ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଭାସି ଜରିଆରେ ପ୍ରଦର୍ଶନ ପୂର୍ବକ ଭଦ୍ରକ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପାଳଜୀଉ ମଠ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ପ୍ରଜ୍ୱଳନ ପୂର୍ବକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଭାସ୍କର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ ପ୍ରମୁଖ ଯୋଗ ଦେଇଥିଲେ। ୫ ହଜାର କୋଟି ଟଙ୍କାର ବ୍ୟୟବରାଦ ନେଇ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଆଭିମୁଖ୍ୟ, କାର୍ଯ୍ୟାନ୍ୱୟନ, ବିକାଶରେ ଜନ ଭାଗିଦାରୀତା ଆଦି ସମ୍ବନ୍ଧରେ ଅତିଥିମାନେ ଆଲୋକପାତ କରିଥିଲେ। ଗାଁର ବିକାଶ ବିନା ରାଜ୍ୟ, ଦେଶର ବିକାଶ ସମ୍ଭବ ନୁହେଁ ଏବଂ ଜନଭାଗିଦାରୀ ବିନା ବିକାଶ ମଧ୍ୟ ସମ୍ଭବ ନୁହେଁ ବୋଲି ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ। ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ଯୋଜନାରେ ମୌଳିକ ଭିତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଂଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃଗ୍ରାମ୍ୟ ସଡ଼କ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡ଼ା ଭିତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ, ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ରଖାଯାଇଥିବା ଉଲ୍ଲେଖ କରିଥିଲେ। ବିଭିନ୍ନ ଅଂଚଳରୁ ଆସିଥିବା ଜନସାଧାରଣ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭଦ୍ରକ ବି.ଡି.ଓ. ରଶ୍ମି ରଞ୍ଜନ ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ।