ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସାମ ବଙ୍ଗୀୟ ସାରସ୍ୱତ ମଠ, କଦମ୍ୱକଂଟା ଆଶ୍ରମ ଅଧୀନସ୍ଥ ନିଗମ ସାରସ୍ୱତ ସଂଘ, କୋଠାର ଆନୁକୂଲ୍ୟରେ ପବିତ୍ର ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୪୪ ତମ ଅବିଭକ୍ତ ବାଲେଶ୍ୱର-ଭଦ୍ରକ ଜିଲ୍ଲା ଭକ୍ତ ସମ୍ମିଳନୀ ଅତ୍ୟନ୍ତ ଭକ୍ତିପୂତ ପରିବେଶରେ ଉଦଯାପିତ ହୋଇଯାଇଛି। ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ସମଗ୍ର ଅଂଚଳ ଏକ ଆଧ୍ୟାତ୍ମିକ ରୂପ ଧାରଣ କରିଥିଲା। ୧୧ ତାରିଖ (ଅଧିବାସ) ପ୍ରଥମ ଦିନରେ ଅଧିବାସ କାର୍ଯ୍ୟକ୍ରମ ସହ ଭକ୍ତମାନଙ୍କ ଦ୍ୱାରା ଏକ ଭବ୍ୟ ନଗର ପରିଭ୍ରମଣ କରାଯାଇଥିଲା। ଏହାପରେ ଗୁରୁଦେବଙ୍କ ପୂଜାର୍ଚ୍ଚନା କରାଯାଇ ପରିବେଶକୁ ଭକ୍ତିମୟ କରାଯାଇଥିଲା।୧୨ ତାରିଖ ଦ୍ୱିତୀୟ ଦିନ ଭୋରରୁ ପ୍ରଭାତୀ ଆରତୀ ଓ ବିଶେଷ ପୂଜା ଅନୁଷ୍ଠିତ ହୋଇଥିଲା। ଦିନସାରା ଅନ୍ତରଙ୍ଗ ସଭା, ମହିଳା ସଭା ଏବଂ ସାଧାରଣ ଧର୍ମ ସଭା ଜରିଆରେ ଠାକୁରଙ୍କ ଆଦର୍ଶ ଓ ବାଣୀ ଉପରେ ଆଲୋକପାତ କରାଯାଇଥିଲା।ଏହି ସମ୍ମିଳନୀରେ ଆସାମ ବଙ୍ଗୀୟ ସାରସ୍ୱତ ମଠର ମଠାଧୀଶ ଶ୍ରୀମଦ୍ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ସନ୍ନ୍ୟାସୀ ପୁରୁଷୋତମାନନ୍ଦ ସରସ୍ୱତୀ, ସଦାନନ୍ଦ ମହାରାଜ, ଶ୍ରଦ୍ଧାନନ୍ଦ ମହାରାଜ, ଶିବାନନ୍ଦ ମହାରାଜ ଓ ଅବ୍ୟକ୍ତାନନ୍ଦ ସରସ୍ୱତୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ଦୀକ୍ଷା ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ସଂଘର ଓଡ଼ିଶା ଟ୍ରଷ୍ଟି ମୁଖ୍ୟ ମହେଶ୍ୱର ସ୍ୱାଇଁ, ତତ୍ୱ ବିଧାୟକ ସମିତିର ଉପସଭାପତି ଦେବେନ୍ଦ୍ର ରାଉତ ଏବଂ ସଭ୍ୟ ଗଙ୍ଗାଧର ପୃଷ୍ଟିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଠାକୁରଙ୍କ ବାଣୀ ପ୍ରଚାର କରିଥିଲେ।ଅବିଭକ୍ତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦୩ ଟି ସଂଘ ରୁ ଶତାଧିକ କାର୍ଯ୍ୟକର୍ତା ଓ ସହସ୍ରାଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କୋଠାର ସଂଘର ସଭାପତି ଶ୍ରୀ ହରି ପାକଳ, ଉପସଭାପତି ହରିହର ସାହୁ, ପ୍ରିୟଦର୍ଶନ ସାହୁ, ମାଖନଲାଲ ଗୁପ୍ତା, ଦାଶରଥି ମହାଳିକ, ରତ୍ନାକର ସାହୁ ଏବଂ ପ୍ରଦୀପ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।ଠାକୁରଙ୍କ “ଜୟ ଗୁରୁ” ଧ୍ୱନିରେ କୋଠାର ଅଂଚଳ ପ୍ରକମ୍ପିତ ହେବା ସହ ଏକ ଅପୂର୍ବ ଭକ୍ତିର ମାହୋଲ ସୃଷ୍ଟି ହୋଇଥିଲା।ସନ୍ଧ୍ୟାରେ ବିଶିଷ୍ଟ ସାଧୁ ସନ୍ଥ ଙ୍କ ଦ୍ୱାରା ଧର୍ମ ସଭା ଅନୁଷ୍ଟିତ ହୋଇଥିଲା ।
Home ଜିଲ୍ଲା ପରିକ୍ରମା କୋଠାରରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ୪୪ ତମ ଜିଲ୍ଲା ଭକ୍ତ ସମ୍ମିଳନୀ, ଆଧ୍ୟାତ୍ମିକତାରେ ପ୍ଲାବିତ...







