Home ଓଡ଼ିଶା ‘କୋଭିଡ୍ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍‌’ରେ କେଶୁ ଦାସଙ୍କ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ ପୁରସ୍କୃତ

‘କୋଭିଡ୍ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍‌’ରେ କେଶୁ ଦାସଙ୍କ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ ପୁରସ୍କୃତ

122

ବାଲେଶ୍ୱର, ୭ା୬ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସାମାଜିକ କର୍ମୀ କେଶୁ ଦାସ କୋଭିଡ୍‌-୧୯ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ-୨୦୨୦ (ସିଆଇଏଫ୍‌ଏଫ୍‌)ରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହେବା ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଛି। ମଇ ୨୩ ରୁ ଜୁନ୍ ୫ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଜୁମ୍ ପ୍ଲାଟ୍‌ଫର୍ମରେ ଆୟୋଜିତ ହୋଇଥିବା କୋଭିଡ୍‌-୧୯ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଅବସରରେ କେଶୁଦାସଙ୍କ ନିର୍ଦ୍ଦେଶିତ ‘କୋଭିଡ୍‌-୧୯: ଦ ସ୍କ୍ରିମିଂ ସାନ୍‌’କୁ ଶ୍ରେଷ୍ଠ ଡକୁ-ଫିଲ୍ମ ଭାବେ ଚୟନ କରାଯାଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ମହିଷାପଟା ପଂଚାୟତ ଅନ୍ତର୍ଗତ ଶାଳବଣୀ ଗ୍ରାମରେ ବସବାସ କରୁଥିବା ଆଦିବାସୀ ଭୂମିଜ ସଂପ୍ରଦାୟଙ୍କ ଜୀବନ ଓ ଜୀବିକା ଉପରେ ଆଧାରିତ ଏହି ପ୍ରାମାଣିକ ଚିତ୍ର୍ରଟି ବେଶ ଉଚ୍ଚକୋଟିର ହୋଇଛି। ‘ବଣଧୂଳିର ଫୁଲ’ ନାମକ ସ୍ଥାନୀୟ ଏକ ଅନୁଷ୍ଠାନ ଦ୍ୱାରା ପ୍ରଯୋଜିତ ଏବଂ କେଶୁଦାସଙ୍କ ନିର୍ଦ୍ଦେଶିତ ଏହି ତଥ୍ୟ ଭିତ୍ତିକ ଚଳଚ୍ଚିତ୍ରଟି ଶ୍ରେଷ୍ଠ ଡକ୍ୟୁ ଫିଲ୍ମ ବର୍ଗରେ ପୁରସ୍କାର ପାଇଥିବା ଯୋଗୁଁ ଶ୍ରୀ ଦାସଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ସଫଳତା ପାଇଁ ସେ ‘ବଣଧୂଳିର ଫୁଲ’ର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ ଏବଂ ‘ଗୁଞ୍ଜ୍‌’ର ସୁରେଶ କୁମାରଙ୍କୁ କୃତଜ୍ଞତା ଜଣାଇଛନ୍ତି। କେଶୁଦାସ ବିଗତ ତିନି ବର୍ଷ ଧରି ଆଦିବାସୀ କଳାସଂସ୍କୃତି ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିବା ସହ ସେମାନଙ୍କ ଜୀବନଚର୍ଯ୍ୟା ଉପରେ ଗବେଷଣା ଜାରି ରଖିଥିବାରୁ ଏହି ପୁରସ୍କାର ଶ୍ରୀଦାସଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଫିଲ୍ମ ଫେଷ୍ଟିଭାଲ୍‌ରେ ରାକେଶ ମୋଇରଙ୍ଗଥେମ୍ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଗ୍ରହଣ କରିଥିବା ବେଳେ ବିଦେଶୀ କାଟାଗୋରୀର ଚଳଚ୍ଚିତ୍ର ‘ସି +’କୁ ଗ୍ଲୋବାଲ୍ ଇକୋ ପାଇଁ ‘ସ୍ୱର୍ଣ୍ଣ ଅଶୋକା ଗୋଲ୍‌ଡ଼୍‌’ ପ୍ରଦାନ କରା ଯାଇଛି। ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ଅନୁଷ୍କା ପ୍ରିୟଦର୍ଶିନୀ। ଏହି ‘ସିଫ୍‌’ ଆୟୋଜନ ଦ୍ୱାରା ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ନିର୍ମାଣ ମାଧ୍ୟମରେ ବିଶ୍ୱ ସମୁଦାୟଙ୍କ ମଧ୍ୟରେ ଏକ ମିତ୍ରପଣ ସୃଷ୍ଟି କରିବା ସହିତ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଫେଷ୍ଟିଭାଲ୍ ମୁଖ୍ୟ ଜଗନ୍ନାଥ ପାଣି ଓ ଅଧ୍ୟକ୍ଷ ସତ୍ୟବ୍ରତ ଜେନା ଗଣମାଧ୍ୟମକୁ କହିଛନ୍ତି। ସେମାନେ ଆହୁରି କହିଛନ୍ତି ସିଆଇଏଫ୍‌ଏଫ୍ କେବଳ ଏକ ଉତ୍ସବ ନୁହେଁ, ଏହା ଆଗାମୀ ଦିନରେ ଚଳଚ୍ଚିତ୍ର ପ୍ରଶଂସକ ଏବଂ ଚଳଚ୍ଚିତ୍ର ଦର୍ଶକଙ୍କ ସହ ବିଶ୍ୱକୁ ଯୋଡ଼ିବାର ଅବସର ନିଶ୍ଚିତ ସୃଷ୍ଟି କରିବ। ଜୁମ୍ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ ମାଧ୍ୟମରେ ଏହା ଏକ ପଞ୍ଚଦିବସୀୟ ଇଭେଣ୍ଟ ଥିଲା, ଯେଉଁଠାରେ ୧୦୩ଟି ଭିଡ଼ିଓ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହୋଇଥିଲା। ଯାହାକୁ ବୈଷୟିକ ଟିମ୍ ପି.ଶ୍ରୀନିବାସ ରାଓ, ମହମ୍ମଦ ଜୁନୈଦ୍ ସାଲେହିଁ ଏବଂ କିରଣ ପଂଜାବୀ ପ୍ରମୁଖ ପରିଚାଳନା କରିଥିଲେ। ଏହି ଆନ୍ତର୍ଜାତିକ ଉତ୍ସବରେ ଭାରତ, ଇରାନ, ଆଫଗାନିସ୍ତାନ, ଫ୍ରାନ୍ସ, ପର୍ତ୍ତୁଗାଲ, ଇଟାଲି, ଆମେରିକା ଏବଂ କଙ୍ଗୋ ଭଳି ଦେଶମାନେ ଅଂଶ ଗ୍ରହଣ କରିଥିବା ବେଳେ ଦିନକୁ ଦିନ ଲକ୍‌ଡାଉନ୍ ସହିତ ସଂଗ୍ରାମ କରିବା ଏବଂ ସମଗ୍ର ବିଶ୍ୱ କରୋନା ମହାମାରୀ ବିପକ୍ଷରେ ଲଢ଼ିବାର ଏକ ସକାରାତ୍ମକ ବାର୍ତ୍ତା ଦିଆ ଯାଇଥିଲା ସମଗ୍ର ବିଶ୍ୱକୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.