Home ଓଡ଼ିଶା କେନ୍ଦୁପତ୍ର ସଂସ୍ଥା ସହ ଜଡିତ ରାଜ୍ୟର ୧୪ ଲକ୍ଷ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାର ଆଡେ ଗତି...

କେନ୍ଦୁପତ୍ର ସଂସ୍ଥା ସହ ଜଡିତ ରାଜ୍ୟର ୧୪ ଲକ୍ଷ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାର ଆଡେ ଗତି କରୁଛି: ବିଜେପି

511

ଭୁବନେଶ୍ୱର, ୨୭/୦୪ (ଓଡ଼ିଆ ପୁଅ) : କେନ୍ଦୁପତ୍ର ଶ୍ରମିକମାନେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ରାଜସ୍ୱ ଦେଉଛନ୍ତି। ରାଜ୍ୟର ଗରୀବ ଓ ଆଦିବାସୀଙ୍କ ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା କେନ୍ଦୁପତ୍ର ତୋଳାଳୀ ଏବଂ ଏଥି ସହ ଜଡିତ କେନ୍ଦୁପତ୍ର ସଂସ୍ଥାର ଅନ୍ୟ କର୍ମଚାରୀମାନଙ୍କ ଭବିଷ୍ୟତ ବର୍ତମାନ ଅନ୍ଧକାର ଆଡକୁ ଗତି କରୁଛି ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।

ଶ୍ରୀ ପୁରୋହିତ ଅଭିଯୋଗ କରି କହିଛନ୍ତି ଯେ, ୧୯୭୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀଙ୍କ ଅମଳରେ କେନ୍ଦୁପତ୍ର ସଂସ୍ଥାକୁ ଜାତୀୟକରଣ କରାଯାଇଥିଲା। କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ଶ୍ରମିକ, ସିଜିନାଲ୍ କର୍ମଚାରୀଙ୍କୁ ଅଧିକ ଲାଭ ପହଂଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବର୍ତମାନ ଓଡିଶାରେ ୧୪ ଲକ୍ଷ ଶ୍ରମିକ କେନ୍ଦୁପତ୍ର ସଂସ୍ଥା ସହ ଜଡିତ ଅଛନ୍ତି। କରୋନା ଭୁତାଣୁ କଟକଣା ଓ ଲକ୍‌ଡାଉନ୍ କାରଣରୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଶ୍ରମିକମାନଙ୍କୁ ଛଟେଇ ନକରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ଏହା ସତ୍ୱେ ଏହି ଗାଇଡ୍‌ଲାଇନ୍‌କୁ ଅମାନ୍ୟ ଓ ଅଣଦେଖା କରି ରାଜ୍ୟ ସରକାର କେନ୍ଦୁପତ୍ର ସଂସ୍ଥାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟରତ ପାଖାପାଖି ୨ ହଜାର ସିଜିନାଲ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ସେହିପରି ସାମାଜିକ ସୁରକ୍ଷା ପାଇଁ ଗଠିତ କେନ୍ଦୁପତ୍ର କଲ୍ୟାଣ ଟ୍ରଷ୍ଟ ତରଫରୁ କେନ୍ଦୁପତ୍ର ତୋଳାଳିମାନେ ଆର୍ଥକ ଅନୁଦାନ ପାଉଥିଲେ। କେନ୍ଦୁପତ୍ର ତୋଳାଳୀମାନେ ୧୦ ଚଟା କେନ୍ଦୁପତ୍ର ତୋଳିଲେ କେନ୍ଦୁପତ୍ର ଶ୍ରମିକ ମଙ୍ଗଳ ପାଂଠିରୁ ସେମାନଙ୍କୁ ବିଗଲା ସହାୟତା, ପିଲାମାନଙ୍କୁ ଶିକ୍ଷା ସହାୟତା, ମୃତ୍ୟୁକାଳିନ ସହାୟତା ପ୍ରଦାନ କରାଯାଉଥିଲା। ଏହି ନିୟମରେ ପରିବର୍ତ୍ତନ କରାଯାଇ ଚଳିତ ବର୍ଷ ୧୦ ଚଟା ବଦଳରେ ୨୦ ଚଟା କରାଯାଇଅଛି। ବର୍ତମାନର ପରିବର୍ତିତ ନିୟମ କାରଣରୁ ୫୦ ଭାଗରୁ ଉର୍ଦ୍ଧ କେନ୍ଦୁପତ୍ର ତୋଳାଳୀମାନେ ପ୍ରଭାବିତ ହେବା ସହ ସାମାଜିକ ସୁରକ୍ଷା ପାଇବାରୁ ବଂଚିତ ହେବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ସର୍ବନିମ୍ନ ମଜୁରୀ ବୃଦ୍ଧି ହେଲେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀମାନଙ୍କ ଦରମା ମଧ୍ୟ ବୃଦ୍ଧି ହୋଇଥାଏ। ମାତ୍ର ୨୦୧୯ ମସିହା ଅକ୍ଟୋବର ମାସରୁ ଏହା ଲାଗୁ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିନଥିବା କାରଣରୁ ସଂସ୍ଥାରେ କାର୍ଯ୍ୟରତ ୧୮ ହଜାର ସିଜିନାଲ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। କେନ୍ଦୁପତ୍ର ଲାଭାଂଶରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କୁ ୧୦୦ ଭାଗ ବୋନସ ଦିଆଯାଉଥିବାବେଳେ ଗତ ବର୍ଷଠାରୁ ଏହାକୁ ୫୦ ଭାଗ କରିଦିଆଯିବା ଶ୍ରମିକମାରଣ ନୀତିକୁ ପର୍ଦ୍ଦାଫାଶ କରିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ସବୁଠୁ ଦୁର୍ଭାଗ୍ୟର ବିଷୟ ଯେ, ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସଂସ୍ଥାରେ କାର୍ଯ୍ୟରତ ପାଖାପାଖି ୨୦୦୦ ଜଣ ଚପରାସି, ମୁନସୀ ଏବଂ ଡାକ ଅନରଙ୍କୁ କେନ୍ଦୁପତ୍ର ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଡିଏଫଓମାନେ ସେମାନଙ୍କୁ ଚାକିରୀରୁ ବାହାର କରି ଦେଇଛନ୍ତି। ସାଂପ୍ରତିକ ଲକ୍‌ଡାଉନ୍ ଭଳି ଘଡିସନ୍ଧି ମୁହୁର୍ତରେ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ବୋଲି କହିବା ସହ ଗରିବ ଆଦିବାସୀ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ବୀହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପୁରୋହିତ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.