Home Coronavirus Outbreak କୋଭିଡ୍ ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ଅଭିଯୋଗ, ସଂଗରୋଧ ଗୃହରୁ ଚମ୍ପଟ ମାରିଲେ ୧୬୨ ସୁରଟ ଫେରନ୍ତା, ବେଗୁନିଆପଡ଼ାରେ...

କୋଭିଡ୍ ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ଅଭିଯୋଗ, ସଂଗରୋଧ ଗୃହରୁ ଚମ୍ପଟ ମାରିଲେ ୧୬୨ ସୁରଟ ଫେରନ୍ତା, ବେଗୁନିଆପଡ଼ାରେ ପ୍ରଶାସନ ନାକେଦମ୍

68

କୋଦଳା ୩ ମେ ୨୦୨୦ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) କ୍ୱାରାନଟାଇନ ସେଣ୍ଟରରେ ଅବ୍ୟବସ୍ଥା ଯୋଗୁଁ ଚମ୍ପଟ୍ ମାରିଲେ ଲୋକେ। ଏହିପରି ଅଭିଯୋଗ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ୨ ଟି କ୍ୱାରାନଟାଇନ ସେଣ୍ଟରରେ। ସୂଚନା ଅନୁସାରେ ଶନିବାର ରାତିରେ ସୁରଟରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ବସ୍ ରେ ବେଗୁନିଆପଡ଼ା ଅଞ୍ଚଳର ଶହଶହ ସଂଖ୍ୟାରେ ଲୋକ ଫେରିଥିବା ବେଳେ ସେମାନଙ୍କୁ ବେଗୁନିଆପଡ଼ା ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ୱାରାନଟାଇନରେ ରଖା ଯାଇଥିଲା। ତେବେ କ୍ୱାରାନଟାଇନ ସେଣ୍ଟରରେ ଅବ୍ୟବସ୍ଥା ଥିବା ନେଇ ଅଭିଯୋଗ କରିଥିଲେ ଲୋକେ। ଖାଇବା ପିଇବା ଠିକ୍ ଭାବେ ନମିଳିବା ଏବଂ ଏନେଇ ଦାୟିତ୍ବରେ ଥିବା ବ୍ୟକ୍ତି ବିଶେଷଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସକାଳୁ ସକାଳୁ ପ୍ରାୟ ୨୦୦ ଲୋକ ମୁଖ୍ୟ ଫାଟକ ଗେଟ୍ ଭାଙ୍ଗି ଫେରାର ହୋଇଥିଲେ। ଖାଲି ସେତିକି ନୁହେଁ ଉକ୍ତ ବ୍ଲକର ରାଗପୁର ଆଦର୍ଶ ବିଦ୍ୟାଳୟର କ୍ୱାରାନଟାଇନରେ ସେଣ୍ଟରରୁ ମଧ୍ୟ କିଛି ଲୋକ ଫେରାର୍ ହୋଇଯାଇଥିବା ଜଣାପଡିଛି। ସେଠାରେ ମଧ୍ୟ ଠିକ୍ ଏଭଳି ଅଭିଯୋଗ ଆସିଥିଲା। ସକାଳେ ଏ ଖବର ପ୍ରଚାରିତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା। ବେଗୁନିଆପଡ଼ା ମୁଖ୍ୟ ରାସ୍ତାରେ ଯାଉଥିବା ଅନେକ ଲୋକଙ୍କୁ ତହସିଲଦାର, ପୋଲିସ୍ କଞ୍ଚଣା ଠାରେ ଅଟକାଇ ପୁଣି ସଂଗରୋଧ ଗୃହରୁ ଫେରାଇବାକୁ ଉଦ୍ୟମ କରିଥିଲେ। ତେବେ ରାସ୍ତାରେ ଯାଉଥିବା ସମସ୍ତ ଲୋକଙ୍କୁ ପ୍ରଶାସନ ଫେରାଇ ଆଣିଥିବା ବେଳେ ଅଲଗା ରାସ୍ତା ଦେଇ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଲୋକ ଫେରାର୍ ହୋଇଯାଇଥିବା ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ପ୍ରବାସୀ ଓଡିଆଙ୍କ ଫେରିବାକୁ ନେଇ ଠୋସ୍ ତଥ୍ୟ ରହୁନାହିଁ। ବିଭିନ୍ନ ସମୟରେ ବିଡିଓଙ୍କୁ ପଚାରିଲେ ମଧ୍ୟ ସଂପର୍ଣ୍ଣ ଉତ୍ତର ନଦେଇ ବିଡିଓ ଫୋନ୍ କାଟି ଦେଉଛନ୍ତି। ପୂର୍ବରୁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୁରଟ ଫେରନ୍ତାଙ୍କୁ କିଭଳି କ୍ୱାରାନଟାଇନରେ ରଖାଯିବ ସେ ନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିଭଳି ସଠିକ୍ ଭାବେ ପରିଚାଳନା କରାଯିବ ସେ ନେଇ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନିମ୍ନ ମାନର ଖାଦ୍ୟ ଓ ଅବ୍ୟବସ୍ଥା ଯୋଗୁଁ କ୍ୱାରାନଟାଇନ ସେଣ୍ଟର ଗୁଡିକରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ଫେରାର୍ ହୋଇଯାଇଥିବା ଲୋକଙ୍କୁ ପୋଲିସ ଖୋଜୁଥିବା ବେଳେ ଏବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.