Home ଜିଲ୍ଲା ପରିକ୍ରମା କେତେ ସ୍ମାର୍ଟ ଆମ ସହର! ଭଦ୍ରକର କଦର୍ଯ୍ୟ ଚେହେରା

କେତେ ସ୍ମାର୍ଟ ଆମ ସହର! ଭଦ୍ରକର କଦର୍ଯ୍ୟ ଚେହେରା

27

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଏବେ ନର୍କ ପାଲଟିଛି । ସହର ମଧ୍ୟକୁ ପ୍ରବେଶ କଲେ ଯୁଆଡେ ଚାହିଁବ କୁଢ କୁଢ ଚିପ୍ସ, ବାଲି, ମାଟି ଗଦା, ବୁଲା ଗୋରୁଗାଈଙ୍କ ଅବାଧ ବିଚରଣ । ଠେଲାଗାଡିର ଭିଡ, ଅଳିଆ ଆବର୍ଜନା ସହରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ରାସ୍ତାଘାଟ କଥା ନ କହିବା ଭଲ । ସାମାନ୍ୟ ବର୍ଷାରେ ସହରର ଜଳାର୍ଣ୍ଣବ ପରିସ୍ଥିତି ସାଙ୍ଗକୁ ଅଘୋଷିତ ଲଗାତର ବିଦ୍ୟୁତ୍ କାଟ୍ ସହରବାସୀଙ୍କୁ ଅତିଷ୍ଠ କରିପକାଇଛି । ଗତ ୧୧ ବର୍ଷ ତଳେ ଅନୁଷ୍ଠିତ ଏକ ପ୍ରଶାସନିକ ସମୀକ୍ଷା ବୈଠକରେ ତତ୍‌କାଳୀନ ଆରଡିସି ତଥା ବର୍ତ୍ତମାନର କୃଷି ସଚିବ ଅରବିନ୍ଦ ପାଢୀ କହିଥିଲେ ‘ଓଡ଼ିଶାରେ ସବୁଠାରୁ ଡାର୍ଟି ସହର ଭଦ୍ରକ’ । ୧୧ ବର୍ଷ ତଳର ସେହି ପରିସ୍ଥିତିରେ କୌଣସି ସୁଧାର ଆସିବା ତ ଦୂରର କଥା ଆହୁରି ଅଧିକ କଦର୍ଯ୍ୟ ହୋଇପଡିଛି । ଅନ୍ୟପକ୍ଷରେ ଶପଥପାଠ ପରେ ଭଦ୍ରକକୁ ପ୍ରଥମ ଗସ୍ତରେ ଆସିଥିବା ବିଧାୟକ ସହରକୁ ସ୍ମାର୍ଟ ସିଟି କରିବା ପାଇଁ ସହରବାସୀଙ୍କୁ ଦୃଢ କଣ୍ଠରେ ପ୍ରତିଶ୍ରୁତି ଦେଇଥିଲେ । ଏହାମଧ୍ୟରେ ଚାରିବର୍ଷ ବିତିଗଲାଣି । ଆଉ ୯ ମାସ ପରେ ନିର୍ବାଚନ ହେବ । ବିଧାୟକଙ୍କ ପ୍ରତିଶ୍ରୁତି ସେହି ପ୍ରତିଶ୍ରୁତିରେ ରହିଗଲା । ଆଜିର ଭଦ୍ରକକୁ ଦେଖିଲେ କୌଣସି ଲୋକ ସ୍ମାର୍ଟସିଟି କହିବେ କି । ବିକାଶ ନାଁରେ ଏବେ ସହରର ରାସ୍ତାଘାଟ, ପରିମଳ ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହୋଇପଡିଛି । ସରକାରୀ ଓ ଘରୋଇ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ ସାମଗ୍ରୀ ଚିପ୍ସ, ବାଲି, ମାଟି ଆଦି ପୌରାଞ୍ଚଳର ସଂକୀର୍ଣ୍ଣ ରାସ୍ତାରେ ରଖିବା ଫଳରେ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ତ୍ତ ବିଭାଗ ତରଫରୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ନିର୍ମାଣ କରାଯାଇଥିବା ଡିଭାଇଡର ଭାଙ୍ଗିଯାଇଥିବାରୁ ଟ୍ରାଫିକ୍ ସମସ୍ୟା ଅଧିକ ଜଟିଳ ହୋଇପଡିଛି । ଏହି ଭଙ୍ଗା ଗଳାବାଟ ଦେଇ ଯିବାଆସିବା ହେଉଥିବାରୁ ଛୋଟବଡ ଦୁର୍ଘଟଣା ଘଟୁଛି ।

