Home କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ : ଶାନ୍ତିଶୃଙ୍ଖଳା ସହ ପୂଜା ଶେଷ ପାଇଁ ଆରକ୍ଷୀ...

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ : ଶାନ୍ତିଶୃଙ୍ଖଳା ସହ ପୂଜା ଶେଷ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିବେଦନ

79

କେନ୍ଦ୍ରାପଡ଼ା ୧୯ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। କୋଭିଡ଼ ନିୟମ ଅନୁଯାୟୀ ପୂଜା ମଣ୍ଡପ ଗୁଡିକ ସମ୍ମୁଖରେ ଜରିପାଲ ଟଙ୍ଗା ଯାଇଛି। ସାମାଜିକ ଦୂରତା ରକ୍ଷା କରାଯାଇ ମା’ଙ୍କ ପୂଜା ଆରମ୍ଭ ହୋଇଛି। ସହରର ୬୯ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ହେଉଛି। ପୂଜା କମିଟି କର୍ମକର୍ତ୍ତାମାନେ ସାମାଜିକ ଦୂରତା ରକ୍ଷା କରି କେବଳ ବିଧି ରକ୍ଷା ପୂର୍ବକ ପୂଜା କରୁଛନ୍ତି। କୌଣସି ମଣ୍ଡପରେ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିନାହିଁ। ପ୍ରତି ପୂଜା ମଣ୍ଡପରେ ପୋଲିସ କର୍ମଚାରୀ ଜଗି ରହିଛନ୍ତି। କମିଟି କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନଙ୍କୁ ତୁଣ୍ଡି ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଇଛି। ସନ୍ଧ୍ୟାରେ ପାଗ ଭଲ ଥିବାରୁ ସହରରେ ଟିକେ ଗହଳି ଦେଖିବାକୁ ମିଳିଥିଲା। ବିଭିନ୍ନ ଛକ ଜାଗାମାନଙ୍କରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ରାତି ୧୦ ପରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଥିବାରୁ ଲୋକମାନେ ରାତି ୧୦ଟା ପୂର୍ବରୁ ବଜାର ଛାଡି ଦେଇଛନ୍ତି। ତେଣୁ ସନ୍ଧ୍ୟାରେ ବଜାରରେ ଟିକେ ଅଧିକ ଗହଳଚହଳ ଲାଗି ରହିଥିଲା। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଟାଉନ୍ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ନିଜେ ସହର ସାରା ବୁଲି ତଦାରଖ କରୁଥିବା ଦେଖାଯାଇଛି। ବିଭିନ୍ନ ଛକରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀମାନଙ୍କୁ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ସହ ଲୋକମାନଙ୍କୁ ସହଯୋଗ କରିବା ପାଇଁ ଶ୍ରୀ ସାମନ୍ତରାୟ ନିର୍ଦେଶ ଦେଇଥିଲେ। ଗଜଲକ୍ଷ୍ମୀ ପୂଜା ପାଇଁ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡ଼କର ସହରବାସୀଙ୍କୁ ନିବେଦନ କରିଛନ୍ତି। ଶ୍ରୀ ମଡ଼କର ପୁରୁଣା ବସଷ୍ଟାଣ୍ଡରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଲେ ଯେ ସମୁଦାୟ ସହରକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ସେକ୍ଟର -୧ରେ ଜଣେ ପୋଲିସ ଅଧିକାରୀଙ୍କ ଦାୟୀତ୍ୱରେ ୧୦ଟି ପୂଜା ମଣ୍ଡପ ଥିବା ବେଳେ ୨ନମ୍ବର ସେକ୍ଟରରେ ୧୫ଟି ପୂଜା ମଣ୍ଡପ, ୩ନମ୍ବର ସେକ୍ଟରରେ ୧୩ଟି ୪ନମ୍ବର ସେକ୍ଟରରେ ୯ଟି, ୫ନମ୍ବର ସେକ୍ଟରରେ ୧୦ଟି ଓ ୬ନମ୍ବର ସେକ୍ଟରରେ ୧୨ଟି ପୂଜା ମଣ୍ଡପ ପାଇଁ ଜଣେ ଜଣେ ପୋଲିସ ଅଧିକାରୀଙ୍କୁ ଦାୟୀତ୍ୱରେ ରଖାଯାଇଛି। ସେହିପରି ୨ଜଣ ଅତିରିକ୍ତ ଏସ୍‌ପିଙ୍କ ସମେତ ୫୫ଜଣ ପୋଲିସ ଅଧିକାରୀ ଶାନ୍ତି ଶୃଙ୍ଖଳାର ସହିତ ଗଜଲକ୍ଷ୍ମୀ ପୂଜା ସମାପନ ପାଇଁ ଦାୟୀତ୍ୱ ନିର୍ବାହ କରୁଛନ୍ତି। କରୋନା କଟକଣା ମଧ୍ୟରେ ଗଜଲକ୍ଷ୍ମୀ ପୂଜା ସମାପନ କରିବା ପାଇଁ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି। ଯଦି କୌଣସି ପୂଜା କମିଟି ନିୟମ ନ ମାନନ୍ତି ଓ ଏ ସଂକ୍ରାନ୍ତରେ ଖବର ମିଳେ ତେବେ ପୋଲିସ ସେହି କମିଟିର କର୍ମକର୍ତ୍ତାମାନଙ୍କୁ ସଚେତନ କରିବ। ଗଜଲକ୍ଷ୍ମୀ ପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ କରୋନା କଟକଣାକୁ ଅନୁପାଳନ ପୂର୍ବକ ସମାପନ ହେବ ସେ ନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରିଶ ପାଣ୍ଡେ, କେନ୍ଦ୍ରାପଡା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ଡିଏସ୍‌ପି କାର୍ତ୍ତିକ ମଲ୍ଲିକ, ଟାଉନ୍ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ବିଭିନ୍ନ ଥାନାର ଥାନାଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.