Home Top News କୋଟିଆ, ଉଦୟପୁର ଓ ମାଣିକପାଟଣାରୁ ସଂକେତ : ବିପଦରେ ଓଡ଼ିଶାର ସୀମା, ସରକାର ଗମ୍ଭୀରତାର ସହ...

କୋଟିଆ, ଉଦୟପୁର ଓ ମାଣିକପାଟଣାରୁ ସଂକେତ : ବିପଦରେ ଓଡ଼ିଶାର ସୀମା, ସରକାର ଗମ୍ଭୀରତାର ସହ ନିଅନ୍ତୁ : ଯୁବ ଓଡ଼ିଶା

89

ଭୁବନେଶ୍ୱର ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଓଡ଼ିଆ ସ୍ୱାଭିମାନରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି ବାଜୁଛି, ଯେଉଁ ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅନେକ ତ୍ୟାଗ ଓ ସଂଘର୍ଷ କରିବାକୁ ପଡିଥିଲା ଏ ଜାତିକୁ, ସେହି ମାତୃଭୂମିର ସୀମା ଆଜି ବିପଦରେ। ରାଜ୍ୟର ରାଜଧାନୀ ତଥା ଶାସନ କେନ୍ଦ୍ର ଭୁବନେଶ୍ୱର ଠାରୁ ବହୁତ ଦୂରରେ ଥିବା ତଥା ଆନ୍ଧ୍ର ପ୍ରଦେଶ, ଛାତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟର ସୀମାକୁ ଲାଗିଥିବା ଗାଁ, ପଞ୍ଚାୟତ, ପ୍ରାକୃତିକ ସମ୍ପଦ ଏପରିକି ବେଳାଭୂମି ଆଜି ଅସୁରକ୍ଷିତ। ପ୍ରତି ମାସରେ ଆନ୍ଧ୍ର ବା ପଶ୍ଚିମ ବଙ୍ଗର ନେତା ଓ ପ୍ରଶାସକ ସେମାନଙ୍କ ରାଜ୍ୟ ସରକାରଙ୍କର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ନିଜ ନିଜର ପତିଆରା ପ୍ରଦର୍ଶନ ପାଇଁ ଓଡ଼ିଶାର ସୀମା ଉପରେ କରିଚାଲିଛନ୍ତି ଆକ୍ରମଣ। କୋରାପୁଟ ଜିଲ୍ଲାର କୋଟିଆ ହେଉ ବା ଗଜପତି ଜିଲ୍ଲାର ମାଣିକପାଟଣା ଅବା ବାଲେଶ୍ୱର ଜିଲ୍ଲାର ଉଦୟପୁର ବେଳାଭୂମି ଏମିତି ଏକ ଲମ୍ବା ତାଲିକା ଦିନକୁ ଦିନ ବଢ଼ି ଚାଲିଛି। ସାମ୍ବାଦପତ୍ର ଓ ବୈଦୁତିକ ଗଣମାଧ୍ୟମରୁ ରାଜ୍ୟବାସୀ ସୂଚନା ପାଉଥିଲେ ମଧ୍ୟ ପ୍ରକୃତ ସ୍ଥିତି ସମ୍ପର୍କରେ ସଠିକ ଆକଳନ କରିବାର ସୁଯୋଗ ରାଜ୍ୟବାସୀଙ୍କ ପାଖରେ ନାହିଁ।

