Home ଓଡ଼ିଶା କ୍ରମାଗତ ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ବି.ଏଡ୍‌. ଶିକ୍ଷକ ମହାସଂଘ

କ୍ରମାଗତ ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ବି.ଏଡ୍‌. ଶିକ୍ଷକ ମହାସଂଘ

35

ଭୁବନେଶ୍ୱର ୬ା୧୦ (ଓଡ଼ିଆ ପୁଅ) : ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବି.ଏଡ୍‌. ଶିକ୍ଷକମାନଙ୍କୁ ରାଜ୍ୟ ସରକାର ବାରମ୍ବାର ଅବହେଳାର ପ୍ରତିବାଦ ଜଣାଇଛି ଓଡ଼ିଶା ପ୍ରାଥମିକ ବି.ଏଡ୍ ଶିକ୍ଷକ ମହାସଂଘ। ରାଜ୍ୟ ସରକାର ବି.ଏଡ୍ ଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପରିବର୍ତ୍ତେ ସେମାନଙ୍କୁ ଠକି ଚାଲିଛନ୍ତି ବୋଲି ରାଜ୍ୟ ସଂଘର ସଭାପତି ଅଜୟ କୁମାର ଧଳ ଅଭିଯୋଗ କରିଛନ୍ତି। ରବିବାର ରାଜ୍ୟ କାର୍ଯ୍ୟକାରିଣୀର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ପ୍ରସଙ୍ଗରେ ବିଷଦ ଆଲୋଚନା କରାଯାଇଥିଲା। ସରକାର ପ୍ରାଥମିକ ବି.ଏଡ୍‌. ଶିକ୍ଷକମାନଙ୍କୁ ବିଜ୍ଞାପନ ଆଧାରରେ ନିଯୁକ୍ତି ଦେଉଥିଲେ ମଧ୍ୟ ସେହି ଆଧାରରେ ଦରମା ପ୍ରଦାନ କରୁନାହାଁନ୍ତି। ବି.ଏଡ୍ ଶିକ୍ଷକମାନଙ୍କୁ ପଦୋନ୍ନତି କ୍ଷେତ୍ରରେ ପ୍ରାଥମିକତା ମଧ୍ୟ ପ୍ରଦାନ କରାଯାଉନାହିଁ। ସରକାର ଦୁଇଟି କାଟାଗୋରୀ କରି ନିଯୁକ୍ତି ଦେଉଛନ୍ତି, ଯେଉଁଥିରେ ଶତକଡ଼ା ୫୦ ଭାଗ ବି.ଏଡ୍‌. ଓ ଶତକଡ଼ା ୫୦ ଭାଗ +୨ ସି.ଟି. ପଦବୀରେ ନିଯୁକ୍ତି ଦିଆଯାଉଛି ଏବଂ ଓ.ଟି.ଇ.ଟି.-୧ ଓ ଓ.ଟି.ଇ.ଟି.-୨ ଏହିପରି ନିଯୁକ୍ତି କରୁଥିଲେ ମଧ୍ୟ ସେମାନଙ୍କ କଥା ସମାନ ଭାବରେ ବିଚାରକୁ ନ ନେଇ କମ୍ ଯୋଗ୍ୟତା ସମ୍ପନ୍ନ ଏବଂ ଆଦୌ ନିଯୁକ୍ତି ପାଇନଥିବା ବି.ଏ. ସି.ଟି. ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବାପାଇଁ ଏକ କିମ୍ଭୁତ କିମାକାର କ୍ୟାଡର ପ୍ରସ୍ତୁତ କରି ଗ୍ରାଜୁଏଟ୍ ଟିଚର ନାମରେ ଏକ ନୂତନ ପଦବୀ ସୃଷ୍ଟି କରି ଶିକ୍ଷକମାନଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେଉଛନ୍ତି, ଯାହାକି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଆଇନ୍ ବିରୋଧି। +୨ ସି.ଟି. ପଦବୀରେ ନିଯୁକ୍ତ ଶିକ୍ଷକମାନେ ପରବର୍ତ୍ତୀ ସମୟରେ ନିଜର ଯୋଗ୍ୟତା ବୃଦ୍ଧି କରି ବରିଷ୍ଠତା ଭିତ୍ତିରେ ପଦୋନ୍ନତିର ସୁଯୋଗ ଲାଭ କରୁଥିଲା ବେଳେ ବି.ଏଡ୍‌. ଭିତ୍ତିରେ ନିଯୁକ୍ତ ଶିକ୍ଷକମାନେ ଅବହେଳିତ ହୋଇ ପଦୋନ୍ନତିରୁ ବଞ୍ôଚତ ହେଉଛନ୍ତି, ଯାହାକୁ ସଂଘ ଘୋର ବିରୋଧ କରୁଛି। ମୂଳ ନିଯୁକ୍ତି ପଦବୀକୁ ଧରି ପଦୋନ୍ନତି ପ୍ରକ୍ରିୟା କରିବାକୁ ସଂଘ ରାଜ୍ୟ ସରକାରଙ୍କୁ ଅନୁରୋଧ ଜଣାଉଅଛି। କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦କୁ ରାଜ୍ୟ ସରକାର ଗ୍ରହଣ କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ଯେଉଁଥିରେ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ବି.