Home ଓଡ଼ିଶା କେନ୍ଦ୍ରାପଡା ଜିଲ୍ଲା ପାଇଁ କୋଭିଡ କଟକଣା ଜାରିକଲେ ଜିଲ୍ଲାପାଳ

କେନ୍ଦ୍ରାପଡା ଜିଲ୍ଲା ପାଇଁ କୋଭିଡ କଟକଣା ଜାରିକଲେ ଜିଲ୍ଲାପାଳ

92

କେନ୍ଦ୍ରାପଡ଼ା, ୨୩ା୪ (ଓଡ଼ିଆ ପୁଅ) : କୋଭିଡ ମହାମାରୀ ଦ୍ୱିତୀୟ ଲହର ଦୃତ ସଂକ୍ରମଣ ରୋକିବା ନିମିତ୍ତ ରାଜ୍ୟ ସରକାର ନିୟମବଳୀ ପ୍ରଣୟନ କରିଛନ୍ତି। ସେହି ଆଧାରରେ କେନ୍ଦ୍ରାପଡା ଜିଲ୍ଲାରେ କୋଭିଡନିୟମ ଅନୁପାଳନ ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି। ନିର୍ଦେଶାନୁଯାଇ ଯାତ୍ରା, ରଙ୍ଗମଞ୍ଚ, ବିବାହ ଶୋଭାଯାତ୍ରା ଓ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିଷିଦ୍ଧ କରାଯାଇଛି। ଏହି ନିଷେଧାଦେଶକୁ ଅବମାନନା କରୁଥିବା ବ୍ୟକ୍ତି ବା ସଂସ୍ଥା ଗୁଡିକ ବିରୋଧରେ ଆଇନ ଅନୁଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିନେମାହଲ ଓ ଥିଏଟର ୫୦ପ୍ରତିଶତ ଦର୍ଶକରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଖୋଲାଯାଇପାରିବ। ବିବାହ ଉତ୍ସବରେ ୫୦, ଶବସଂସ୍କାର ଓ ଶୁଦ୍ଧକ୍ରୀୟାରେ ୨୦ରୁ ଅଧିକ ସାମିଲ କରାଯାଇପାରିବ ନାହିଁ। ବିବାହ ଓ ଶୁଦ୍ଧକ୍ରୀୟାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କ ତାଲିକା ସଂପୃକ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ୨୪ଘଣ୍ଟା ପୂର୍ବରୁ ଦାଖଲ ହେବା ଆବଶ୍ୟକ। ଉତ୍ସଭ ସ୍ଥଳର ସୁଦୃଶ୍ୟ ସ୍ଥାନରେ ୧୦ଫୁଟ ଦୂରତାରୁ ପଢି ହେବା ଭଳି ସେହି ତାଲିକାଟି ଲଗାଯିବ। ତାଲିକାରେ ନାମ ନଥିବା ବ୍ୟକ୍ତି ସେହି ସ୍ଥାନରେ ଉପସ୍ଥିତ ଥିଲେ ଆମନ୍ତ୍ରଣ କରିଥିବା ବ୍ୟକ୍ତି ଓ ସ୍ଥାନ ମାଲିକଙ୍କ ବିରୋଧରେ ଆଇନ ଅନୁଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମନ୍ତ୍ରିତ ବ୍ୟକ୍ତିମାନଙ୍କର ଥର୍ମାଲ ସ୍କାନିଂ, ହାତଧୋଇବା, ସାନିଟାଇଜ ହେବା ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ବ୍ୟବସ୍ଥା ଆମନ୍ତ୍ରଣ କରୁଥିବା ବ୍ୟକ୍ତି ବା ସ୍ଥାନର ମାଲିକ କରିବେ। ଧାର୍ମିକ ଅନୁଷ୍ଠାନ ଗୁଡିକର ମୁଖ୍ୟ ସେମାନଙ୍କ ଅନୁଷ୍ଠାନକୁ ଯାଇଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ବ୍ୟବସ୍ଥା କରିବେ। କେବଳ ପରିବାର ଲୋକଙ୍କୁ ନେଇ ଜନ୍ମଦିନ, ବ୍ରତୋପନୟନ, ଏକୋଇଶା, ବାର୍ଷିକୀ ଆଦି ଉତ୍ସବ ନିଜ ଘରେ ବିନା ଭୋଜି ଭାତରେ କରାଯିବ। ହାଟ, ବଜାର ଓ ମାଛ ମାର୍କେଟ ପ୍ରଭୃତି ସ୍ଥାନରେ ଦୋକାନରୁ ଦୋକାନର ଦୂରତା ୩୦ଫୁଟ ରହିବା ସହ ବୀକ୍ରେତା ଓ କ୍ରେତା ଉଭୟ ୬ଫୁଟ ବ୍ୟବଧାନରେ କାରବାର କରିବେ ଓ ବାଧ୍ୟତା ମୂଳକ ମାସ୍କ ପରିଧାନ କରିବେ। ସଂପୃକ୍ତ ଅଞ୍ଚଳର ତହସିଲଦାର ଓ ଭାରପ୍ରାପ୍ତ ଥାନା ଅଧିକାରୀ ଏ ସଂକ୍ରାନ୍ତରେ ସ୍ଥାନ ନିରୂପଣ କରିବେ। ସପିଂମଲ ଗୁଡିକ ସୀମିତ ଗ୍ରାହକଙ୍କୁ ନେଇ ଖୋଲି ପାରିବେ। ମଲର ମାଲିକମାନେ ଆସୁଥିବା କ୍ରେତାମାନଙ୍କର ଶରୀର ତାପମାତ୍ରା ସ୍କ୍ରିନିଂ କରିବା ସହ ସଠିକ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ। ହୋଟେଲ ବା ଜଳଖିଆ ଦୋକାନରେ ଟେବୁଲରେ ବସି ଖାଇବା ବ୍ୟବସ୍ଥା ରହିବ ନାହିଁ କେବଳ ପାର୍ସଲରେ ଖାଦ୍ୟ ବୀକ୍ରୟ କରାଯାଇପାରିବ। ମଲ ଆଗରେ ଭିଡ ନହେବା ଦିଗରେ ମାଲିକମାନେ ଦୃଷ୍ଟି ଦେବେ। ବ୍ୟବସାୟ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ବାଧ୍ୟତା ମୂଳକ ମାସ୍କ ପରିଧାନ କରିବେ। ଦୋକାନ ମାଲିକ ଓ ବ୍ୟବସାୟୀ ସଙ୍ଘ କର୍ମକର୍ତ୍ତାଙ୍କର ଏହା ଉତ୍ତର ଦାୟୀତ୍ୱ ରହିବ। ଦୋକାନକୁ ଆସୁଥିବା ସମସ୍ତ ବ୍ୟକ୍ତି ସଠିକ ଭାବେ ମାସ୍କ ପିନ୍ଧିବା ଓ ୬ଫୁଟ ଦୂରତା ରକ୍ଷା କରିବା ଦିଗରେ ସଂପୃକ୍ତ ଦୋକାନ ମାଲିକ ଦୃଷ୍ଟି ଦେବା ସହ ସ୍ଥାନ ନିରୂପଣ କରିବେ। ଦୋକାନ ପ୍ରବେଶ ପୂର୍ବରୁ ଗ୍ରାହକମାନଙ୍କ ପାଇଁ ହାତଧୋଇବା, ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ସଂପୃକ୍ତ ଦୋକାନି କରିବେ। ଦୋକାନ ଭିତରେ ଅଧିକ ଗହଳିକୁ ବରଦାସ୍ତ କରାଯିବ ନାହିଁ। ଏଭଳି ହେଲେ ସଂପୃକ୍ତ ଦୋକାନିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟଖ ସ୍ଥଳେ ସେମାନଙ୍କ ଦୋକାନକୁ ବନ୍ଦ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯିବ। ଦୈନିକ ହାଟ, ବଜାର ଓ ମାଛ ମାର୍କେଟରେ ସଂପୃକ୍ତ ବ୍ୟବସାୟୀମାନେ ବାରିକେଡ କରି ବ୍ୟବସାୟ କରିବେ। ୬ଫୁଟ ଦୂରତାରେ ଗ୍ରାହକମାନେ ଛିଡା ହେବା ନିମିତ୍ତ ସ୍ଥାନ ନିରୂପଣ କରିବେ। ହୋଟେଲରେ ରହୁଥିବା ବ୍ୟକ୍ତିମାନଙ୍କ ବ୍ୟତିତ ବାହାର ଲୋକଙ୍କୁ ଅନୁମତି ଦିଆଯିବ ନାହିଁ କିମ୍ବା ଟେବୁଲରେ ବସି ଖାଇବାର ଅନୁମତି ନାହିଁ। ମାତ୍ର ହୋଟେଲ ମାଲିକ ଅନଲାଇନରେ ଖାଦ୍ୟ ଯୋଗାଇଦେଇପାରିବେ। ସେହିପରି ରାସ୍ତା କଡରେ ଖାଦ୍ୟ ଦୋକାନୀମାନେ ଦୋକାନ ଆଗରେ ଖାଇବାକୁ ନଦେଇ କେବଳ ପାର୍ସଲ ଦେଇପାରିବେ। ଯାତ୍ରୀବାହୀ ଡଙ୍ଗା ଗୁଡିକ ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବେ। ସମସ୍ତ କ୍ଷେତ୍ରରେ କୋଭିଡ ନିୟମ କଡାକଡି ଭାବେ ଅନୁପାଳିତ ହେବ। ଏଥିରେ ବ୍ୟତିକ୍ରମ କରୁଥିବା ବ୍ୟକ୍ତି ବା ସଂସ୍ଥା ଗୁଡିକ ବିରୋଧରେ ଆଇନ ଅନୁଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ରାପଡା ଜିଲ୍ଲାର ଜନସାଧାରଣ କୋଭିଡ ନିୟମ ଅନୁପାଳନ ପୂର୍ବକ ଜିଲ୍ଲାରେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଋତୁରାଜ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.