ଏଥିପ୍ରତି କାହାରି ନଜର ନାହିଁ । ଅପରପକ୍ଷରେ ସହରରେ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତାର ଉଭୟପାଶ୍ୱର୍ରେ ଦୁଇଚକିଆ ଓ ଚାରିଚକିଆ ଯାନ ରଖିବା ଫଳରେ ରାସ୍ତା ସଂକୁଚିତ ହୋଇ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସହରର ମୁଖ୍ୟ ରାସ୍ତା ଦେଇ ନେତା, ମନ୍ତ୍ରୀ, ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଯିବାଆସିବା କରୁଥିବାବେଳେ ଏହିସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଥଚ ସମାଧାନର ରାସ୍ତା ବାହାର କରୁନାହାଁନ୍ତି । ଏ ତ ଗଲା ସହରର ମୁଖ୍ୟ ରାସ୍ତା କଥା । ପୁରୁଣାବଜାର ଅଂଚଳର ରାସ୍ତାର ଶୋଚନୀୟ ଅବସ୍ଥାର ବାସ୍ତବ ଚିତ୍ର ନଦେଖିଲେ ବିଶ୍ୱାସ କରିହେବନାହିଁ । ଲାହାପଟି ଠାରୁ ପୁରୁଣାବଜାର ଛକର ରାସ୍ତା ଖାଲଢିମାରେ ଭରପୁର । ରାସ୍ତାର ସଂପ୍ରସାରଣ ପାଇଁ ଉଚ୍ଛେଦ କରାଯାଇଥିବା ଦୋକାନ ଘରଗୁଡିକର ଭଙ୍ଗା ଇଟା, ସିମେଣ୍ଟ, କଂକ୍ରିଟ୍ ରାସ୍ତାରେ ପଡିଛି । ବର୍ଷାଦିନେ ରାସ୍ତାଗୁଡିକ ଛୋଟ ଛୋଟ ପୋଖରୀରେ ପରିଣତ ହୋଇଛି । ଯାତାୟତରେ ସାଧାରଣ ଲୋକେ ନାହିଁ ନଥିବାର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ମୋଟର ସାଇକେଲ୍ ଆରୋହୀ ରାସ୍ତାରେ ଜଳ ଭରି ରହିଥିବା ସ୍ଥାନ ଜାଣିନପାରି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବର୍ଷାଦିନେ ଡ୍ରେନ୍ ଗୁଡିକ ସଫା କରାନଯିବା ଫଳରେ ବର୍ଷାଜଳ ଡ୍ରେନ୍ ମଧ୍ୟକୁ ନଯାଇ ରାସ୍ତା ଓ ବିଭିନ୍ନ ଅଂଚଳକୁ ପ୍ରବାହିତ ହୋଇ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରିଛି । ସହରର କେନ୍ଦ୍ରସ୍ଥଳୀ କଚେରୀ ବଜାର, ବନ୍ତଛକ, ମୋଟେଲ ଛକ, ଏବେ ମଣ୍ଡିଗୁଡିକର କବଜାରେ ରହିଛି । ବାହାରୁ ଆସୁଥିବା ବଡ ଟ୍ରକ୍ ଗୁଡିକ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିବାରୁ ଭଦ୍ରକରୁ ବାରିପଦା ମଧ୍ୟରେ ଯାତାୟତ କରୁଥିବା ଗାଡି ଗୁଡିକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ମାସ ତଳେ ଭଦ୍ରକ ଗସ୍ତରେ ଆସିଥିବା ୫-ଟି ସଚିବଙ୍କୁ ସହରର ଏଭଳି ଅବସ୍ଥାକୁ ଲୁଚାଇ ରଖିବା ଘଟଣା ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି । ଯଦି ସହରର ଏଭଳି ବିପର୍ଯ୍ୟସ୍ତ ଚିତ୍ର ଦେଖିଥାନ୍ତେ, ହୁଏତ କିଛି ପରିବର୍ତ୍ତନ ହୋଇପାରିଥାନ୍ତା ବୋଲି ସହରବାସୀଙ୍କ ମହଲରୁ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.