Home ଓଡ଼ିଶା କେନ୍ଦ୍ର ସରକାରରେ ବିଜେପି ଜଳ ସଂଶାଧନ ଓ ମତ୍ସ୍ୟ ବିଭାଗ ନାମରେ ଦୁଇଟି ସ୍ୱତନ୍ତ୍ର ମନ୍ତ୍ରାଳୟ...

କେନ୍ଦ୍ର ସରକାରରେ ବିଜେପି ଜଳ ସଂଶାଧନ ଓ ମତ୍ସ୍ୟ ବିଭାଗ ନାମରେ ଦୁଇଟି ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠନ କରିବ : ପ୍ରଧାନମନ୍ତ୍ରୀ

524

ସମ୍ବଲପୁର, ୧୮/୪ – (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟି ଦ୍ୱାରା କେନ୍ଦ୍ରରେ ସ୍ଥାପିତ ହେବାକୁ ଥିବା ନୂଆ ସରକାର ଜଳ ସଂଶାଧନ ଏବଂ ମତ୍ସ୍ୟ ବିଭାଗ ନାମରେ ଦୁଇଟି ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଘୋଷଣା କରିଛନ୍ତି। ସମ୍ବଲପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ମୋଦି କହିଲେ ଯେ, ଜଳ ସଂଶାଧନ ମନ୍ତ୍ରାଳୟ ବର୍ଷାଜଳ ଏବଂ ନଦୀ ଜଳକୁ କ୍ଷେତକୁ ପହଞ୍ଚାଇବାର କାମ କରିବ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ କେନ୍ଦ୍ରୀୟ ସାହାଯ୍ୟ ଆସିବ। କେହି ଦଲାଲ ଏଥିରେ ହାତ ମାରିପାରିବେ ନାହିଁ। କିଷାନ କ୍ରେଡ଼ିଟ କାର୍ଡ଼ ବ୍ୟବସ୍ଥାର ସମ୍ପ୍ରସାରଣ କରାଯିବ। ଓଡ଼ିଶା ରାଜ୍ୟ ସରକାରଙ୍କ ଅସହଯୋଗ ନୀତି ଏବଂ ଅକ୍ଷମତା ଫଳରେ ଚାଷୀଙ୍କ ପାଇଁ କରାଯାଇଥିବା ଯୋଜନାରୁ ଓଡ଼ିଶାର ଚାଷୀ ସମ୍ପୂର୍ଣ୍ଣ ରୂପେ ଲାଭବାନ ହୋଇପାରୁ ନଥିବା ସେ ଅଭିଯୋଗ କରିଛନ୍ତି। ସ୍ୱତନ୍ତ୍ର ରୂପେ ଗଠିତ ହେବାକୁ ଥିବା ମତ୍ସ୍ୟ ମନ୍ତ୍ରାଳୟ ମତ୍ସ୍ୟଜୀବୀଙ୍କ ବିକାଶ ପ୍ରତି ଦୃଷ୍ଟି ଦେବ। ମତ୍ସ୍ୟ ସମ୍ପଦ ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେ କହିଲେ ଯେ, ଦୀର୍ଘ ସମୟ ଧରି ଦୁର୍ନୀତି ଲାଗି ରହିଥିବାରୁ ବିକାଶର ଲାଭ ତଳସ୍ତର ପର୍ଯ୍ୟନ୍ତ ପହଞ୍ଚିପାରୁ ନଥିଲା। କଣ୍ଟ୍ରୋଲ ସାମଗ୍ରୀ, ୟୁରିଆ, ଖଣିଜ ପଦାର୍ଥରେ ବ୍ୟାପକ ହରିଲୁଟ ହେଉଥିଲା। ସେ ଏହାରି ବିରୁଦ୍ଧରେ ଛିଡ଼ା ହୋଇ ଦଲାଲିକୁ ବନ୍ଦ କରିଦେବାରୁ ଯେଉଁମାନେ ଏତଦ୍ ଦ୍ୱାରା କ୍ଷତିଗ୍ରସ୍ତ ହେଲେ, ସେମାନେ ତାଙ୍କୁ ରାସ୍ତାରୁ ହଟାଇ ଦେବାପାଇଁ ଉଦ୍ୟମ ଚଳାଇଛନ୍ତି। ମାତ୍ର ଓଡ଼ିଶାରେ ଏବେ ମଧ୍ୟ ଦଲାଲି ଚାଲିଛି। ମହାନଦୀ ଏବଂ ହୀରାକୁଦ ବନ୍ଧ ଥିବା ଭଳି ଅଞ୍ଚଳରେ ଚାଷୀ ପାଣି ପାଇଁ ହନ୍ତସନ୍ତ ହେଉଥିବା ଦୁର୍ଭାଗ୍ୟଜନକ। ପାଣି ଯୋଗାଇ ଦେଇ ପାରୁ ନଥିବା ରାଜ୍ୟ ସରକାର ଚାଷୀର ଉତ୍ପାଦନ ଯେଭଳି ଠିକ୍ ଭାବରେ ବିକ୍ରି ହେବ, ଚାଷୀ ଯେପରି ଉଚିତ ମୂଲ୍ୟ ପାଇବ ସେ ଦିଗରେ ମଧ୍ୟ ଯଥାର୍ଥ ପଦକ୍ଷେପ ନେଇପାରୁ ନାହାନ୍ତି। ରୋଗପୋକ ଲାଗିଲେ ସରକାର କିଛି କରୁନାହାନ୍ତି। ଅପରପକ୍ଷରେ, କେନ୍ଦ୍ର ଚାଷୀଙ୍କୂୁ ସାହାଯ୍ୟ କରିବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ଅଳ୍ପ ଚାଷୀଙ୍କ ତାଲିକା ଯୋଗାଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ହେବ। ପ୍ରଥମ ଚରଣର ଭୋଟିଂରୁ ଯାହା ସୂଚନା ମିଳୁଛି ଦିଲ୍ଲୀ ଏବଂ ଭୁବନେଶ୍ୱରରେ ବିଜେପି ସରକାର ଗଠିତ ହେବାକୁ ଯାଉଛି। ସେ କହିଲେ ଯେ ଓଡ଼ିଶା ରାଜ୍ୟ ସରକାରଙ୍କ ଅପାରଗତା ହେତୁ ଗରିବ ରାଜ୍ୟ ହୋଇ ରହିଛି। ଜଳ, ଜମି, ଜଙ୍ଗଲ ଓ ଖଣିଜ ପଦାର୍ଥରେ ଭରା ଓଡ଼ିଶାରେ ଖଣି ମାଫିଆ, ଚିଟଫଣ୍ଡ ଏବଂ ଦୁର୍ନୀତିକୁ ସରକାର ସଂରକ୍ଷଣ ଦେଇଛନ୍ତି। ଅପରପକ୍ଷେ ସରକାରଙ୍କ ଅକ୍ଷମତା ପରିସ୍ଥିତିକୁ ଅଧିକ ଜଟିଳ କରିଦେଉଛି। ଉତ୍ ଖନନ ଆଇନରେ ପରିବର୍ତ୍ତନ କରାଗଲା। ଖଣି ଥିବା ଅଞ୍ଚଳର ବିକାଶରେ କିଛି ଅଂଶର ଅର୍ଥ ବିନିଯୋଗ ହେବାର ନିୟମ ପ୍ରଣୟନ କରାଗଲା। ମିନେରାଲ ପାଣ୍ଠିରେ ଓଡ଼ିଶାକୁ ମିଳିଲା ୬ ହଜାର କୋଟି ଟଙ୍କା। ମାତ୍ର ଓଡ଼ିଶା ସରକାର ଏଥିରୁ କେବଳ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିଛି। ୫ ହଜାର କୋଟି ଟଙ୍କା ବିନା ଖର୍ଚ୍ଚରେ ପଡ଼ି ରହିଛି। କିନ୍ତୁ ଟଙ୍କିକିଆ ଚାଉଳକୁ ନେଇ ଭ୍ରମ ସୃଷ୍ଟି କରି ବାହାବା ନେବାକୁ ସଦା ଆଗେଇଛି। କେନ୍ଦ୍ର ସରକାର ୨୯/୩୦ ଟଙ୍କା ଦରରେ ଚାଉଳ କିଣୁଛନ୍ତି। ରାଜ୍ୟ ସରକାର ମାତ୍ର ୨ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଉ ଟଙ୍କିକିଆ ଚାଉଳ ଓଡ଼ିଶା ସରକାର ଦେଉଛନ୍ତି ବୋଲି ଭ୍ରମିତ କରୁଛନ୍ତି। ୨୦୨୨ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ପରିବାର ପାଖରେ ପକ୍କା ଘର ଯେପରି ରହିଥିବ ସେଥିପାଇଁ ଅଭିଯାନ ଆରମ୍ଭ ହୋଇଗଲାଣି। କେବଳ ଘର ନୁହେଁ ତହିଁରେ ଉଜ୍ୱଳାର ଗ୍ୟାସ, ସୌଭାଗ୍ୟର ବିଜୁଳୀ ସଂଯୋଗ, ଉଜ୍ୱଳାର ବଲବ୍ ଏବଂ ଶୌଚାଳୟ ମଧ୍ୟ ଥିବ। ଓଡ଼ିଶାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଭାରତ ଯୋଜନାକୁ ଏଠାରେ ମଧ୍ୟ ଲାଗୁ କରାଯିବ। ସେ କହିଲେ ଯେ, ପଶ୍ଚିମ ଓଡ଼ିଶାରେ ବିମାନବନ୍ଦର, ବିଭିନ୍ନ ରେଳଲାଇନର ସମ୍ପ୍ରସାରଣ ଓ ଦୋହରୀକରଣ, ଆଇଆଇଏମ ଭଳି ଶିକ୍ଷାନୁଷ୍ଠାନ ପ୍ରଦାନ ଦ୍ୱାରା ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନିଆଯାଇଛି।

