Home ଜିଲ୍ଲା ପରିକ୍ରମା ଖରାଦିନରେ ଚକଓରଡ଼ା ଗ୍ରାମରେ ପାନୀୟଜଳ ସଙ୍କଟ, ଏକମାତ୍ର ନଳକୂପ ଅଚଳ, ପାଖ ଗାଁରୁ ପାଣି ଆଣି...

ଖରାଦିନରେ ଚକଓରଡ଼ା ଗ୍ରାମରେ ପାନୀୟଜଳ ସଙ୍କଟ, ଏକମାତ୍ର ନଳକୂପ ଅଚଳ, ପାଖ ଗାଁରୁ ପାଣି ଆଣି ପିଉଛନ୍ତି ଲୋକ

12

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଫତେପୁର ପଂଚାୟତ ଅଧିନ ଚକଓରଡ଼ା ଗ୍ରାମରେ ଖରାଦିନରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ଗ୍ରାମରେ ଥିବା ଏକମାତ୍ର ନଳକୂପ ଗତ କିଛିଦିନ ହେଲା ଅଚଳ ହୋଇପଡ଼ିଛି । ଯାହାଫଳରେ ପାଖ ଗାଁରୁ ପାଣି ଆଣି ଲୋକ ପିଉଛନ୍ତି । ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ସେମାନେ ଗୁରୁବାର ବିଡ଼ିଓଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିବା ସହିତ ତୁରନ୍ତ ଅଚଳ ନଳକୂପ ସଚଳ କରିବାକୁ ଦାବି କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଚକଓରଡ଼ା ଗ୍ରାମରେ ୫ଶହରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଗ୍ରାମର ଲୋକମାନଙ୍କ ଚଳିବା ପାଇଁ ଗୋଟିଏ ନଳକୂପ ଅଛି।ସେହି ନଳକୂପ ଉପରେ ଲୋକମାନେ ନିର୍ଭରକରି ଚଳିଥାନ୍ତି।ତେବେ ଗ୍ରାମରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ପଡ଼ିଛି । ଯାହାଫଳରେ ପାନୀୟ ଜଳ ପାଇଁ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେମାନେ ନିରୁପାୟ ହୋଇ ପାଖ ଗାଁରୁ ପାଣି ଆଣି ପିଇବା ସହିତ ବ୍ୟବହାର କରୁଛନ୍ତି । ଏବେ ଖରା ଓ ଗୁଳୁଗୁଳି ହେଉଥିବାରୁ ଦୂରକୁ ଯାଇ ପାଣି ଆଣିବା କଷ୍ଟସାଧ୍ୟ ହୋଇଛି । ଗ୍ରାମର ଶଙ୍କର୍ଷଣ ବେହେରା, ରାଜେନ୍ଦ୍ର ସାହୁ, ରବିନ୍ଦ୍ର ବେହେରା, ନନ୍ଦିଘୋଷ ବେହେରା, ମାନସ ବେହେରା, ରୁଦ୍ର ବେହେରା, ବାପି ବେହେରା ପ୍ରମୁଖ ବିଡ଼ିଓଙ୍କୁ ଜଣାଇବା ସହିତ ତୁରନ୍ତ ନଳକୂପ ମରାମତି କରିବାକୁ ଦାବି କରିଛନ୍ତି।ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମାନସୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ନଳକୂପ ଅଚଳ ହେବା ନେଇ ସେ ଅବଗତ ନାହାଁନ୍ତି। ତେବେ ତୁରନ୍ତ କ୍ଷେତ୍ରୀୟ ଅନୁଧ୍ୟାନ କରାଯାଇ ନଳକୂପ ସଜାଡ଼ିବା ଦିଗରେ ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.