Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ହରିଜନ ପଦଯାତ୍ରା ସ୍ମାରକୀ ସମାରୋହ

ଗାନ୍ଧୀ ବାଳାଶ୍ରମରେ ହରିଜନ ପଦଯାତ୍ରା ସ୍ମାରକୀ ସମାରୋହ

18

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମାଗାନ୍ଧୀଙ୍କ ୧୯୩୪ ମସିହା ଐତିହାସିକ ହରିଜନ ପଦଯାତ୍ରାର ସ୍ମାରକୀ ଆଗମନ ଦିବସ ଗାନ୍ଧୀ ବାଳାଶ୍ରମ ଠାରେ ଅନୁଷ୍ଠିତ ହୋଇଛି। ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ, ସମ୍ପାଦକ, ଅଧିବକ୍ତା ଗଦାଧର ବଳ, ମହତ୍ମାଗାନ୍ଧୀ ବିଚାର ମଂଚର ସମ୍ପାଦକ ସୁଧାକର ରାଉତ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ପବନ ଶର୍ମା, ଧାମନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ସାହୁ, ପ୍ରଫେସର ରାଜକିଶୋର ସାହୁ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଅମର ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଐତିହାସିକ ହରିଜନ ପଦଯାତ୍ରା, ଗାନ୍ଧୀ ବାଳାଶ୍ରମରେ ଗାନ୍ଧୀଜୀଙ୍କ ୩ ଦିନ ରହଣି ଓ ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମହାତ୍ମାଗାନ୍ଧୀଙ୍କ ସତ୍ୟ, ଅଂହିସା, ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ, ଜାତି ଗଠନରେ ବାଳାଶ୍ରମର ଅନ୍ତେବାସୀ ମାନେ ସାମିଲ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ମହାତ୍ମାଗାନ୍ଧୀ ସମାଜରୁ ଅସ୍ପୃଷ୍ୟତା ତଥା ଜାତିଭେଦ ଭଳି ଘୃଣ୍ୟ ପ୍ରଥାକୁ ବିଲୋପ କରିବା ପାଇଁ ୧୯୩୪ ମସିହାରେ ପୁରୀରୁ ଆରମ୍ଭ କରିଥିବା ହରିଜନ ପଦଯାତ୍ରା ଭଦ୍ରକଠାରେ ଶେଷ କରିଥିଲେ । ଏହି ସ୍ମାରକୀ ସମାରୋହ ଅବସରରେ ଗାନ୍ଧୀଜୀଙ୍କ ବ୍ୟବହୃତ ଜିନିଷ ଓ ଗାନ୍ଧୀଜୀଙ୍କ ଜୀବନୀ ସମ୍ପର୍କିତ ୧୦୦ଟି ଫଟୋଚିତ୍ରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଥିଲା । ଏହି ଅବସରରେ ଅନୁସୂଚିତ ବର୍ଗର ଦୃଷ୍ଟିବାଧିତ ଓଡ଼ିଶାର ଖ୍ୟାତିନାମା ସଙ୍ଗୀତଜ୍ଞ ଅଜୟ କୁମାର ଦାସଙ୍କୁ “୯୧ତମ ସ୍ମାରକୀ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ତତ୍ୱାବଧାନରେ ବାଳାଶ୍ରମ ଅନ୍ତେବାସୀ ମାନଙ୍କ ଦ୍ୱାରା ଗାନ୍ଧୀଜୀଙ୍କ ପ୍ରିୟ ଭଜନ ପରିବେଷଣ କରାଯାଇଥିଲା । ଏହି ସଭାରେ ଶିକ୍ଷାବିତ୍ କଲାମ ଖାଁ, ବରିଷ୍ଠ କଳାକାର ତଥା ସମାଜସେବୀ କାଳନ୍ଦୀ ମଳିକ ସମେତ ବହୁ ଗାନ୍ଧୀ ପ୍ରେମୀ ବ୍ୟକ୍ତି ଯୋଗ ଦେଇଥିଲେ । ଅପରାହ୍ନରେ ସୌମ୍ୟରଞ୍ଜନ ଦାସଙ୍କ ନେତୃତ୍ୱରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ଏକ ସ୍ମାରକୀ ପଦଯାତ୍ରା ସଙ୍ଗତ ଛକଠାରୁ ବାଳାଶ୍ରମ ପର୍ଯ୍ୟନ୍ତ କରାଯାଇଥିଲା । ଶେଷରେ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.