Home ଜିଲ୍ଲା ପରିକ୍ରମା କୃଷି ବିଭାଗ ପକ୍ଷରୁ ରୋଗପୋକ କ୍ଷତିଗ୍ରସ୍ତ ଧାନକ୍ଷେତ୍ର ଅନୁଧ୍ୟାନ

କୃଷି ବିଭାଗ ପକ୍ଷରୁ ରୋଗପୋକ କ୍ଷତିଗ୍ରସ୍ତ ଧାନକ୍ଷେତ୍ର ଅନୁଧ୍ୟାନ

13

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ପକ୍ଷରୁ ସୋମବାର ଚଳିତ ରୋଗପୋକ କ୍ଷତିଗ୍ରସ୍ତ ଖରିଫ ଧାନକ୍ଷେତ୍ର ଅନୁଧ୍ୟାନ କରାଯାଇଛି । ବ୍ଲକ ଅଞ୍ଚଳରେ ଖରିଫ ଧାନକ୍ଷେତରେ ରୋଗ ଓ ପୋକ ଉପଦ୍ରବ ବୃଦ୍ଧି ପାଇଥିବା ସୂଚନା ମିଳିଥିଲା । ଜିଲ୍ଲା କୃଷି ଅଧିକାରୀ ଶ୍ରୀଧର ଦାସ ରୋଗପୋକ କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରି ଦୈନିକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାପରେ କୃଷି ବିଭାଗ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଥିଲା । ବ୍ଲକ କୃଷି ଅଧିକାରିଣୀ ସୁଦିପ୍ତା ପଣ୍ଡାଙ୍କ ନେତୃତ୍ୱରେ ଅତିରିକ୍ତ ବ୍ଲକ କୃଷି ଅଧିକାରିଣୀ ସୁମିତ୍ରା ମହାନ୍ତି, ସଞ୍ଜିବ ମଲ୍ଲିକ, କୃଷି ଅଧିଦର୍ଶକ ଅଭିମନ୍ୟୁ ପରିଡା, ସ୍ମୃତିରଞ୍ଜନ ରାୁତଙ୍କ ସମେତ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀମାନେ ଷୋଳମପୁର ପଞ୍ଚାୟତର ବିରୋଳି, ରହଣିଆ ପଞ୍ଚାୟତର ପୁରସ୍ତମପୁର, ସରସଦା, ଦକ୍ଷିଣବାଡ ପଞ୍ଚାୟତର ଫତେପୁର, ରାମଚନ୍ଦ୍ରପୁର ପଞ୍ଚାୟତର ଲକ୍ଷ୍ମୀସାଗର, ତେସିଙ୍ଗା ପଞ୍ଚାୟତର ବିଶୋଳ-ଶାସନ, ନପଙ୍ଗ, ଜଳମଣ୍ଡୁଆ ପଞ୍ଚାୟତର ପଦିନାରାୟଣପୁର ଆଦି ଗ୍ରାମରେ ଖରିଫଧାନର ପତ୍ରମୋଡାରୋଗ, ମାଟିଆଗୁଣ୍ଡି, କାଣ୍ଡବିନ୍ଧା, ମହିସାରୋଗ କ୍ଷତିଗ୍ରସ୍ତ ଅବସ୍ଥା ଅନୁଧ୍ୟାନ କରିଥିଲେ । ବିଭିନ୍ନ ରୋଗ ଓ ପୋକର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ଔଷଧ ସଠିକ ମାତ୍ରାରେ ବ୍ୟବହାର ସମ୍ପର୍କରେ ପରାମର୍ଶ ଦେବା ସହ ଉପଯୁକ୍ତ ପରାମର୍ଶ ପାଇଁ ବ୍ଲକ କୃଷି ବିଭାଗ ସହ ନିରନ୍ତର ଯୋଗସୂତ୍ର ରକ୍ଷା କରିବାକୁ କୃଷି ପ୍ରତିନିଧିମଣ୍ଡଳୀ ଚାଷୀମାନଙ୍କୁ ଅନୁରୋଧ କରିଥିଲେ । ବିଭିନ୍ନ ଚାଷ ପାଇଁ ସରକାରୀ ଯୋଜନା ଓ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏହାସହ ପ୍ରଧାନମନ୍ତ୍ରୀ କିଶାନ ଇ-କେ.ୱାଇ.ସି. ପୂରଣ ପରି ସହାୟତା ହାସଲ କରିବାକୁ ମଧ୍ୟ ଚାଷୀମାନଙ୍କୁ ପ୍ରବର୍ତ୍ତାଯାଇଥିଲା । ଏହି କ୍ଷେତ୍ରୀୟ ଅନୁଧ୍ୟାନ ଖରିଫ ଧାନ ଅମଳ ପର୍ଯ୍ୟନ୍ତ ଜାରି ରହିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.