ନୟାଗଡ଼, ୭ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଲୋକଙ୍କ ଉତ୍ସାହ ବଢାଇବା ପାଇଁ ଜିଲ୍ଲାର ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ସମ୍ମୁଖ ଯୋଦ୍ଧାଭାବେ ଖାଲି ଜିଲପାଳ ନୁହଁନ୍ତି ଜିଲାର ଆଗଧାଡ଼ିର ବିଭିନ୍ନ ବିଭାଗର ମୁଖ୍ୟମାନେ କୋଭିଡ୍ ଟିକା ନେଇଛନ୍ତି। ଜିଲପାଳ ଡ.ପୋମା ଟୁଡୁଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ପିଡି ସୁବାସ ଚନ୍ଦ ରାୟ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜୀତ ରାଉତ, ଡିଏଫଓ ଏଚ ଡି ଧନରାଜ, ବ୍ଳକର ସମସ୍ତ ବିଡିଓ, ତହସିଲଦାର ଓ ପୁଲିସ କର୍ମଚାରୀମାନେ ଟିକା ନେଇଥିଲେ। ତେବେ ଖାଲି ଟିକା ନେଇନଥିଲେ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢାଇବା ସହିତ ଟିକା ନେବାର ଦୃଶ୍ୟ ସାଧାରଣ ଜନତାଙ୍କ ସଚେତନତା ପାଇଁ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଛି। ଟିକା ନେଲେ କୌଣସି ସମସ୍ୟା ନାହିଁ ଏହା ସମ୍ପୁର୍ଣ୍ଣ ସୁରକ୍ଷିତ ବୋଲି ପ୍ରକାରାନ୍ତେ ଉଲ୍ଲେଖ କରାଯାଇଛି। ଫଳରେ ସାଧାରଣ ଜନତାଙ୍କ ମନୋବଳ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ଯେଉଁଠି ବଡ଼ ବଡ଼ ଅଧିକାରୀମାନେ ଟିକା ନେଉଛନ୍ତି ସେଠାରେ ଅନ୍ୟମାନେ ଟିକା ନେବାରେ ଅସୁବିଧା ନାହିଁ ବୋଲି ଆତ୍ମବିଶ୍ୱାସ ମଧ୍ୟ ଆସିଥିବା ଦେଖାଦେଇଛି।








