ଭୁବନେଶ୍ୱର ୨୯/୬ (ଓଡ଼ିଆ ପୁଅ) – କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତାରମଣ ୪ ଲକ୍ଷ ୨୯ ହଜାର କୋଟି ଟଙ୍କାର ଗୋଟିଏ ପ୍ୟାକେଜ ଘୋଷଣା କରିଛନ୍ତି। କରୋନା ମହାମାରୀ ସମୟରେ ବିଗିଡି ଯାଇଥିବା ଆର୍ଥିକ ବ୍ୟବସ୍ଥା ସଜାଡ଼ିବା ପାଇଁ ଏହା କରାଯାଇଛି ବୋଲି ସରକାର ଉଚ୍ଚସ୍ୱରରେ ଘୋଷଣା କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ହାସ୍ୟାସ୍ପଦ ବୋଲି କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି। ଏହା କେବଳ ବ୍ୟାଙ୍କ ନିର୍ଭରଶୀଳ ଓ ସରକାରୀ ଗ୍ୟାରେଂଟି ଉପରେ ଭରଷା ରଖିଛି। ପ୍ରଥମତଃ ଏହା ପ୍ରମାଣ କରିଛି ଯେ କରୋନା ମହାମାରୀର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଖୁବ୍ ବଡ଼ ପ୍ୟାକେଜ ପ୍ରାୟ କୋଡିଏ ଲକ୍ଷ କୋଟି ଟଙ୍କାର ଘୋଷଣା କଲେ। ଯେଉଁଥିରୁ ଦୁଇଲକ୍ଷ କୋଟି ଟଙ୍କା ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଙ୍କ ନିର୍ଭରଶୀଳ ଥିଲା। ବ୍ୟାଙ୍କ ଋଣ ଦେଲେ ନାହିଁ ଅବା କେହି ଋଣ ନେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ। ସମସ୍ତ ଘୋଷଣା ଅସଫଳ ହେଲା। ଯେଉଁଥିପାଇଁ ଏଥର ବ୍ୟାଙ୍କ ଋଣ ସହିତ ସରକାରୀ ଗ୍ୟାରେଂଟି ଯୋଡ଼ି ହୋଇରହିଛି। ଏହା ପୁନଃ ଏକ ଅସଫଳ ବୋଲି କଂଗ୍ରେସ ଦାବିକରେ। କେବଳ ସହାୟତା ନାମରେ ଯେଉଁ ଅର୍ଥ ବରାଦ ରହିଛି ତାହାର ସାର ଉତ୍ପାଦନକାରୀ ବେପାରୀଙ୍କ ହାତକୁ ହିଁ ଯିବ ଓ ସେଥିରୁ ଏକ ବୃହତ ଅଂଶ ଭାରତୀୟ ଜନତା ପାର୍ଟିର ନେତା ଓ ପାର୍ଟି ନିର୍ବାଚନ ପାଣ୍ଠିକୁ ଆସିବ।
ଏହି ପ୍ୟାକେଜ କେବେ ହେଲେ ବି ବଜାରରେ ସ୍ଥିତି ବଦଳାଇବ ନାହିଁ। କ୍ରୟଶକ୍ତି ଅଭାବରୁ ବଜାରରେ ଆବଶ୍ୟକତା ର ବୃଦ୍ଧି ଘଟିବ ନାହିଁ। ଫଳରେ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ଓ ବାହାରକୁ ଯୋଗାଣ ବଢ଼ିବ କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ କାନୁନଗୋ। ଖାଉଟି ମୁଖ୍ୟ ଅର୍ଥନୀତିରେ ଖାଉଟି କାରବାର ହିଁ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ପାଖାପାଖି ୫୫୯ ସହଯୋଗ ଦେଇଥାଏ। ପ୍ୟାକଜେର ମୁଖ୍ୟ ଅଂଶ ଚିକିତ୍ସା ଜନିତ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହା କେବଳ ସ୍ୱାସ୍ଥ୍ୟ ବେପାରୀଙ୍କୁ ସାହାଯ୍ୟ କରିବ ଓ ସାଧାରଣ ବର୍ଗଙ୍କ ଉଦ୍ଦିଷ୍ଟ ନୁହେଁ। ପର୍ଯ୍ୟଟନ କ୍ଷେତ୍ର ପାଇଁ କରାଯାଇଥିବା ବ୍ୟବସ୍ଥା ଏବେ ଆଦୌ କାମରେ ଲାଗିବ ନାହିଁ। ବର୍ତମାନ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଆଉ ଏକ ପର୍ଯ୍ୟାୟ ଆସିବାର ପ୍ରଚାରିତ ହେଉଛି। ତୀର୍ଥତଯାତ୍ରୀଙ୍କୁ ମନ୍ଦିର ମନା ସେହି ସମୟରେ ପର୍ଯ୍ୟଟନ କ୍ଷେତ୍ରପାଇଁ ବ୍ୟୟ ବରାଦ ତତ୍କ୍ଷଣାତ ଅର୍ଥନୀତିକୁ ସଜାଡ଼ିବାରେ ଆଦୌ ସହୟାକ ହେବ ନାହିଁ। ଅବଶ୍ୟ ଏହି କ୍ଷେତ୍ରରେ ବ୍ୟାଙ୍କମାନଙ୍କର କିଛି ଅର୍ଥି ବଜାର ଭିତରେ ପ୍ରବେଶ କରିବ ଏହା ଖୁବ୍ ନଗଣ୍ୟ। ଋଣଗ୍ରସ୍ତ ହୋଇ ସେମାନେ ଖର୍ଚ୍ଚ କରିବେ। ଅହଂକାର, ଅଜ୍ଞତାରୁ ମୁକ୍ତ ହୋଇ ବଜାରକୁ ଅର୍ଥ ଛାଡ଼ିବାର ସମସ୍ତ ବ୍ୟବସ୍ଥା କଲେ ବର୍ତମାନର ରୁଗଣ ଅର୍ଥନୀତିକୁ ସୁସ୍ଥ ଅବସ୍ଥାକୁ ଆଣି ହେବ। ଆଉ ରୁଗଣତାର ମୁକ୍ତି ଓ ସୁସ୍ଥ କଲାପରେ ହିଁ ବିକାଶ ପ୍ରତି ବ୍ୟବସ୍ଥା କରିହେବ ବୋଲି ଶ୍ରୀ କାନୁନଗୋ ମତ ରଖିଛନ୍ତି।