Home ଓଡ଼ିଶା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣରେ ଦୁର୍ନିତୀ

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣରେ ଦୁର୍ନିତୀ

69

ଯୋଡା – ୩୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଭୂତଳ ଜଳସ୍ଥର ବୃଦ୍ଧି, କ୍ଷୁଦ୍ର ଚାଷୀଙ୍କୁ ଜଳ ଯୋଗାଣ ନିମନ୍ତେ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପମାନ ନିର୍ମାଣ କରି ବିଭିନ୍ନ ଝରଣା ଜଳକୁ ଚେକ୍ ଡ୍ୟାମ ମାଧ୍ୟମରେ ଅଟକାଇ ଏହାକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ସରକାରଙ୍କ ପ୍ରୟାଶ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେବେ ସରକାର ଆଦିବାସୀମାନଙ୍କର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଥିବା ବେଳେ ଏହା ଯେ ଠିକ୍ ବାଟରେ କାର୍ଯ୍ୟକାରୀ ହେଉନାହିଁ ଏହାର ଅନେକ ଦୃଷ୍ଟାନ୍ତ ଯୋଡା ବ୍ଲକରେ ଦେଖିବାକୁ ମିଳିଛି । ଏହି କ୍ଲବ ଅନ୍ତର୍ଗତ କାରଖେଣ୍ଡରା ପଞ୍ଚାୟତରେ ନିର୍ମିତ ଦୁଇଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କାରାଖେଣ୍ଡରା ଭୂୟାଁବସ୍ତି ଅନ୍ତର୍ଗତ ସୁଜନ ଝଙ୍କିଆ ନାଳ ଉପରେ ୯ ଲକ୍ଷ ୭୦ ହଜାର ଟଙ୍କାରେ ନିର୍ମିତ ଚେକ୍ ଡ୍ୟାମ ଏବଂ ସିଙ୍କୁ ସାହିରେ ଅବସ୍ଥିତ ୯ ଲକ୍ଷ ୮୦ ହଜାର ଟଙ୍କାର ଚେକ୍ ଡ୍ୟାମ ଦୁଇଟିରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି । ସୁଜନ ଝଙ୍କିଆ ନାଳ ଉପରେ ନିର୍ମିତ ଚେକ୍ ଡ୍ୟାମଟି ପୂର୍ବରୁ ଥିବା ବେଳେ ଏହା ଉପରେ ମାତ୍ର ଆଉ କିଛି ଯୋଡେଇ କରାଯିବା ସହିତ ବନ୍ଧକୁ ପଲସ୍ତରା କରାଯାଇ ନୂତନ ଭାବେ ବିଲ୍ କରାଯାଉଥିବା ଅଭିଯୋଗ ହୋଇଛି । ଏହି ବନ୍ଧ ଦୁଇଟିରେ ସାତ ଫୁଟ ଗଭିରରୁ ଢଳେଇ କାର୍ଯ୍ୟ କରାଯିବାର ଅଟକଳ କରାଯାଇଥିବା ବେଳେ ମାତ୍ର ୧୬ ଇଞ୍ଚ ମାଟି ଖୋଳାଯାଇ ଏହା ନିର୍ମାଣ କରାଯାଇଥିବା ଯାଞ୍ଚ ସମୟରେ ଜଣାପଡିଛି । ଯାହା ବନ୍ଧଟିର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ପାଇବା ପରେ ଯୋଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଯଦୁନାଥ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛନ୍ତି । ତଦନ୍ତରୁ ଏଠାରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଏବଂ ଅଟକଳ ମୁତାବକ କାର୍ଯ୍ୟ ହୋଇନଥିବା ଜଣାପଡିଛି । ତେବେ ଏହି କାର୍ଯ୍ୟ ୨ଟିକୁ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ସୁବୋଧ ବେହୁରିଆଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ ଏହି କାର୍ଯ୍ୟ ୨ଟିର ବିଲ ଏପର୍ଯ୍ୟନ୍ତ ପୈଠ କରାଯାଇନଥିବା କହିବା ସହ ଅଭିଯୋଗ ମୁତାବକ ଏହି କାର୍ଯ୍ୟ ୨ଟିକୁ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.