Home ଅପରାଧ କୋର୍ଟରୁ ବାପ ପୁଅ ଫେରାର ଘଟଣାରେ ଜଣେ ସିଏସଆଇ ଓ ୩ କନେଷ୍ଟବଳଙ୍କୁ ନିଲମ୍ବିତ କଲେ...

କୋର୍ଟରୁ ବାପ ପୁଅ ଫେରାର ଘଟଣାରେ ଜଣେ ସିଏସଆଇ ଓ ୩ କନେଷ୍ଟବଳଙ୍କୁ ନିଲମ୍ବିତ କଲେ କେନ୍ଦୁଝର ଏସପି

489

କେନ୍ଦୁଝର,ତା ୧୫ ଅକ୍ଟୋବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା କୋର୍ଟ ପରିସର ମଧ୍ୟରୁ ଦୁଇଜଣ ମୁଦାଲା ଫେରାର ହୋଇଥିବା ଘଟଣାରେ ପୋଲିସ କୋର୍ଟର ଜଣେ ସିଏସଆଇ ଓ ତିନି ଜଣ କନେଷ୍ଟବଳଙ୍କୁ ଏସପି ମିତ୍ରଭାନୁ ମହାପାତ୍ର ମଙ୍ଗଳବାର ଦିନ ନିଲମ୍ବିତ କରିଛନ୍ତି । ଖବର ଅନୁଯାୟୀ ସେମାନେ ସିଏସଆଇ ଦୁଷ୍ମନ୍ତ ସିଂ ଓ କନେଷ୍ଟବଳ ରେଣୁବାଳା ମହାନ୍ତି, ଶିବାନୀ ନାୟକ, ମନୋରମା ସେଠୀ ବୋଲି ଜଣାପଡ଼ିଛି । ଦାୟିତ୍ୱରେ ଖିଲାପ କରିଥିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବିତ କରାଯାଇଥିବାର ସୂଚନା ମିଳିଛି । ଏହି ଘଟଣାର ତଦନ୍ତ କରିବା ପାଇଁ କେନ୍ଦୁଝର ଏସପି କ୍ରାଇମ ଡିଏସପିଙ୍କୁ ଆଦେଶ ଦେଇଛନ୍ତି । ଫେରାର ହୋଇଥିବା ଦୁଇ ଜଣ ମୁଦାଲା ବାପ ଓ ପୁଅ ବୋଲି ଜଣାପଡିଛି । ସେମାନେ ଏକ ଜାତିଆଣ ମାମଲାରେ ଫେରାର ଥିବା ବେଳେ ସୋମବାର କୋର୍ଟକୁ ଆତ୍ମସମର୍ପଣ କରିବାକୁ ଆସିଥିଲେ । କୋର୍ଟରେ ତାଙ୍କର ଜାମିନ ଖାରଜ ହୋଇଯିବା ପରେ ପୋଲିସ ହେପାଜତକୁ ଯାଇଥିଲେ । ହେଲେ ସେମାନେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏସପି ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାର ତଦନ୍ତ ଆଦେଶ ଦେଇଥିଲେ । କ୍ରାଇମ ଡିଏସପିଙ୍କ ସୂଚନା ଅନୁଯାୟୀ ଦୁଇ ଜଣ ଆସାମୀ ହେଉଛନ୍ତି ବାପ ଦାଶରଥି ଖୁଣ୍ଟିଆ ଓ ତାଙ୍କ ପୁଅ ଅବିଲ ଖୁଣ୍ଟିଆ । ସେମାନେ ତେଲକୋଇ ଥାନା ସରୁଆଳି ଗ୍ରାମର ବୋଲି ଜଣାପଡ଼ିଛି । ପୁଅ ଅବିଲଙ୍କୁ ପୋଲିସ ଘରୁ ଧରିବାରେ ସଫଳ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବାପ ଦାଶରଥି ଫେରାର ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.