ଏଡ୍ ଶିକ୍ଷକଙ୍କର ଆବଶ୍ୟକତା ରହିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ବି.ଏଡ୍ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡର ପ୍ରସ୍ତୁତ କରି ସେମାନଙ୍କୁ ଟି.ଜି. ହାରରେ ଦରମା ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଛି। ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କେନ୍ଦ୍ର ସରକାର ତଥା ଏନ୍‌.ସି.ଟି.ର ନିର୍ଦ୍ଦେଶନାମା ପାଳନ କରି ରାଜ୍ୟ ସରକାର ବି.ଏଡ୍ ଶିକ୍ଷକମାନଙ୍କୁ ଭାରତର ସମସ୍ତ ରାଜ୍ୟରେ ନିଯୁକ୍ତି କରୁଥିଲେ ମଧ୍ୟ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ବି.ଏଡ୍ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇ ମାଟ୍ରିକ୍ ସି.ଟି. ହାରରେ ଦରମା ପ୍ରଦାନ କରାଯାଉଛି, ଯାହାକୁ ମହାସଂଘ ତୀବ୍ର ବିରୋଧ କରୁଛି। ଏତଦ୍‌ବ୍ୟତୀତ ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ କେବଳ ବି.ଏଡ୍‌. ଶିକ୍ଷକମାନଙ୍କୁ ଡେପୁଟେସନରେ ପଠାଯାଉଛି, ଯାହାକୁ ସଂଘ ବିରୋଧ କରୁଛି ଏବଂ ଡେପୁଟେସନ୍ ବଦଳରେ ସରକାରୀ ବ୍ୟବସ୍ଥାରେ ଥିବା ପଦୋନ୍ନତି ଦେଇ ଉଚ୍ଚ ବିଦ୍ୟାଳୟରେ ଅବସ୍ଥାପିତ କରିବାକୁ ଅନୁରୋଧ ଜଣାଉଅଛି। ସରକାର ଏ ଦିଗରେ ସୁବିଚାର କରି ଦୃଢ ପଦକ୍ଷେପ ନେଲେ ବି.ଏଡ୍ ଶିକ୍ଷକମାନେ ନ୍ୟାର୍ଯ୍ୟ ଦାବି ହାସଲ କରିପାରିବେ ବୋଲି ସଂଘର ମହାସଚିବ ଉମେଶ ଚନ୍ଦ୍ର ନାୟକ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ବୈଠକରେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଡଃ ଦେବେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପଣ୍ଡା, ଆବାହକ ପ୍ରଦ୍ୟୁମ୍ନ ବାରିକ, ଉପସଭାପତି ନିରଞ୍ଜନ ସାମଲଙ୍କ ସମେତ ବିଭିନ୍ନ ଜିଲ୍ଲା ପ୍ରତିନିଧିମାନଙ୍କ ମଧ୍ୟରୁ ଦେବଦତ୍ତ ଦାଶ, ଅନନ୍ତ କୁମାର ସାହୁ, ଅନାଦି ଚରଣ ନାୟକ, ଜୟଦେବ ସାହୁ, ଟି. ରାଜାରାମ ପାତ୍ର, ନରେନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ, ଗୌତମ କୁମାର ସାହୁ, ପୁର୍ଣ୍ଣଚନ୍ଦ୍ର ବେହେରା, ମଦନମୋହନ ସାହୁ, ଅମୂଲ୍ୟ କୁମାର ଲେଙ୍କା ପ୍ରମୁଖ ଯୋଗଦେଇ ସରକାରଙ୍କ ବି.ଏଡ୍‌. ଶିକ୍ଷକ ମାରଣ ନୀତିର ତୀବ୍ର ବିରୋଧ କରିଥିଲେ। ଯଦି ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ବି.ଏଡ୍ ଶିକ୍ଷକମାନଙ୍କୁ ନ୍ୟାୟ ପ୍ରଦାନ ନ କରନ୍ତି, ତେବେ ମହାସଂଘ ବ୍ଲକ ସ୍ତରରୁ ଆନ୍ଦୋନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କରି ରାଜ୍ୟସ୍ତରରେ ମହା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.