କେନ୍ଦ୍ରାପଡ଼ା ୧୦ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଡା. ପଟ୍ଟନାୟକ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଉପଲକ୍ଷେ ଏକ ସଚେତନତା ରଥକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ସଚେତନତା ରଥ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ ଅଞ୍ଚଳ ୧୦ଦିନ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବ। ସାମାଜିକ, ଅର୍ଥନୈତିକ ଏବଂ ଶାରୀରିକ ଅସୁସ୍ଥତା କାରଣରୁ ବୌଦ୍ଧିକ ବିକାଶ ହୋଇପାରୁ ନଥିବା ବିକଳାଙ୍ଗତା, ମାନସିକ ଚାପ, ବିମମେନସିଆ, ସିଜୋକ୍ରେନିଆ ଆଦି ମାନସିକ ରୋଗ ଦେଖାଯାଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅତ୍ୟଧିକ ମାନସିକ ଚାପରୁ ନିବୃତ୍ତ ରହିବା, ଯୋଗ ଓ ଶାରୀରିକ ପରିଶ୍ରମ ନିୟମିତ କରିବା, ମାଦକ ଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ଓ ପୃଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ମାନସିକ ରୋଗଠାରୁ ଜଣେ ଲୋକ ଦୂରେଇ ରହିପାରିବ ବୋଲି ସେ ପ୍ରକାଶ କରିଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ୍ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ଓ ଔଷଧ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଉପଲବ୍ଧ ହେଉଛି ବୋଲି ସୂଚନା ଦେଇଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ବୈଠକ ସଂଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।