Home ଜିଲ୍ଲା ପରିକ୍ରମା ଗଣେଶ ପୂଜା ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ଅକ୍ଟୋବର ୬ ରୁ ୧୦ ମଧ୍ୟରେ ଭସାଣି

ଗଣେଶ ପୂଜା ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ଅକ୍ଟୋବର ୬ ରୁ ୧୦ ମଧ୍ୟରେ ଭସାଣି

19

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ଭଦ୍ରକ ଜିଲ୍ଲାରେ ପ୍ରାୟ ମାସେ ଧରି ପାଳନ କରାଯାଇ ଆସୁଥିବା ପ୍ରସିଦ୍ଧ ଗଣେଶ ପୂଜୋତ୍ସବ ପର୍ବ ଚଳିତ ବର୍ଷ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଂଟୁପାଲି, ଅତରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ବିଗତ ଦିନରେ ଯେପରି ଶାନ୍ତି ଶୃଙ୍ଖଳାର ସହିତ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଗଣେଶ ପୂଜା ଓ ଭସାଣି ପାଳିତ ହୋଇଆସିଛି ଚଳିତ ବର୍ଷ ମଧ୍ୟ ସେହିପରି ଭାଇଚାରାର ସଂସ୍କୃତି ବଜାୟ ରଖି ଉତମ ବାତାବରଣ ମଧ୍ୟରେ ଗଣେଶ ପୂଜା ଉତ୍ସବ ପାଳନ ଓ ଭସାଣି ଯାତ୍ରା ସମସ୍ତଙ୍କ ସହଯୋଗ ମଧ୍ୟରେ ଅନୁଷ୍ଠିତ ହେବା ନେଇ ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେପ୍ଟେମ୍ବର ମାସ ୭ ତାରିଖ ଶନିବାର ଦିନ ପାଳିତ ହେବାକୁ ଥିବା ଗଣେଶ ପୂଜା ଦିନ ଠାରୁ ଭଦ୍ରକର ପ୍ରସିଦ୍ଧ ବୁଢ଼ା ଗଣେଶ, ପିଲା ଗଣେଶ, କାଂଚନ ଗଣେଶ, ଟୋକା ଗଣେଶ ଓ ଛୁଆ ଗଣେଶଙ୍କ ପୂଜା ଆରମ୍ଭ ହୋଇ ପ୍ରାୟ ଏକମାସ ପର୍ଯ୍ୟନ୍ତ ମଣ୍ଡପରେ ପୂଜା ଉତ୍ସବ ଅନୁଷ୍ଠିତ ହେବା ନେଇ ବୈଠକରେ ଉପସ୍ଥିତ ସଂପୃକ୍ତ ପୂଜା କମିଟିର ସଭାପତି, ସମ୍ପାଦକ ପ୍ରକାଶ କରିଥିଲେ। ଅନ୍ୟ ପର୍ବଭଳି ଏ ପର୍ବରେ ମଧ୍ୟ ଡି.ଜେ. ବ୍ୟବହାର କରାନଯିବା ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ଭସାଣିରେ ପାରମ୍ପରିକ ବାଦ୍ୟ ବ୍ୟବହାର କରାଯିବାନେଇ ପୂଜା କମିଟିର କର୍ମକର୍ତାମାନେ ପ୍ରକାଶ କରିଥିଲେ। ନ୍ୟାୟାଳୟର ମାର୍ଗ ଦର୍ଶିକା ଅନୁଯାୟୀ ଶବ୍ଦ ବ୍ୟବସ୍ଥାରେ ନିୟନ୍ତ୍ରଣ ରଖିବାକୁ ଏସ୍‌.