ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଥାନା ଅନ୍ତର୍ଗତ ଖେରଙ୍ଗ ଗ୍ରାମରେ ଚୋରା ମଦ ଓ ଧଳା ଜହର ବ୍ୟାପକ କାରବାରକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ତରଫରୁ ଚୋରା ନିଶା ଦ୍ରବ୍ୟ କାରବାରକୁ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ। ଶେଷରେ ଗତକାଲି ସନ୍ଧ୍ୟାରେ ଏହି ଗ୍ରାମର ବହୁସଂଖ୍ୟକ ପୁରୁଷ ଓ ମହିଳା ଜିଲାପାଳଙ୍କ ଅଫିସ୍କୁ ଆସି ଅବକାରୀ ବିଭାଗ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରାମବାସୀମାନଙ୍କ ଅଭିଯୋଗ ହେଲା ଖେରଙ୍ଗ ଗ୍ରାମଟି ମଦ ଓ ଧଳା ଜହର ବିକ୍ରୟର ଚରାଭୂଇଁ ପାଲଟିଛି। ଗ୍ରାମର ବାର ବର୍ଷରୁ ଉର୍ଦ୍ଧ୍ୱ ଛୋଟ ଠୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ନିଶାରେ ଉବୁଟୁବୁ ହେଉଛନ୍ତି। ଫଳରେ ଖେରଙ୍ଗ ଗ୍ରାମର ସାଧାରଣ ଜୀବନଯାପନ ଅସୁରକ୍ଷିତ ହୋଇପଡୁଛି। ବିଶେଷକରି ମହିଳାମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି। ଅନ୍ୟପକ୍ଷରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରୁଛି। ନିଶା ସେବନ ଦ୍ୱାରା ଗାଁରେ ୬ ଜଣ ମହିଳା ବିଧବା ହୋଇଯାଇଛନ୍ତି। ବିଧବା ମହିଳାମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ଏବେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଦାବିପତ୍ରରେ ଦର୍ଶାଯାଇଛି। ନିଶାଶକ୍ତମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ନାନା ବିଶୃଙ୍ଖଳା କରୁଥିବାରୁ ଗ୍ରାମୀଣ ପରିବେଶ ନଷ୍ଟଭ୍ରଷ୍ଟ ହୋଇଯାଇଛି। ଏହାବ୍ୟତୀତ ସ୍ୱାମୀମାନେ ମଦ ପିଇ ଘରେ ସ୍ତ୍ରୀମାନଙ୍କୁ ନାନାଦି ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଛନ୍ତି। ଖେରଙ୍ଗ ମାର୍କେଟ୍ରେ ବେଆଇନ୍ ନିଶାଦ୍ରବ୍ୟ କାରବାର ଏହି ଅଂଚଳର ସାମାଜିକ ଓ ପାରିବାରିକ ପରିବେଶକୁ ନଷ୍ଟ କରିଦେଇଛି। ଏହି ବେଆଇନ୍ ନିଶା ଦ୍ରବ୍ୟ କାରବାରକୁ ବନ୍ଦ କରି ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଆଗାମୀ ୫ଦିନ ମଧ୍ୟରେ ପ୍ରଶାସନ ତରଫରୁ କୌଣସି ଆଇନଗତ ପଦକ୍ଷେପ ନିଆନଯାଏ, ଗ୍ରାମର ମହିଳା, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସୁମଲତା ତରାଇ, ବାସନ୍ତୀ ମାଝୀ, ରିନାରାଣୀ ମାଝୀ, ବାମଦେବ ତରାଇ, ଲିଟିଲ ତରାଇ, ମନୋରମା ମାଝୀ, ଲକ୍ଷ୍ମୀପ୍ରିୟା ତରାଇ, ଆରତୀ ସୂତାର ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଖେରଙ୍ଗ ଗ୍ରାମରେ ବେଆଇନ୍ ଚୋରା ମଦ ଓ ଧଳା ଜହର କାରବାର, ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ...