Home ଜିଲ୍ଲା ପରିକ୍ରମା ଗଳ୍ପ ପୁସ୍ତକ ‘ଶବ୍ଦର ସବ୍ୟସାଚୀ’ ଓ ‘ମଣିଷ ମଣିଷ’ ଲୋକାର୍ପିତ

ଗଳ୍ପ ପୁସ୍ତକ ‘ଶବ୍ଦର ସବ୍ୟସାଚୀ’ ଓ ‘ମଣିଷ ମଣିଷ’ ଲୋକାର୍ପିତ

19

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସର୍ବ ପୁରାତନ ସାରସ୍ୱତ ସଂଗଠନ ‘ସାହିତ୍ୟ ସଂସ୍କୃତି ପରିଷଦ, ଭଦ୍ରକ’ର ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ କବି ଓ ଗାଳ୍ପିକ ଡା. ଦୁର୍ଯ୍ୟୋଧନ ଦାସଙ୍କର ଦୁଇଟି ଗଳ୍ପ ପୁସ୍ତକ ଲୋକାର୍ପିତ ହୋଇଛି । ଉଦ୍‌ଘାଟକ ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାରପ୍ରାପ୍ତ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ କଳ୍ପ-ବିଜ୍ଞାନ-ଗଳ୍ପ ପୁସ୍ତକ ‘ଶବ୍ଦର ସବ୍ୟସାଚୀ’ ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଥିଲେ – ଡା. ଦାସ ଜଟିଳ ବୈଜ୍ଞାନିକ ତତ୍ତ୍ୱ ଓ ତଥ୍ୟକୁ ଖାଲି ଗଳ୍ପର ଗାଉନ ପିନ୍ଧାଇ ନାହାନ୍ତି, ତାକୁ ସରଳ ଓ ବୋଧଗମ୍ୟ କରିଛନ୍ତି । ବୈଜ୍ଞାନିକ ସତ୍ୟ ଓ ସିଦ୍ଧାନ୍ତ କିପରି ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ ହୋଇ ପାରିବ ତା’ର ମାର୍ଗ ପ୍ରଦର୍ଶନ କରିଛନ୍ତି । ଜିନ୍ ଏଡିଟିଂ, ଜିନ୍ ପରିବର୍ତ୍ତନ, ଗନ୍ଧ ଗଣିତର ବ୍ୟବହାର ସମ୍ପର୍କରେ ଆଭାସ ଦେଇଛନ୍ତି । ‘ମଣିଷ ମଣିଷ’ ପୁସ୍ତକର ସମୀକ୍ଷା କରି ସାରସ୍ୱତ ସାଧକ, କବି ଓ ସମ୍ପାଦକ ପ୍ରଫେସର ଡ. ହରିଶ୍ଚନ୍ଦ୍ର ବେହେରା କହିଥିଲେ – ସମୟ ଓ ପରିବେଶ ମଣିଷ ସ୍ୱଭାବରେ ବହୁ ପରିବର୍ତ୍ତନ ଆଣିଛି । ଦୁଃଖ ଦୈନ୍ୟରେ ସେ ଯେପରି ପ୍ରପୀଡ଼ିତ ନିଃସଙ୍ଗତା ଓ ନୈରାଶ୍ୟରେ ସେହିପରି ଉତ୍ପୀଡ଼ିତ । କରୋନା ଆକ୍ରାନ୍ତଙ୍କ ଦୁର୍ଦ୍ଦଶା ଭିତରେ ଲାଭଖୋର ଅମଣିଷଙ୍କ ଅତ୍ୟାଚାରର ବର୍ଣ୍ଣନା ରହିଛି କିଛି ଗଳ୍ପରେ । ମାତ୍ର ଦସ୍ୟୁ ବି ଦୟାଳୁ ହୋଇପାରେ ଏବଂ ପାପିଷ୍ଠ ବି ପୂଣ୍ୟବାନ୍ ହୋଇପାରେ ସତ୍‌କର୍ମ ବଳରେ ବୋଲି କହିଥିଲେ ଗାଳ୍ପିକ । ସଭାମଂଚକୁ ଆମନ୍ତ୍ରଣ, ଅତିଥି ବରଣ ଏବଂ ପରିଚୟ ପ୍ରଦାନ କରିଥିଲେ କବି ଅଧ୍ୟାପକ କିଶୋର ପାଣିଗ୍ରାହୀ । ପ୍ରଫେସର ଡ. ବଳରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସ୍ୱାଗତ ଭାଷଣ ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ସାମଲ ପ୍ରଦାନ କଲା ବେଳେ ଅନୁଷ୍ଠାନ ସମ୍ପାଦକ ପ୍ରଫେସର ଡ. ଶଶଧର ଦାସ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ଅନ୍ୟତମ ସଦସ୍ୟ ହରମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଭଦ୍ରକର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.