ପି. ପରାମର୍ଶ ପ୍ରଦାନ କରିଥିଲେ। ଅକ୍ଟୋବର ୬ ରେ ବୁଢ଼ା ଗଣେଶଙ୍କ ଭସାଣିରୁ ସମସ୍ତ ଗଣେଶ ମେଢ଼ର କ୍ରମାନୁଯାୟୀ ଭସାଣି ଯାତ୍ରା ଆରମ୍ଭ ହେବ। ୭ ରେ ପିଲା ଗଣେଶ, ୮ ରେ ଟୋକା ଗଣେଶ ୯ ରେ କାଂଚନ ଗଣେଶ ଏବଂ ୧୦ ରେ ଛୁଆ ଗଣେଶଙ୍କ ଭସାଣି ହେବା ନେଇ କାର୍ଯ୍ୟସୂଚୀ ବୈଠକରେ ଅନୁମୋଦିତ ହେଲା। ପୂଜା ସମୟରେ ଆବଶ୍ୟକ ପୋଲିସ୍ ମୂତୟନ, ଜନ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ, ପୋଲିସ୍‌, ପେଟ୍ରୋଲିଂ, ବିଦ୍ୟୁତ୍ ଓ ଅଗ୍ନି ନିରାପତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପ୍ରତି ମଣ୍ଡପରେ ସି.ସି.ଟିଭି କ୍ୟାମେରା, ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ପୂଜାମଣ୍ଡପରେ ନିୟୋଜିତ ସ୍ୱେଚ୍ଛାସେବକ ମାନଙ୍କ ପାଇଁ ପରିଚୟ ପତ୍ର, ପରିଷ୍କାର ପରିଚ୍ଛନ୍ନତା, ରାସ୍ତା ଆଲୋକି କରଣ, କଳସ ବୁଡ଼ା ଘାଟ ପରିସ୍କାର ଆଦି ସମ୍ବନ୍ଧରେ ଟିକିନିଖି ସମୀକ୍ଷା କରାଯାଇ ଆବଶ୍ୟକ ମତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସେହିପରି ଭସାଣିଯାତ୍ରା ପାଇଁ ଆମ୍ବୁଲାନସ୍ ବ୍ୟବସ୍ଥା, ପୋଲିସ୍ ବ୍ୟବସ୍ଥା, ଶୋଭାଯାତ୍ରାରେ କୌଣସି ପ୍ରକାର ଅଗ୍ନିଖେଳ ପ୍ରଦର୍ଶନ ନ କରିବା, ଅବକାରୀ ଧରପଗଡ଼, ମେଢ଼ ନ ଲାଗିବା ପାଇଁ ଡାଳ କଟାଯିବା, ସଂପୃକ୍ତ ରାସ୍ତା ମରାମତି ଓ ରାସ୍ତା ଆଲୋକି କରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଦ୍ୱାରା ଜାରି ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ପୂଜା ପାର୍ବଣ ସମୟରେ ବାସିଫୁଲ, ପତ୍ର, ଫଳ ଆଦି ସହ ମୂର୍ତି ବିସର୍ଜନ ପ୍ରାକୃତିକ ଜଳାଶୟରେ ନ ପକାଇବା ପାଇଁ ପ୍ରଶାସନ ତରଫରୁ ସଚେତନତା ସୃଷ୍ଟି କରାଯିବା ମୂର୍ତି ବିସର୍ଜନ ପାଇଁ କୃତ୍ରିମ ଜଳାଶୟ ବ୍ୟବସ୍ଥା କରିବାକୁ ପରୀକ୍ଷା ନିରୀକ୍ଷା କରିବା ଆଦି ଦିଗରେ ମଧ୍ୟ ଆଲୋଚନା କରାଯାଇ ଆବଶ୍ୟକ ଅନୁଯାୟୀ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ। ଏହି ପର୍ବ ପାଳନରେ ମୁସଲିମ୍ ଜମାତ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବା ନେଇ ବୈଠକର ଉପସ୍ଥିତ ସଦସ୍ୟ ପ୍ରକାଶ କରିଥିଲେ। ସଂପୃକ୍ତ ପୋଲିସ୍ ଓ ବିଭାଗୀୟ ଅଧିକାରୀ, ଶାନ୍ତି କମିଟିର ସଦସ୍ୟ, ସଂପୃକ୍ତ ୫ଟି ପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତାମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ମତାମତ ରଖିଥିଲେ। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.