ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ ଏଗ୍ରୋ ୟୁକୋ ଟୁରିଜିମ୍ର ଏକ ପ୍ରକଳ୍ପ ରିପୋର୍ଟ ପ୍ରଶାସନ ତରଫରୁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରଦାନ କରାଯାଇଛି । ୨୫ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପଟିର ରିପୋର୍ଟ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ପ୍ରସ୍ତୁତ କରୁଛନ୍ତି । ଏହି ପ୍ରକଳ୍ପ ରିପୋର୍ଟକୁ ଆଜି ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ପ୍ରଥମେ ସଦ୍ଭାବନା ଗୃହରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଓ ତାଙ୍କ ଟିମ୍ ଉପସ୍ଥାପନା ସହ ଆଲୋଚନା କରିଥିଲେ । ପରବର୍ତୀ ସମୟରେ ଜିଲାପାଳଙ୍କ ସହ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଧୁଷୁରୀ ପଂଚାୟତ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିବା ସହ ପ୍ରକଳ୍ପ ସଂପର୍କିତ ପୋଷ୍ଟର ମାଧ୍ୟମରେ ବୁଝାଇଥିଲେ । ଏହି ପ୍ରକଳ୍ପ ରିପୋର୍ଟରେ ପ୍ରାକୃତିକ କୃଷି, ମତ୍ସ୍ୟ, ପଶୁ, ଉଦ୍ୟାନ, ପ୍ରାଣୀ ବିଭାଗ ଓ ବନ ବିଭାଗର ସମସ୍ତ ବିଭାଗୀୟ ପ୍ରକଳ୍ପମାନ ସ୍ଥାନ ପାଇଛି । ଏହି ପ୍ରକଳ୍ପରେ କୃଷି ଭିତିକ ଧାନ ଓ ଅନ୍ୟାନ୍ୟ ଫସଲ ପ୍ରାକୃତିକ ଉପାୟରେ ଚାଷ ସହ ୮ ଏକର ଜମିରେ ମାଛଚାଷ ପ୍ରଦର୍ଶିତ ହୋଇଛି । ଏହାବ୍ୟତୀତ ଏହି ପୋଖରୀରେ ପର୍ଯ୍ୟଟକଙ୍କ ନିମନ୍ତେ ବୋଟ୍ ଚାଳନା, ରାତ୍ରୀକାଳୀନ ରହଣି ପାଇଁ ଛୋଟ ଛୋଟ କଟେଜ, ବଗିଚା,ମାନ ରହିଛି । ସେହିପରି ଡେମୋନୋଷ୍ଟ୍ରେସନ ଫିଲ୍ଡ କାମ, ଅଡିଟୋରିୟମ୍, ଜିମ୍, ଚିଲଡ୍ରେନ ପାର୍କ, ରେଷ୍ଟୁରେଂଟ ଆଦି ବହୁ ମନୋରଂଜନ ଧର୍ମୀ ପ୍ରକଳ୍ପମାନ ଏହି ପ୍ରକଳ୍ପରେ ସ୍ଥାନ ପାଇଛି । ସୂଚନାଯୋଗ୍ୟ ଗତ ଅକ୍ଷୟ ତୃତୀୟା ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ ଓ ଜିଲାପାଳ ଶ୍ରୀ ରାଉତରାଏ କୃଷି ବିଜ୍ଞାନ କେନ୍ଦ୍ରକୁ ଅତିଥି ଭାବେ ଯାଇଥିବା ସମୟରେ ମନ୍ତ୍ରୀ ଏହି ଏଗ୍ରୋ ୟୁକୋ ଟୁରିଜିମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ କେବିକେର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସଂଜୟ ମହାନ୍ତିଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଏହି ପ୍ରକଳ୍ପଟି ପ୍ରସ୍ତୁତ କରାଯାଇଛି । ପରବର୍ତୀ ସମୟରେ ଏହି ପ୍ରକଳ୍ପ ରିପୋର୍ଟର ବ୍ୟୟ ଅଟକଳ ରିପୋର୍ଟ ଯଥେଷ୍ଟ ବୃଦ୍ଧି ହେବା ସହ ପରିବର୍ତନ ମଧ୍ୟ ହୋଇପାରେ ବୋଲି କେବିକେ ମୁଖ୍ୟ ଶ୍ରୀ ମହାନ୍ତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।
Home ଜିଲ୍ଲା ପରିକ୍ରମା କୃଷି ବିଜ୍ଞାନ କେନ୍ଦ୍ରରେ ଏଗ୍ରୋ ୟୁକୋ ଟୁରିଜିମ୍ ପ୍ରକଳ୍ପ ପ୍ରସ୍ତାବ,୨୫ କୋଟି ବ୍ୟୟ ଅଟକଳର ରିପୋର୍ଟ...







