ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟି ଆସୋସିଏସନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର କାଳୀଦାସପୁରସ୍ଥିତ ସଂଘ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସାମ୍ପ୍ରତିକ କରୋନା ସ୍ଥିତିରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଏହି ଶିବିର ଆୟୋଜନ ବେଶ୍ ସ୍ୱାଗତଯୋଗ୍ୟ୍ୟ ପଦକ୍ଷେପ ବୋଲି ସେ କହିଥିଲେ। ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, ସାଂଗଠନିକ ସମ୍ପାଦକ ଦୀପକ କୁମାର ଆଚାର୍ଯ୍ୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଏଥିରେ ଯୋଗଦେଇ ସଂଗଠନର ସମାଜସେବା ମୂଳକ କାର୍ଯ୍ୟଧାରାକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ। କରୋନା ଭଳି ସଙ୍ଗୀନ ସ୍ଥିତିରେ ରକ୍ତର ଅଭାବ ପୂରଣରେ ଏହି ଶିବିର ବେଶ ସହାୟକ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସଂଗଠନର ବାଲେଶ୍ୱର ଜିଲ୍ଲା ସଭାପତି ସିଦ୍ଧାର୍ଥ ସାରଥୀ ଦାସ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ମହେଶ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଆଞ୍ଚଳିକ ପରିବହନ ଅଧିକାରରୀ ବିକାଶ ଚୌଧୁରୀ, କ୍ରାଇମ ଡିଏସପି ଉମେଶ କୁମାର ପଣ୍ଡା, ଡ୍ରଗ୍ସ ଇନ୍ସ୍ପେକ୍ଟର ଆଦ୍ୟାମଣି ମାରାଣ୍ଡି ଓ ଜ୍ଞାନଦା ପ୍ରିୟଦର୍ଶିନୀ ନନ୍ଦ ପ୍ରମୁଖ ଏଥିରେ ଯୋଗଦେଇ ସଂଗଠନର ଉଦ୍ୟମକୁ ପ୍ରଶଂସା କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜୀବନ ବିନ୍ଦୁ ଅଭିଯାନର ବାଲେଶ୍ୱର ଜିଲ୍ଲା ସଂଯୋଜକ ଆଶିଷ ଘୋଷଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିର ପରିଚାଳନାରେ ଅକ୍ଷୟ କୁମାର ବେହେରା, ସୁଦୀପ ଚକ୍ରବର୍ତ୍ତୀ, ଲାଇଜୁ ମିଶ୍ର, ଅରୁଣ ଖଣ୍ଡେଲୱାଲ, ବିକ୍ରମଜିତ୍ କର, ପ୍ରଦୀପ କୁମାର ପାଢ଼ୀ, ଦିବାକର ରାଉଳ, ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି, ଦେବୀ ପ୍ରସନ୍ନ ପରିଡ଼ା, ବିକି ପୋଦାର, ସର୍ବେଶ୍ୱର ପାଣିଗ୍ରାହୀ, ସନ୍ଦୀପ ସାମନ୍ତରାୟ ପ୍ରମୁଖ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ର୍ରିୟ ସହଯୋଗ କରିଥିଲେ। ଶିବିର ଶେଷ ସୁଦ୍ଧା ୧୦୦ରୁ ଅଧିକ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡ଼ିଛି।