ପ୍ରଧାନମନ୍ତ୍ରୀ ବିମାନ ଯୋଗେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କଲାପରେ ହେଲିକେପ୍ଟର ଯୋଗେ ରେମେଡ଼ ସଭାସ୍ଥଳରେ ପହଞ୍ଚିଥିଲେ। ମଞ୍ଚ ଉପରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ରେଙ୍ଗାଲି ପ୍ରାର୍ଥୀ ନାଉରୀ ନାଏକ ଏବଂ ସ୍ଥାନୀୟ ଦଳୀୟ ପଦାଧିକାରୀ ଗଣ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଦଳୀୟ ନେତା ଗୋବିନ୍ଦ ଅଗ୍ରୱାଲ ତାଙ୍କୁ ସମ୍ବଲପୁରୀ କନାରେ ତିଆରି ଜ୍ୟାକେଟ ପ୍ରଦାନ କରିଥିଲେ। ଶ୍ରୀ ମୋଦି ଏହି ଜ୍ୟାକେଟ ପିନ୍ଧି ସଭାରେ ଉଦ୍ ବୋଧନ ଦେଇଥିଲେ। ସମଲେଶ୍ୱରୀଙ୍କ ଏକ ଚିତ୍ର ମଧ୍ୟ ତାଙ୍କୁ ଉପହାର ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.