– ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ- ଏହି ୬ଟି ରାଜ୍ୟରେ ଏସବୁ ଶ୍ରମ ଦିବସ ସୃଷ୍ଟି ହୋଇଛି
– ଗାଁକୁ ଫେରିଆସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ପ୍ରଗତିକୁ ରେଳବାଇ ତଦାରଖ କରୁଛି
– ୨୦୨୦ ସେପ୍ଟେମ୍ବର ୪ ସୁଦ୍ଧା ଯୋଜନାରେ ସଂପୃକ୍ତ ଠିକାଦାରଙ୍କୁ ଶ୍ରମିକଙ୍କ ମଜୁରି ବାବଦରେ ୧, ୬୩୧-୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି
– ସଂପୃକ୍ତ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ କାର୍ଯ୍ୟକାରୀ ହେଉଛି
– ଏସବୁ ରାଜ୍ୟରେ ୧୬୪ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି
ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଏହି ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଭାରତୀୟ ରେଳବାଇ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮, ୦୯, ୦୪୬ ଶ୍ରମ ଦିବସ ସୃଷ୍ଟି କରିଛି। ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକେ ଠିକ୍ଭାବରେ କାମ ପାଉଛନ୍ତି କି ନାହିଁ ତାହା ଶ୍ରୀ ଗୋଏଲ ତଦାରଖ କରୁଛନ୍ତି। ଏସବୁ ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।
ଚଳିତବର୍ଷ ସେପ୍ଟେମ୍ବର ୪ ସୁଦ୍ଧା ଏସବୁ ପ୍ରକଳ୍ପରେ ୧୨, ୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି ଏବଂ ସେମାନଙ୍କୁ ମଜୁରି ବାବଦରେ ୧, ୬୧୩-୮୦ କୋଟି ଟଙ୍କା ସଂପୃକ୍ତ ଠିକାଦାରମାନଙ୍କ ଜରିଆରେ ପ୍ରଦାନ କରାଯାଇଛି।
ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି। ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି। ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ। ଏହାଛଡା ଗ୍ରାମସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା। ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।
ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି। ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର୍ଯ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।
କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି।