃଷ୍ଟି ହେବ। ଯାହାବି ହେଉ ପ୍ରଥମରୁ ଦଶମ ଭିତରେ ଊଣା ଅଧିକେ ଅନ୍‌ଲାଇନ୍ ପାଠପଢା ଚାଲିଛି। କିନ୍ତୁ ଉଚ୍ଚ ଶ୍ରେଣୀମାନଙ୍କରେ ଏହା ନାହିଁ କହିଲେ ଚଳେ ା ଏହି ପିଲାମାନେ ଅତ୍ୟନ୍ତ ନିରାଶଜନକ ସ୍ଥିତିରେ। ବାପା ମାଆମାନେ ମଧ୍ୟ ଚିନ୍ତାଗ୍ରସ୍ତ। ପିଲାମାନଙ୍କର ଅଧିକାଂଶ ସମୟ ମୋବାଇଲରେ କଟୁଛି। ବିଳମ୍ବରେ ଶଯ୍ୟା ତ୍ୟାଗ କରିବା ଭଳି କିଛି ମନ୍ଦ ଅଭ୍ୟାସରେ ପଡ଼ି ଗଲେଣି ପିଲାମାନେ। ଘରେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାକୁ ଗଲାଣି। ସହି ହେଉ ନାହିଁ କି କହିହେଉ ନାହିଁ ସ୍ଥିତିରେ ପିତାମାତାଙ୍କ ଅବସ୍ଥା।

ସବୁଠାରୁ ଅଧିକ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ନିଯୁକ୍ତି ପାଇଁ ଉଦ୍ୟମ ଜାରି ରଖିଥିବା ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ନା କୌଣସି କୋଚିଂସେଣ୍ଟର ସହିତ ସଂଯୁକ୍ତ। ମାସ ମାସ ଧରି ଶିକ୍ଷା କ୍ଷେତ୍ର ସବୁ ବନ୍ଦ ରହିବା ପରେ ସେମାନେ ଆଜି ଦିସାହୀନ। ଗୋଟିଏ ପଟେ କର୍ମନିଯୁକ୍ତିର କ୍ଷେତ୍ର ସଙ୍କୁଚିତ ହେବାର ଆଶଂକା ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ସେମାନଙ୍କର ଭବ୍ୟଷ୍ୟତକୁ ନେଇ ସେମାନେ ମ୍ରିୟମାଣ।

ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ଅଧିକ ବିଚାର ବିମର୍ଷ କରିବା ଉଚିତ। ଗତାନୁଗତିକ ଧାରାର କିଛିଟା ପରିବର୍ତ୍ତନ କରି ଜୁଲାଇ ମାସରେ ସ୍କୁଲ କଲେଜ କେମିତି ଖୋଲିପାରିବ ସେ ଦିଗରେ ଯୋଜନା ପ୍ରସ୍ତୁତ କରାଯାଉ। ଯୁଗ୍ମ ଅଯୁଗ୍ମ ନିୟମ ଅନୁସାରେ ପାଠପଢା ଆରମ୍ଭ କରାଯାଇ ପାରେ। ପରିସ୍ଥିତିର ସୁଧାର ଆସିବା ପର୍ଯ୍ୟନ୍ତ ଚାରି ଘଣ୍ଟିଆ ଦୁଇଟି ସିଫ୍ଟ କରାଯାଇପାରେ। ପରୀକ୍ଷାମୂଳକ ଭାବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ କ୍ଷେତ୍ରରେ ଏହା ଲାଗୁ କରାଯାଇପାରେ। ଏଥି ସହିତ ମାସ୍କ, ଗ୍ଲୋବସ ବ୍ୟବହାରକୁ କଡ଼ାକଡ଼ି କରିବା, ସାମୟିକ ପାଇଁ ପ୍ରାର୍ଥନା ସଭାକୁ ସ୍ଥଗିତ ରଖିବା, ପ୍ରତି ସପ୍ତାହରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କରିବା, ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଛାତ୍ରାବାସ ଖୋଲିବା, ସମସ୍ତ ଶିକ୍ଷାନୁଷ୍ଠାନକୁ ସାନିଟାଇଜେସନ୍ କରିବା ଆଦି କାର୍ଯ୍ୟକୁ ହାତକୁ ନେଲେ କରୋନା ସହିତ ଜୀବନ କେବଳ ନୁହେଁ କରୋନା ସହିତ ଶିକ୍ଷା ମଧ୍ୟ ସମ୍ଭବ ହୋଇ ପାରିବ ା

ମନେରଖିବା ଉଚିତ ଅର୍ଥ କୌଣସି ଦେଶର ମେରୁଦଣ୍ଡ ହେଲେ ଶିକ୍ଷା ଦେଶର ମସ୍ତିଷ୍କ। ଅର୍ଥାତ୍ ସ୍ଥିତି ବିଗାଡ଼ି ଗଲେ ପ୍ରଗତିର ଚକ ଅଟକିଯିବ। ଯେମିତି ଥୟ ଠିକ୍ ସେମିତି ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ ଦେଶର ସମୃଦ୍ଧି, ସଭ୍ୟତା, ସଂସ୍କୃତି ମଧ୍ୟରେ ସମନ୍ୱୟର ଘୋର ଅଭାବ ଦେଖାଦେବ। ଏହି ମୌଳିକ ପରିଭାଷାକୁ ଦୃଷ୍ଟିରେ ରଖି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକୁ ଯଥାଶୀଘ୍ର ଖୋଲିବା ନିମନ୍ତେ ଠୋସ୍ ନିଷ୍ପତ୍ତି ନନେଲେ ଭବିଷ୍ୟତ ପିଢି ପ୍ରତି ଚରମ ଅନ୍ୟାୟ ହେବ।

– ଅକ୍ଷୟ କୁମାର ମିଶ୍ର

ପ୍ରାକ୍ତନ ଯୁଗ୍ମ ସାଧାରଣ ସଂପାଦକ, ଓଷ୍ଟା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.