Home ଜିଲ୍ଲା ପରିକ୍ରମା କୋରିଗାଁ ଗ୍ରାମ୍ୟରାସ୍ତା ବିପର୍ଯ୍ୟସ୍ତ

କୋରିଗାଁ ଗ୍ରାମ୍ୟରାସ୍ତା ବିପର୍ଯ୍ୟସ୍ତ

22

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର କୋରିଗାଁ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଗ୍ରାମର ସାହୁସାହି ଠାରୁ ବିନ୍ଧାଣି ସାହି ପର୍ଯ୍ୟନ୍ତ ୪ଶହ ମିଟର ରାସ୍ତା ବିପର୍ଯ୍ୟସ୍ତ ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଏହି ରାସ୍ତା ପଞ୍ଚାୟତ ଅର୍ଥରେ ଗତ ୨୦୨୧ ମସିହା ଶେଷ ଭାଗରେ କଂକ୍ରିଟକରଣ ହୋଇଥିଲା । ନିର୍ମାଣର ଏକ ବର୍ଷ ମଧ୍ୟରେ ରାସ୍ତା ମଝିରେ ଦୁଇଫାଳ ହୋଇ ଫାଟିଯାଇ ବିପଦସଙ୍କୁଳ ହୋଇପଡିଥିଲା । ଚଳିତ ବର୍ଷାରେ ଏହି ରାସ୍ତାର ସ୍ଥାନେ ସ୍ଥାନେ ଗଳିପଡି ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ସାହୁସାହି, ବିନ୍ଧାଣିସାହି ଓ ସ୍ୱାଇଁସାହିର ହଜାରେରୁ ଅଧିକ ଲୋକ ଦୁର୍ଦ୍ଦଶାର ସମ୍ମୁଖିନ ହୋଇଛନ୍ତି । ଅନୁରୂପ ଭାବେ ଗ୍ରାମର ମୁଖ୍ୟରାସ୍ତା ମହାଦେବାଡି ଠାରୁ ବିନ୍ଧାଣିସାହିକୁ ଥିବା ସିଧାସଳଖ ରାସ୍ତା ନିର୍ମାଣ ହୋଇନାହିଁ । ଏହି କଚା ରାସ୍ତା ଦେଇ ସାହି ବାସିନ୍ଦା ଯାତାୟତ କରିବାରେ ଅସୁବିଧା ଭୋଗୁଛନ୍ତି । ସାହିର ଯୁବକମାନେ ଇଟାଭାଟିର ବର୍ଜ୍ୟ ଇଟା ପକାଇ ରାସ୍ତାକୁ ମରାମତି କରୁଥିଲେ ହେଁ ଏହା ଫଳପ୍ରଦ ହୋଇପାରି ନାହିଁ । ସେହିପରି କୁରିଗାଁ ହାଇସ୍କୁଲ ଠାରୁ ଉଆସ ଜେନା ସାହି ରାସ୍ତା ଅନୁରୂପ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ବର୍ଷ ବର୍ଷ ଧରି କଚାରାସ୍ତା ଦେଇ ସାହିଲୋକେ ଯାତାୟତ କରୁଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ଏହା ନିର୍ମାଣ ନହେବା ପରିତାପର ବିଷୟ ହୋଇଛି । ଏହି ପଞ୍ଚାୟତର ମୁଖ୍ୟ ଗ୍ରାମ ଭାବେ କୁରିଗାଁ ରହିଛି । ମାତ୍ର ଏହି ଗ୍ରାମର ବିଭିନ୍ନ ସାହିରାସ୍ତା ନିର୍ମାଣ ନହୋଇପାରିବା ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଏଥିନେଇ ଗ୍ରାମବାସୀମାନେ ବିଭିନ୍ନ ସମୟରେ ପଞ୍ଚାୟତ ଓ ବ୍ଲକ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହୋଇଛନ୍ତି । ରାସ୍ତା ଭଳି ମୌଳିକ ସମସ୍ୟା ଦୂର କରିବାରେ ପ୍ରଶାସନ ବିଫଳ ହୋଇଛି ବୋଲି ଗ୍ରାମବାସୀମାନେ ମତ ଦେଇ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.