ଏବେ ଏବେ ବିଧାନସଭା ଅଧିବେଶନ ସରିଲା, ମାତ୍ର ରାଜ୍ୟର ସୀମା ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହେଲା ନାହିଁ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ବା ମୁଖ୍ୟ ଶାସନ ସଚିବ ପାହ୍ୟାର କୌଣସି ଅଧିକାରୀଙ୍କର ନେତୃତ୍ୱରେ ଅଧିକାରୀ ଦଳ ଏସବୁ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ଅନ୍ୟ ରାଜ୍ୟ ପ୍ରଶାସନକୁ ଯେଉଁ ଦୃଢ଼ ବାର୍ତ୍ତା ଯିବ ସେଥିପାଇଁ କାହାରି ପାଖରେ ସମୟ ନାହିଁ। ୪ ଟି ରାଜ୍ୟକୁ ଲାଗି ରହିଥିବା ଓଡ଼ିଶାର ୧୪ ଜିଲ୍ଲାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳର ବିକାଶକୁ ଅଧିକ ଗମ୍ଭୀରତାର ସହ ନିଆଯିବା ଉଚିତ। ରାଜ୍ୟ ସୀମାଠାରୁ ଅତି କମରେ ପାଞ୍ଚ କିମି ଦୂରତା ପର୍ଯ୍ୟନ୍ତ ଆମ ରାଜ୍ୟର ସୀମା ଭିତରେ ଥିବା ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ ” ଓଡ଼ିଶା ରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳ ବିକାଶ ପରିଷଦ ବା ସଂସ୍ଥା ” ଗଠନ କରାଯାଇ ଭୁବନେଶ୍ୱର ପରିବର୍ତ୍ତେ ସେହି ଅଞ୍ଚଳରୁ ହିଁ ସ୍ଥାନୀୟ ବିକାଶର ଯୋଜନା ପ୍ରସ୍ତୁତ ହୋଇ ତୁରନ୍ତ କାର୍ଯ୍ୟକାରୀ ହେବା ଆବଶ୍ୟକ। ଏ ନିର୍ଦ୍ଧିଷ୍ଟ ବିଷୟରେ “ଯୁବ ଓଡ଼ିଶା” ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ବିଭିନ୍ନ ଗଣମାଧ୍ୟମରେ ଏହି ପ୍ରସ୍ତାବ ବିଷୟରେ ସାମ୍ବାଦ ପ୍ରକାଶ ପାଇଛି।

ରାଜ୍ୟର ସୀମା ସୁରକ୍ଷା, ସମ୍ପୃକ୍ତ ଜିଲ୍ଲାର ଏକ ଆଞ୍ଚଳିକ ପ୍ରସଙ୍ଗ ନୁହେଁ ବରଂ ସମଗ୍ର ରାଜ୍ୟର ସ୍ୱାର୍ଥ ତଥା ରାଜ୍ୟବାସୀଙ୍କର ସ୍ୱାଭିମାନ, ପରିଚୟ ଓ ଭାବାବେଗ ସହ ଜଡ଼ିତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ଆଞ୍ଚଳିକ ହୁଅନ୍ତୁ ବା ଜାତୀୟ, ସମସ୍ତ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ଏକତ୍ରିତ ହୋଇ ସମଗ୍ର ରାଜ୍ୟର ସୀମା ସୁରକ୍ଷା ଓ ୪ ରାଜ୍ୟ ସହ ଥିବା ସମସ୍ତ ସୀମା ବିବାଦର ସ୍ଥାୟୀ ସମାଧାନ ଦିଗରେ ଆନ୍ତରିକତାର ସହ କାମ କରିବାର ଆବଶ୍ୟକତା ରହିଛି। କେବଳ ଗୋଟିଏ ବା ଦୁଇ ଦିନ ପ୍ରତିବାଦ କଲେ ହେବ ନାହିଁ ବରଂ ଆସନ୍ତା ଉପ ନିର୍ବାଚନ, ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନର ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ରାଜ୍ୟର ସୀମାକୁ ସୁରକ୍ଷା ଦେବାର ସମୟ ଆସିଛି ସମସ୍ତ ରାଜନୈତିକ ଦଳ ଓ ଏହାର ନେତାମାନଙ୍କ ପାଇଁ। ଆମ ରାଜ୍ୟ ଆଜି ବିପଦରେ, ଏକଥାକୁ ହୃଦୟଙ୍ଗମ କରି ନିଜର ଦାୟିତ୍ୱ ସମ୍ପାଦନ ସରକାର କରିବେ ବୋଲି ଆଶା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.