ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦୀର୍ଘଦିନ ହେବ ଚୋରା କୋଇଲା ଚାଲାଣ କରାଯାଉଛି। ଏନେଇ ପୁଲିସ ବହୁ ମକଦ୍ଦମା କରି ଚୋରା କୋଇଲା ଜବତ କରିବା ସହିତ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରୁଛି। ଏହା ପରେ ମଧ୍ୟ ଚୋରା କୋଇଲା ଚାଲାଣ ବନ୍ଦ ହୋଇ ପାରୁନାହିଁ। ଯାହାଫଳରେ ରବିବାର ବିଳମ୍ବିତ ରାତିରେ ଏସପି ମଡ଼କର ସନ୍ଦୀପ ସମ୍ପଦ, ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ପୁରୁଣାବଜାର ଥାନା ଆଇଆଇସି ନିରଜ ସାମଲ ପ୍ରମୁଖ ତିହିଡ଼ିରେ ପହଂଚି ଚୋରା କୋଇଲା ଚାଲାଣ ହେବା ଉପରେ ଖୋଜ ଖବର ନେଇଥିଲେ। ପରେ ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ ଓ ପୀରହାଟ ଥାନା ଆଇଆଇସି ଅଜୟ କୁମାର ମୁର୍ମୁଙ୍କୁ ଡକାଇ ମଙ୍ଗଳପୁର ନିକଟରେ ଚୋରା ଚାଲାଣ ହେବାକୁ ଥିବା ଶହଶହ ବସ୍ତା ମହଜୁଦ ଥିବା ଡିପିସିଏ କୋଇଲାକୁ ଜବତ କରିଥିଲେ। ଏହି ଚଢ଼ାଉରେ ତିହିଡ଼ି ଥାନା ଏଏସଆଇ କମଳାକାନ୍ତ ଶତପଥି, ପାର୍ଥ ବେହେରା, ଲକ୍ଷ୍ମଣ ମାରାଣ୍ଡି, ପୀରହାଟ ଥାନା ଏସଆଇ ସୁପ୍ରକାଶ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।